Odisha news

ଚାଷୀ ଆନ୍ଦୋଳନକୁ ଓଲ୍ଲାଇଲା ବିଜେଡି , ୭ ଦିନ ମଧ୍ୟରେ ଚାଉଳ ସଂଗ୍ରହ ନୀତି ପରିବର୍ତ୍ତନ କର : କେନ୍ଦ୍ରକୁ ଧମକାଇଲା ବିଜେଡି , ନଚେତ ଓଡ଼ିଶାର ଚାଷୀମାନେ ରାଜ୍ୟର ଗଳି କନ୍ଦିରେ ରାସ୍ତାକୁ ଓହ୍ଲାଇବେ

0

ଭୁବନେଶ୍ବର : କୃଷି ଆଇନକୁ ବିରୋଧ କରି ନୂଆଦିଲ୍ଲୀରେ ଚାଷୀଙ୍କ ମେଳି କେନ୍ଦ୍ର ସରକାରଙ୍କୁ ଅଣନିଶ୍ବାସୀ କଲାଣି। ଠିକ୍ ଏମିତି ସମୟରେ ଚାଷୀଙ୍କୁ ସାମ୍ନାରେ ରଖି ଆଜି ବିଜେଡି ଏକ ବଡ଼ ଗୋଟିଚାଳନା କରିଛି। ସିଧା ସିଧା କେନ୍ଦ୍ରକୁ ଚେତାବନୀ ଦେଇଛି ଯେ ୭ ଦିନ ଭିତରେ ତୁରନ୍ତ ଚାଉଳ ସଂଗ୍ରହ ନୀତି ପରିବର୍ତ୍ତନ କର। ବାକି ରଖିଥିବା ୬୦୪୦ କୋଟି ଟଙ୍କା ଦିଅ। ଅନ୍ୟଥା ଓଡ଼ିଶାର ଚାଷୀମାନେ ରାଜ୍ୟର ଗଳି କନ୍ଦିରେ ରାସ୍ତାକୁ ଓହ୍ଲାଇବେ। ସେ ସମୟରେ ବିଜେଡି ସେମାନଙ୍କୁ ସମର୍ଥନ କରିବ ଓ ଚାଷୀଙ୍କ ସପକ୍ଷରେ ଛିଡ଼ା ହେବ।

ବିଜେଡିର ଏଭଳି ଆକ୍ରମଣାତ୍ମକ ଓ ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପୂର୍ବରୁ ସ୍ବାମୀନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦ୍ବିଗୁଣିତ କରିବା ଦାବି ଦଳ ଉଠାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଏ ସଂକ୍ରାନ୍ତରେ ଏକ ସଂକଲ୍ପ ପାରିତ ହୋଇଥିଲା। ତା’ ପରେ ବିଜେଡିର ଗୋଟିଚାଳନା ପରୋକ୍ଷରେ ସଙ୍କେତ ଦେଉଛି ଯେ ବିଜେଡି ଆଗକୁ ଚାଷୀଙ୍କୁ ଅସ୍ତ୍ର କରି କେନ୍ଦ୍ରକୁ ଘେରିପାରେ।

ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପଶ୍ଚିମ ଓଡ଼ିଶାର ତିନି ଜଣ ନେତାଙ୍କୁ ସାମ୍ନାରେ ରଖି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ଏଥିରେ ଦଳର ବିଧାୟିକା ତଥା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ରୋହିତ ପୂଜାରୀ ଏବଂ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ ଓଡ଼ିଶାରେ ଧାନ ଉତ୍ପାଦନ ବୃଦ୍ଧି ପାଇଛି ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଥିବା ଦେଶର ଶ୍ରେଷ୍ଠ ୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ହେଲେ କେନ୍ଦ୍ର ସରକାରଙ୍କ ନୀତି ଏବଂ କାର୍ଯ୍ୟ ଓଡ଼ିଶା ଚାଷୀଙ୍କ ପାଇଁ କାଳ ହେଲାଣି।

ନିକଟରେ କେନ୍ଦ୍ର ସରକାର ରାଜ୍ୟକୁ ଏକ ଚିଠି ଲେଖିଛନ୍ତି ଯେ ସେମାନେ ମୂଳ ଆକଳନର ୫୦ ପ୍ରତିଶତ ଉଷୁନା ଚାଉଳ ନେବେ। ଏହାବ୍ୟତୀତ ଆଉ ବଳକା ଚାଉଳ ନେବେ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଜବରଦସ୍ତ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ତଥ୍ୟ ଦେଇ ବିଜେଡି କହିଛି, ୨୦୧୯-୨୦ରେ ଖରିଫ୍ ଋତୁରେ ୫୩.୩୧ ଲକ୍ଷ ମେଟ୍ରିକ୍ ଟନ୍ ଓ ରବି ଋତୁରେ ୧୭.୨୫ଲକ୍ଷ ମେଟ୍ରିକ୍ ଟନ୍ ଏହିଭଳି ମୋଟ ୭୧ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ଏଥିରୁ ୪୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଳିଥିଲା। ସେ ମଧ୍ୟରୁ ୨୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରାଜ୍ୟରେ ବ୍ୟବହାର ହୋଇଥିଲା ଓ ୧୭ଲକ୍ଷ ମେଟ୍ରିକ୍ ଟନ୍ ଏଫ୍‌ସିଆଇ ନେଇଥିଲା। ୭ଲକ୍ଷ ମେଟ୍ରିକ୍ ଟନ୍ ପିଏମ୍‌ଜିକେଏଵାଇ ଯୋଜନାରେ ବ୍ୟବହାର ହୋଇଥିଲା। ୨୦୨୦-୨୧ରେ ୩୫.୪୯ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଲାଣି। ଆଉ ପାଖାପାଖି ୩୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ। ରବି ଋତୁରେ ୧୭ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି। ଏହିଭଳି ୮୨ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ ବୋଲି ଆକଳନ କରାଯାଉଛି। ଏଥିରୁ ପ୍ରାୟ ୫୫ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଳିବ। ଏହି ସମସ୍ତ ଚାଉଳ ହେଉଛି ଉଷୁନା।

ଏଥିରୁ ୨୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରାଜ୍ୟରେ ବ୍ୟବହାର ହେବ। ସଂଶୋଧିତ ନିଷ୍ପତ୍ତି ଅନୁସାରେ, ୫୦ ପ୍ରତିଶତ ଅର୍ଥାତ୍ ୧୦ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫ୍‌ସିଆଇ ନେବ। ଏପରିସ୍ଥିତିରେ ବଳକା ୨୧ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ, ଯାହାର ମୂଲ୍ୟ ପାଖାପାଖି ୭୩୫୦ କୋଟି ଟଙ୍କା ହେବ, ତାକୁ କିଏ ନେବ? ଯଦି ଏଫ୍‌ସିଆଇ ନେବନାହିଁ. ଏହାର ସାଂଘାତିକ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବ ବୋଲି ବିଜେଡି କହିଛି। ଏଥିସହିତ କେନ୍ଦ୍ର ସରକାର ତାଙ୍କର କୃଷି ବିରୋଧୀ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ବଳକା ୩୧ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା ପାଇଁ ଦଳ ଦାବି କରିଛି।

ବିଜେଡି ଆହୁରି କହିଛି, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଋଣ କରି ଲୋକଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିଥାଏ। ଏବର୍ଷ ଏବେ ସୁଦ୍ଧା ୬୫୫୦ କୋଟି ଟଙ୍କାର ଧାନ କିଣା ସରିଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ସବ୍‌ସିଡି ବାବଦରେ କେନ୍ଦ୍ର ସରକାର ୬୦୪୦ କୋଟି ଟଙ୍କା ବକେୟା ରଖିଛନ୍ତି। ଏହାଦ୍ବାରା ରାଜ୍ୟ ଅର୍ଥନୀତି ଉପରେ ବଡ଼ ଚାପ ପଡୁଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କିନ୍ତୁ ପୂରା ବେଫିକର ଅଛନ୍ତି। ଯଦି ସେମାନେ ଏହି ଅର୍ଥ ତୁରନ୍ତ ପ୍ରଦାନ କରନ୍ତି, ତେବେ ପ୍ରଶଂସା ପାଇବାକୁ ହକ୍‌ଦାର। ଅନ୍ୟଥା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏକଥା ଓଡ଼ିଶାବାସୀଙ୍କ ଆଗରେ ଖୋଲିଦିଆଯିବ ବୋଲି ଧମକ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ନେତାମାନେ କହିଛନ୍ତି, ଦଳ ସବୁବେଳେ ଚାଷୀଙ୍କ ସହିତ ରହିଛି ଓ େସମାନଙ୍କ ବିକାଶ ପାଇଁ ଲଢ଼ୁଛି। ଦଳ ସବୁ ବେଳେ ଏକଥା ବି ଚାହେଁ ଯେ ସ୍ବାମୀନାଥନ୍ କମିଟି ରିପୋର୍ଟ ଲାଗୁ କରାଯାଉ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ ହେଉ। ଏପରିକି ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରାଯାଉ; ଯାହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଆସିଛନ୍ତି। କିନ୍ତୁ ବିଜେଡି ଏ ନେଇ ଆଗକୁ ଲଢେଇ ଜାରି ରଖିବ।

ଇନ୍ଦ୍ରାବତୀ ପ୍ରକଳ୍ପ ଉଦ୍‌ଘାଟନ ସଂପର୍କରେ ସୂଚନା ଦେଇ ବିଜେଡି ନେତାମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତାରେ ବିେଜପି ଈର୍ଷାନ୍ବିତ ହୋଇ ୨୧ ତାରିଖରେ ଗୋଟିଏ ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ଯାଉଛି। ହେଲେ େସମାନେ ତାଙ୍କ ଉଦ୍ଦେଶ୍ୟ ସାଧନରେ ସଫଳ ହେବେ ନାହିଁ। ବିଜେପି ସବୁବେଳେ ଚାଷୀ ଓ ତାଙ୍କ ସ୍ବାର୍ଥ ବିରୋଧରେ ରହିଆସିଛି ବୋଲି ବିଜେଡି କହିଛି।

Leave A Reply