ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ଶ୍ରୀକ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ପୁରୀର ବିକାଶ ପାଇଁ ୧୫ଦଶ ଅର୍ଥ କମିଶନ ୧୭୫କୋଟି ଟଙ୍କା ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀର ବିକାଶ ପାଇଁ ସବୁ ସମୟରେ ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଶ୍ରୀକ୍ଷେତ୍ରର ଉନ୍ନତି ଓ ହିନ୍ଦୁ ଧର୍ମାବଲମ୍ବୀ ତୀର୍ଥଯାତ୍ରୀଙ୍କ ଶ୍ରୀଜଗନ୍ନାଥ ଦର୍ଶନର ସୁବିଧା ପାଇଁ ଅନେକ ଭିତ୍ତିଭୂମି ବିକାଶ ଯୋଜନା ହାତକୁ ନେଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଝାଡେଶ୍ୱରୀ କ୍ଲବଠାରେ କମୁ୍ୟନିଟ୍ ସେଣ୍ଟରକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଉପରୋକ୍ତ ମତଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଆଜି ପୁରୀ ଗ୍ରସ୍ତରେ ଆସି ଗ୍ୟାସ୍ ଅଥେରଟି ଅଫ୍ ଇଣ୍ଡିଆ (ଗେଲ୍) ସିଏସ୍୍ଆର ଫଣ୍ଡରେ ନିର୍ମାଣ କରାଯାଇଥିବା ପ୍ରାୟ ୯୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ କରିବା ସହିତ ମାଙ୍ଗାନିଜ୍ ଓରଇଣ୍ଡିଆ ଲିମିଟେଡ଼୍ (ମୋଏଲ) ପକ୍ଷରୁ ବାଲିସାହି ହିଞ୍ଜଳଯାଗାରେ ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା କମୁ୍ୟନିଟ୍ ସେଣ୍ଟର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
୧୮ଲକ୍ଷ ଟଙ୍କା ବ୍ୟୟରେ ବାସେଳୀ ସାହି କମୁ୍ୟନିଟ ସେଣ୍ଟର ଓ ୨୨ଲକ୍ଷ ଟଙ୍କାର ଝାଡେଶ୍ୱରୀ କ୍ଲବର କମୁ୍ୟନିଟ୍ ସେଣ୍ଟରକୁ କେନ୍ଦ୍ରମନ୍ତୀ ଲୋକର୍ପିତ କରିଥିଲେ । ଝାଡେଶ୍ୱରୀ କ୍ଲବଠାରେ ଆୟାଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀପ୍ରଧାନ କହିଥିଲେଯେ, ନାଲକୋ ଗାନ୍ଧୀପାର୍କର ଉନ୍ନତିକରଣ କରିଛି । ସମୁଦ୍ରକୂଳକୁ ସିଧାସଳଖ ପର୍ଯ୍ୟଟକଙ୍କ ବସ୍ ଯିବା ଲାଗି ହରେକୃଷ୍ଣପୁରଠାରୁ ମଙ୍ଗଳାଘାଟ ଦେଇ ଷ୍ଟ୍ରଲିଂ ହୋଟେଲ ନିକଟରେ ଜାତୀୟ ରାଜପଥ ସଂଯୋଗ କରିଛି ।
ଫଳରେ ପର୍ଯ୍ୟଟକମାନେ ସିଧାସଳଖ ସମୁଦ୍ରକୂଳକୁ ଯାଇପାରିବେ । ପୁରୀକୁ ଆନ୍ତର୍ଜାତିୟ ସ୍ତରରେ ଅତ୍ୟାଧୁନିକ ସହର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାର ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଲାଗି ଗଞ୍ଜାମର ଗୋପାଳପୁର ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜାତୀୟ ରାଜପଥ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବେ । ଫଳରେ ପର୍ଯ୍ୟଟକ ଓ ଓଡ଼ିଶାବାସୀ ସୁବିଧାରେ ଗମନାଗମନର ସୁବିଧା ପାଇପାରିବେ । ଟାଙ୍ଗିଠାରୁ ଚିଲିକା କୂଳେ କୂଳେ ସାତପଡା ପର୍ଯ୍ୟନ୍ତ ଉପକୂଳ ଜାତୀୟ ରାଜପଥ ନିର୍ମାଣ କରାଯିବ । ସାତପଡା ଠାରୁ ପୁରୀ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ଦେଇ ବାଲେଶ୍ୱର ପର୍ଯ୍ୟନ୍ତ ଏହି ରାଜପଥ ନିର୍ମାଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଜହ୍ନିକୁଦାଠାରୁ ସାତପଡା ପର୍ଯ୍ୟନ୍ତ ଚିଲିକା ସେତୁ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ କହିଥିଲେ ।
ଆସନ୍ତା କାଲିଠାରୁ ମାଗଣାରେ ସମସ୍ତ ସରକାରୀ ଚିକିତ୍ସାଳୟରେ କରୋନା ଟିକା ପ୍ରଦାନ କରାଯିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତର ଲୋକମାନଙ୍କୁ ସୁସ୍ଥ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉତ୍ସବରେ ଯୋଗଦେଇ ଝଡେଶ୍ୱରୀ କ୍ଲବ କ୍ରୀଡା କ୍ଷେତ୍ରରେ ପୁରୀସହରର ଏନ୍ତୁଡିଶାଳ ବୋଲି କହିଥିଲେ । ଏଠାରୁ ବହୁ କ୍ରୀଡାବିତ୍ ଜିଲ୍ଲା, ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛନ୍ତି । କ୍ରୀଡାବିତଙ୍କ ଉନ୍ନତି ଲାଗି ଝାଡେଶ୍ୱରୀ କ୍ଲବକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଖୁବ୍ ଶୀଘ୍ର ସିଦ୍ଧମହାବୀର ରେଲୱେ ଓଭରବି୍ରଜ ନିର୍ମାଣ କରାଯିବ ବୋଲି ବିଧାୟକ ଷଢଙ୍ଗୀ କହିଥିଲେ ।
ବୈଠକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗେଲ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ ଭି ରବି ସମେଶ୍ୱରୁଡ, ସିଏମଡି (ମୋଏଲ) ଏମ ପି ଚୌଧୁରୀ, ଝାଡେଶ୍ୱରୀ କ୍ଲବର ସଭାପତି କୃଷ୍ଣଚନ୍ଦ୍ର ଦାସ, ସଂପାଦକ ପାର୍ଥସାରଥୀ ମହାପାତ୍ର, ଗେଲ୍ର କେଭି ସିଂ ପ୍ରମୁଖ ଯୋଗଦେଇଥିଲେ ।