Odisha news

କରୋନ ଓ ରୋଗ ପ୍ରତିରୋଧକ ଶକ୍ତି

0

ପ୍ରଫେସର ଡାକ୍ତର ମଦନ ମୋହନ ସାହୁ :  ଭୟାବହ ମହାମାରୀ କରୋନା ବର୍ତ୍ତମାନ ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ସାମର୍ଥ୍ୟ ନେଇ ସମସ୍ତଙ୍କୁ ସୂଚୀତ କରିଛି । କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇ ଚାଲିଥିବାବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟି ଯାଏ ନିକଟରେ ଏକ ରିସର୍ଚ୍ଚ ତଥ୍ୟର ରିପୋର୍ଟ ପ୍ରସିଦ୍ଧ “ଲାନ୍ସେଟ୍’ ପତ୍ରିକାରେ ପ୍ରକାଶ ପାଇଛି । ମଣିଷର ରୋଗପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍ ଶରୀରରେ କିଛି କ୍ଷତି କରିପାରିନଥାଏ । କିନ୍ତୁ ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନକରି ନିଜ ଶରୀର ବିରୁଦ୍ଧରେ ଲଢ଼ିଥାଏ । କରୋନା ସଂକ୍ରମଣ କ୍ଷେତ୍ରରେ ଏ ଭଳି ସ୍ଥିତି ସୃଷ୍ଟି ହୋଇଥାଏ । ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ୍ ସହିତ ମିଶି ଶରୀର ବିରୁଦ୍ଧରେ ଲଢ଼ିଥାଏ । ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଫୁସ୍ଫୁସ୍ ନିକଟରେ ଜମା ହୋଇ ରହିଥାଏ ।

ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍ଷ୍ଟର୍ମ କୁହାଯାଏ । ଆଣ୍ଟିବଡ଼ି କୋଷିକା ଫୁସ୍ଫୁସ୍ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ ଯାହାଦ୍ୱାରା ଶରୀରର ରକ୍ତଚାପ କମିଯାଇ ଏହ ପ୍ରଭାବରେ ଲିଭର, କିଡ଼୍ନୀ, ହାର୍ଟ ଓ ଫୁସ୍ଫୁସ୍ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ । ଏଭଳି ସ୍ଥିତିରେ କରୋନା ସଂକ୍ରମଣର ପ୍ରଭାବ ବଢ଼ିଯାଏ । ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ । କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍ଫୁସ୍ର ଫାଇବ୍ରୋସିନ୍କୁ କମ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ । ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍ ଷ୍ଟର୍ମ ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା । ଏଚ୍-୧ଏନ୍-୧ ସ୍ୱାଇନ୍ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ୱାସ ହେଉଛି । ସାଧାରଣତଃ ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ୱାଭାବିକ କରିବା ଲାଗି ଷ୍ଟିରଏଡ଼ର ବ୍ୟବହାର କରାଯାଇଥାଏ । ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡ଼ର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ । ଶରୀରରେ ସାଇଟୋକାଇନ୍ ଷ୍ଟର୍ମ ସୃଷ୍ଟି ହୋଇଥିବା ବିଷୟରେ ସହଜରେ ଜଣାପଡ଼ିନଥାଏ । ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ । ଏ କ୍ଷେତ୍ରରେ ଟୋସିଲିଜୁମାଚ୍ ବେଶ ସଫଳତାର ସହିତ କାମ କରିଥାଏ ବୋଲି ଗବେଷକ ମତ ଦେଉଛନ୍ତି ।

ଆସନ୍ତୁ କରୋନା ପ୍ରତିରୋଧ ସମ୍ପର୍କରେ କିଛି ସମ୍ୟକ ଜିନିଷ ଜାଣିବା :

ମାନସିକ ଓ ଶାରୀରିକ ଚାପ କୋଷକୁ ପ୍ରଭାବିତ କରେ । ମାନସିକ ଚାପ ଯୋଗୁ ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ହର୍ମୋନାଲ ଓ ନର୍ଭସ ସିଷ୍ଟମରେ ବି କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଯାହା ପ୍ରତିରୋଧକ ଶକ୍ତିରେ ବାଧା ଆଣେ । ମୂଷା ଶରୀରରେ ଅନୁଧ୍ୟାନ କରାଯାଇ ଦେଖାଯାଇଛି ଯେ, ବିଷାଦ ଯୋଗୁ ସଂକ୍ରମଣ ବିରୋଧୀ ଆଣ୍ଟିବଡ଼ିଜ ସୃଷ୍ଟି କରିବାରେ ବିଳମ୍ବ ହେଉଛି । ଏଣୁ ପ୍ରତିଦିନ ୬ରୁ ୭ଘଣ୍ଟା ଶୁଅନ୍ତୁ ଓ ବିଷାଦ ମୁକ୍ତ ହୁଅନ୍ତୁ । ଏଥିଲାଗି ବ୍ୟାୟାମ କରନ୍ତୁ, ମୁ୍ୟଜିକ ଶୁଣନ୍ତି ଓ ଡ୍ୟାନ୍ସ କରନ୍ତୁ । ଶୀତଦିନେ ବେଶୀ ଶୋଷ କରେନି । ଡିହାଇଡ୍ରେସନ ହୁଏ । ଏହାଦ୍ୱାରା ନାକ ଓ ଗଳା ଭିତରର ସୂକ୍ଷ୍ମତ୍ୱଚା ଶୁଷ୍କ ହୋଇ ସଂକ୍ରମଣ ହେବାର ଆଶଙ୍କା ଉପୁଜେ । ଡିହାଇଡ୍ରେସନ ଯୋଗୁ ରକ୍ତ ବହଳିଆ ହୋଇ ଫମ୍ପିରେ ହାର୍ଟ ଉପରେ ଚାପ ସୃଷ୍ଟି କରେ । ଶ୍ୱେତ ରକ୍ତକଣିକା ଓ ଟି-ସେଲ୍ ଯାହା ସଂକ୍ରମଣ ବିରୋଧରେ ଲଢ଼ନ୍ତି ସେଗୁଡ଼ିକ ବି ପ୍ରଭାବିତ ହୁଅନ୍ତି । ଏଣୁ ଶୀତଦିନେ ପ୍ରଚୁର ପାଣି ପିଅନ୍ତୁ ।  ମୁକ୍ତ ଓ ବିଶୁଦ୍ଧ ବାୟୁରେ ବ୍ୟାୟାମ କଲେ ଫୁସ୍ଫୁସ୍ ସୁସ୍ଥ ରହେ । ଏହା ସହ ସଂକ୍ରମଣର ଆଶଙ୍କା ମଧ୍ୟ ରହିନଥାଏ । କିନ୍ତୁ ପ୍ରଦୂଷିତ କଣିକା ରହିଥିବା ବାୟୁ ଶୀତଦିନ ସକାଳେ ଓ ସନ୍ଧ୍ୟାରେ ବେଶୀ ରହିଥାଏ ।

କମ୍ ତାପମାତ୍ରାରେ ପ୍ରଦୂଷିତ କଣିକା ଭୂପୃଷ୍ଠର ନିକଟତର ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜେ । ଏଣୁ ସକାଳେ କିମ୍ବା ସନ୍ଧ୍ୟାରେ କମ୍ ଚାଲନ୍ତୁ । ମଧ୍ୟାହ୍ନରେ ସମୟ ବାହାର କରି ବେଶୀ ଚାଲନ୍ତୁ । ମଧ୍ୟାହ୍ନ ରେ ସମୟ ବାହାର କରି ବେଶୀ ଚାଲନ୍ତୁ । ପ୍ରତି ମିନିଟରେ ଶହେ ଷ୍ଟେପ, ୩୦ ମିନିଟକୁ ୩ ହଜାର ଷ୍ଟେପ ଏମିତିରେ ସପ୍ତାହକୁ ପାଞ୍ଚଥର ଉପକାରୀ । ଏହା ପ୍ରତିରୋଧକଶକ୍ତି ଠିକ୍ ରଖିବାରେ ସାହାଯ୍ୟ କରେ । ବ୍ୟାୟାମ ଦ୍ୱାରା ଶଣୀରରେ ମାକ୍ରୋଫାଗସ୍ ସେଲ ବୃଦ୍ଧି ହୋଇ ଟି-ସେଲ ସହ ଏକାଠି ବ୍ୟାକ୍ଟେରିଆ ବିରୋଧରେ ଲଢ଼ନ୍ତି । ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରି ଶ୍ୱେତ ରକ୍ତକଣିକା ସର୍କୁଲେଟ କରିବାରେ ସାହାଯ୍ୟ କରେ । ମାନସିକ ଚାପ ବା ବିଷାଦ ବୃଦ୍ଧି କରୁଥିବା କର୍ଟିସଲ ସେଲ କ୍ଷରଣ ହ୍ରାସ ହେବା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।  ମାଂସ, ଡାଲି, ରେଡ଼ ମିଟ୍, ଶସ୍ୟଜାତୀୟ ଖାଦ୍ୟ ଓ ବିଭିନ୍ନ ପ୍ରକାରର କୋଳି ବି’କମ୍ପ୍ଲକ୍ସ ଲାଗି ଖାଇବା ଦରକାର । ଆଣ୍ଟି ଅକ୍ସିଡାଣ୍ଟ ପାଇଁ ପନିପରିବା ଖାଆନ୍ତୁ । ଲହୁଣିରେ ଥିବା ଉପକାରୀ ବ୍ୟାକ୍ଟେରିଆ ପ୍ରତିରୋଧକ କୋଷ ବୃଦ୍ଧି କରିଥାନ୍ତି । ଏଣୁ ଲହୁଣି ଖାଆନ୍ତୁ । କ୍ଷତିକାରକ ବ୍ୟାକ୍ଟେରିଆ ଓ ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଶ୍ୱେତ ରକ୍ତକଣିକା ଦରକାର ।

ମାଂସ, ଚିକେନ ଖାଇବା ଦ୍ୱାରା ପ୍ରତିରୋଧ କରିବାରେ ସାମର୍ଥ୍ୟ ଶରୀରକୁ ଯୋଗାଏ । କାରଣ ଏହି ଖାଦ୍ୟରେ ଜିଙ୍କ୍ ଓ ବି କମ୍ପ୍ଲେକ୍ସ ରହିଛି । ନିରାମିଷାଶୀମାନେ ସୋୟାବିନ ଓ ଡାଲିଜାତୀୟ ଖାଦ୍ୟ ଖାଆନ୍ତୁ । ଶାଗ ବି ଖାଇପାରିବେ । ଭିଟାମିନ କ’ ସବୁଜ, କମଳା କିମ୍ବା ହଳଦିଆ ରଙ୍ଗର ଫଳ ଓ ପରିବାରୁ ମିଳେ । ଅମୃତଭଣ୍ଡା, କଖାରୁ, ଗାଜର ଓ କନ୍ଦମୂଳ ଶୀତଦିନେ ଖାଦ୍ୟରେ ରହିବା ଜରୁରୀ । ଏହାର ଅଭାବରେ ପେଟ ଓ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଭିଟାମିନ ସି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଁଳା, ପିଜୁଳି, କଣ୍ଟାଜାତୀୟ ଫଳ ଲେମ୍ବୁ ଓ କମଳାରୁ ଏହା ମିଳିପାରିବ ।

ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ଼ ରହିଛି । ଏହା ଇନଫ୍ଲାମେସନରୁ ମୁକ୍ତି ଦିଏ ଓ ଫୁସ୍ଫୁସ୍କୁ ସଂକ୍ରମଣରୁ ରକ୍ଷା କରେ । ନିରାମିଷାଶୀମାନେ କୋଳି, କରଡ଼ି, ସୂର୍ଯ୍ୟମୁଖୀ ତେଲ, ସୋରିଷ ଓ ସୋୟା ତେଲ ଖାଇବା ଭଲ । ସେଲେନିୟମ ସ୍ଲେଫିସରେ ରହିଛି । ଏହା ଶ୍ୱେତ ରକ୍ତକଣିକାକୁ ସାଇଟୋକିନ୍ସ ପ୍ରୋଟିନ କ୍ଷରଣ କରିବାରେ ସାହାଯ୍ୟ କରେ ଯାହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ । ସପ୍ତାହକୁ ମାଛ ଦୁଇଥର ଓ ବିଭିନ୍ନ ପ୍ରକାରର କୋଳି ୮ରୁ ୧୦ଥର ଖାଆନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କୌଣସି ଔଷଧପତ୍ର ଖାଇବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ । କରୋନାକୁ ନେଇ ଆଦୌ ଭୟଭୀତ ହୁଅନ୍ତୁନାହିଁ । ଭଗବାନଙ୍କ ଉପରେ ଭରଷା ରଖନ୍ତୁ, ଡାକ୍ତରଙ୍କ ଉପରେ ବିଶ୍ୱାସ ରଖିବା ସହ ପରିବାର ଲୋକଙ୍କ ସହ ହସଖୁସିରେ ଜୀବନ ବିତାନ୍ତୁ

Leave A Reply