ରିଲାଏନ୍ସ କମ୍ପାନୀର ଘୋଷଣା : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ କରୋନା ଟିକାକରଣ ଖର୍ଚ୍ଚ ବହନ କରିବ
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କ କରୋନା ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବ । କଂପାନିର ନିର୍ଦ୍ଦେଶିକା ନୀତା ଅମ୍ବାନି କର୍ମଚାରୀମାନଙ୍କୁ ଇ-ମେଲ୍ ଜରିଆରେ ଲେଖିଥିବା ଏକ ପତ୍ରରେ ଉଲ୍ଳେଖ କରିଛନ୍ତି ଯେ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଟିକାକରଣରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବହନ କରିବ । ସରକାରଙ୍କ ନିୟମାବଳୀ ଅନୁଯାୟୀ ଯୋଗ୍ୟ କର୍ମଚାରୀମାନେ କରୋନା ଟିକା ନେବା ଲାଗି ତୁରନ୍ତ ସରକାର ଜାରି କରିଥିବା ଟିକାକରଣ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି ଶ୍ରୀମତୀ ଅମ୍ବାନି କହିଛନ୍ତି । ନିଜ ପ୍ରତିବଦ୍ଧତାକୁ ଦୋହରାଇ ନୀତା ଅମ୍ବାନି କହିଛନ୍ତି ଯେ ଦେଶରେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଆମେ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛୁ ।
ପୂର୍ବରୁ ୨୦୨୦ ଡିସେମ୍ବର ମାସରେ ରିଲାଏନ୍ସ ଫାମିଲି ଡେ’ କାର୍ଯ୍ୟକ୍ରମ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଥିଲେ ଯେ ଆଶ୍ୟକୀୟ ଜରୁରୀ ଅନୁମତି ମିଳିବା ମାତ୍ରେ ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ଟିକାକରଣ ଅଭିଯାନ ଆରମ୍ଭ କରିବ । ଏବେ ଲେଖିଥିବା ଚିଠିରେ ନୀତା ଅମ୍ବାନି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମୁକେଶ ଓ ମୁଁ ଭାବୁ ଯେ ନିଜ ଖୁସି ଓ ସ୍ୱାସ୍ଥ୍ୟର ଯତ୍ନ ରଖିଲେ ପରିବାର ଗଠନ ହୋଇଥାଏ ଏବଂ ସେହି ବଡ଼ ପରିବାରର ନାମ ହେଉଛି ରିଲାଏନ୍ସ ପରିବାର ।
ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ବିଶ୍ୱର ସବୁଠାରୁ ବଡ ଟିକାକରଣ (ଭାକ୍ସିନେସନ୍ ) କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ନୀତା ଅମ୍ବାନୀ କହିଛିନ୍ତି ଯେ, “ଏବେ ଆଉ କିଛି ସମୟ ହିଁ ରହିଛି ଯାହା ପରେ ଦେଶ କରୋନା ବିରୋଧରେ ଚାଲିଥିବା ଲଢେଇରେ ବିଜୟୀ ହେବ । ଆଶା, ବିଶ୍ୱାସ ଏବଂ ଆନନ୍ଦର ସହିତ ଦେଶ ଏକ ନୂଆ ଯୁଗରେ ପାଦ ରଖିବ’’ ।
ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି କର୍ମଚାରୀମାନଙ୍କୁ ଭରସା ଦେଇ କହିଛନ୍ତି ଯେ ଆପଣମାନଙ୍କ ସହଯୋଗକ୍ରମେ ଆମେ ଶୀଘ୍ର ଏହି ମହାମାରୀକୁ ନିପାତ କରିପାରିବା । ଏହା ସହିତ ସେ କହିଛନ୍ତି ଯେ ଏବେବି କରୋନା ଯାଇନାହିଁ ଏବଂ ଆମକୁ କରୋନା ବିରୋଧରେ ପୂର୍ଣ୍ଣ ମାତ୍ରାରେ ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁୁ ପଡ଼ିବ । ଆମେ କରୋନା ଲଢ଼େଇର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଶୀଘ୍ର ଏହା ଉପରେ ନିୟନ୍ତ୍ରଣ ହାସଲ କରିବୁ । ସର୍ବଶେଷରେ ସେ ଏହି ଭରସା ପ୍ରକଟ କରିଛନ୍ତି ଯେ କରୋନା ହାରିବ, ଭାରତ ଜିତିବ ।