Odisha news

ହଜୁଛି ବସନ୍ତ-ଶରତ-ହେମନ୍ତ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସକାଳୁ ସକାଳୁ ଚା’ ଦୋକାନରେ ବସିଥିବା ବେଳେ ଦେଖାହେଲେ ଜଗତସିଂହପୁର ପୈାରପରିଷଦର ପୂର୍ବତନ ପୈାରାଧ୍ୟକ୍ଷ ବିପ୍ଳବ ଚୈାଧୁରୀ । ସକାଳର ଶୁଭେଚ୍ଛା ଜଣାଉ ଜଣାଉ ଆରମ୍ଭ କଲେ, ସାର୍ କି ଖରା ! ମାଘ ସରିନି, କିନ୍ତୁ ଖରା ବାଘ ଭଳିଆ ମାଡିଆସିଲାଣି । ଏବେ ଠାରୁ ମୁଣ୍ଡଫଟା ଖରା ସକାଳ ୧୧ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି । ମୁଁ ଅଳପ ହସି କହିଲି- ବିପ୍ଳବ ବାବୁ, ଆମେ ସିନା ପଢିଲା ବେଳେ ପଢୁଥିଲୁ ବରଷକ ବାରମାସ, ଛଅ ଋତୁ । ଏବେ କିନ୍ତୁ ଛଅ ଋତୁ ସାତ ସପନ । ଋତୁ କହିଲେ ଏବେ ଗ୍ରୀଷ୍ମ, ବର୍ଷା, ଶୀତ । ଗ୍ରୀଷ୍ମର ପ୍ରକୋପ ଆଗରେ ହଜୁଛି ବସନ୍ତ, ଶରତ, ହେମନ୍ତ ।

ବିଶେଷକରି ଗ୍ରୀଷ୍ମର ପ୍ରକୋପ ଆଗରେ ଋତୁରାଜ ବସନ୍ତ ହଜିଯାଉଛି । ବିପ୍ଳବ ବାବୁ ମୋ କଥା ସହ ଏକମତ ହୋଇ କହିଲେ ହଁ ସାର୍, ଏହା ଠିକ୍ କଥା । ଫେବୃଆରୀରୁ ତ ଖରାର ପ୍ରକୋପ ଜଳେଇଲାଣି । ଆଗକୁ ଏହା ଆହୁରି ଅସମ୍ଭାଳ ହେବ । ଏପରିକି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ପାରଦ ୪୦ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ଡିଗ୍ରୀ ସେଲ୍ସିୟସ୍ ଉପରେ । ଲଗାତାର ୩ଦିନ ଧରି ଭୁବନେଶ୍ୱରରେ ତାପମାତ୍ରା ଅଧିକ ରହିଛି । ଏଥିରୁ ଅନୁମାନ କରାଯାଇପାରେ ଖରାର ପ୍ରକୋପ କେତେ ଭୀଷଣ ରହିଛି । ଗତ ୪ବର୍ଷ ଭିତରେ କେବେବି ରାଜଧାନୀର ତାପମାତ୍ରା ୪୦ଡିଗ୍ରୀ ଛୁଇଁ ନଥିଲା । ବର୍ତ୍ତମାନ ଆକାଶ ନିର୍ମଳ ଥିବା ବେଳେ ଜଳୀୟ ବାଷ୍ପ ପରିମାଣ କମ୍ ଅଛି । ସେଥିପାଇଁ ଉତ୍ତାପ ବଢି ଚାଲିଛିି ।
ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତକାଲି ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହରଭାବେ ପରିଚିତ ହୋଇଛି । ଏଠି ସର୍ବାଧିକ ତାପମାତ୍ରା ୪୦.୪ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି ।

ପୂର୍ବରୁ ମଧ୍ୟ ଫେବୃଆରୀରେ ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ପାର କରିବାର ରେକର୍ଡ ରହିଛି । ୧୯୬୩ ଫେବୃଆରୀ ଭୁବନେଶ୍ୱର ତାପମାତ୍ରା ୪୨.୩ ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ, ୨୦୧୨ରେ ୪୦.୧ଡିଗ୍ରୀ, ୨୦୧୬ରେ ୪୦.୯ଡିଗ୍ରୀ, ୨୦୧୯ରେ ୩୯.୪ଡିଗ୍ରୀ ରହିଥିଲା ।ବିଗତ ଦିନରେ ଭୁବନେଶ୍ୱରରେ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ଚଳିତବର୍ଷ ଭାଙ୍ଗିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଗତକାଲି ଶୁକ୍ରବାର ୧୪ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ରହିଥିବା ବେଳେ ୯ଟି ସହରରେ ୩୭ ଡିଗୀ୍ର ରହିଛି । ଫଳରେ ମାଘ ନଯାଉଣୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି ।

ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢିବ ବୋଲି ସୂଚନା ÿମିଳିଛି । ଏଥିସହିତ ଅନୁଗୁଳ, ତାଳଚେର. ବଲାଙ୍ଗୀର, ଟିଟିଲାଗଡ ଓ ମାଲାକାନାଗିରିରେ ତାପମାତ୍ରା ମାର୍ଚ୍ଚ ୨ ସୁଦ୍ଧା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରଯାଉଛି । ସେହିପରି ଆସନ୍ତା ଦିନରେ ରାଜ୍ୟର ତାପମାତ୍ରା ବଢିବା ସହ ୨୦୨୧ ଉତ୍ତପ୍ତ ବର୍ଷ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଏଥିସହିତ ଚଳିତ ବର୍ଷ ଖରାଦିନ ଶୀଘ୍ର ଆସିବ ଓ ଏହାର ଅବଧି ଲମ୍ବା ହେବ ବୋଲି କୁହାଯାଉଛି ।

ଏବେ ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି । ଆଗଭଳି ଆଉ ଛଅ ଋତୁ ଅନୁଭବ କରିହେଉନି । ଛଅଋତୁ ଆଜି ସାତ ସପନ । ଶରତ, ଶୀତ ଓ ବସନ୍ତ କ୍ରମଶଃ ମାନସ ପଟରୁ ହଜିଗଲେଣି । ଏବେ କେବଳ ଗ୍ରୀଷ୍ମ ,ବର୍ଷା ଓ ଶୀତ ତିନୋଟି ଋତୁ ଅନୁଭବ କରିହେଉଛି । ଏଥିମଧ୍ୟରୁ ପ୍ରାୟ ସାତ ଆଠ ମାସ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ, ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । କହିବା ବାହୁଲ୍ୟ ଯେ, ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ବସନ୍ତ । ଋତୁରାଜ ସେ । ଫାଲଗୁନ-ଚୈତ୍ର, ନା ଥାଏ ଖରା, ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ ।

ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ଯେଉଁ ସମୟରେ ବସନ୍ତ ଋତୁ ଅନୁଭବ ହେବା କଥା ସେହି ସମୟରେ ରାଜ୍ୟରେ ଯେଭଳି ହାରରେ ତାପମାତ୍ର ବଢିଛି ତାକୁ ଦେଖିଲେ ଲାଗୁଛି ବସନ୍ତ ସମେତ ଶରତ ଓ ହେମନ୍ତ ଅଚିରେ ହଜିଯିବ ଓ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିବ । ସୂଚନାଅନୁଯାୟୀ ମାର୍ଚ୍ଚ ୧ ସୁଦ୍ଧା ଅନୁଗୁଳ, ତାଳଚେର, ଟିଟିଲାଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ ଓ ମାଲକାନଗିରିରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ । ନିକଟରେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ । ମାର୍ଚ୍ଚ ଓ ଏପ୍ରିଲରେ ଅଧିକରୁ ଅଧିକ ତାତି ଅନୁଭୂତ ହେବ ବୋଲି ପ୍ରାକ୍ ଆକଳନ କରାଯାଇଛି । ଏପରିକି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ତାତି ଚିନ୍ତାଜନକ ହୋଇରହିବ ।

ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆମ ଦେଶରେ ୧୯୫୦ ମାସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଆସୁଅଛି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜନସଚେତନ ସୃଷ୍ଟି କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି ।

ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢିଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି ଓ ବୃଷ୍ଟିପାତ ହ୍ରାସ ପାଉଛି । ବିଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟ ହେଉଛି । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ସୂଚନାଯୋଗ୍ୟ ଯେ, ୧୯୯୮ମସିହାରେ ରାଜ୍ୟରେ ଅଂଶୁଘାତରେ ୨୦୪୨ ଜଣଙ୍କ ଜୀବନ ଜାଇଥିବା ବେଳେ ୨୦୧୫ପରେ ଏହା କ୍ରମାଗତ ଭାବେ ହ୍ରାସ ପାଉଥିଲା ।

୨୦୧୬ରେ ୫୪ଜଣ,୨୦୧୭ରେ ୪୫ଜଣ, ୨୦୧୮ରେ ୬୦ଜଣ,୨୦୧୯ରେ ୫୦ଜଣ, ୨୦୨୦ରେ ୧୨ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।

ଏସବୁ କଥା ଶୁଣି ବିପ୍ଳବ ବାବୁ କହିଲେ, ଏଥିପାଇଁ ରାଜ୍ୟ ସରକାର କିଛି ଠୋସ୍ ପଦକ୍ଷେପ ନେଇଛନ୍ତି । ମୁଁ ହଁ କହିଲି । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସକାରଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି । ଏସ୍ଆର୍ସି ପ୍ରଦୀପ କୁମାର ଜେନା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆଲେଚନା ଏଇଠି ରହିଲା । ଚା’ ଆସରରୁ ଫେରିବା ପରେ ବାଟରେ ସାକ୍ଷାତ ହେଲା ଭଉଣୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସହ । ତରତର ହୋଇ ସେ କୈାଣସି କାମରେ ଯାଉଥିଲା ।

କହିଲା, ଭାଇନା ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଆପଣ କଣ କହୁଛନ୍ତି ? ମୁୁଁ କହିଲି ଭଲକଥା । ଉତ୍ତରରେ ସେ କହିଲା, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ୯ଟାରୁ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବା କ’ଣ ଠିକ୍ ହୋଇଛି? କାରଣ ସାଧାରଣତଃ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାତିର ପ୍ରକୋପ ଅଧିକ ରହିଥାଏ । ସେ ଠିକ୍ କଥା କହୁଛି ବୋଲି ମୋର ବିଶ୍ୱାସ ହେଲା । ମୁଁ କହିଲି ଆଗାମୀ ଦିନରେ ସରକାର ଏଦିଗରେ ନିଶ୍ଚୟ ବିଚାର କରିବେ ।

Leave A Reply