Odisha news

ଭାରତମାଳା ଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ଛଅ ଲାଇନ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନେଇ ଦ୍ଵନ୍ଦ ରେ ସ୍ଥାନୀୟ ବାସିନ୍ଦା।

0

ବୋରିଗୁମ୍ମା (K.sakil Dora)—–ଭାରତ ସରକାରଙ୍କ ଭାରତ ମାଳା ଯୋଜନାରେ ଛତିଶଗଡ଼ ରାଜ୍ୟର ରାୟପୁର ଠାରୁ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଯାଉଥିବା ଛଅ ଲାଇନ ରାସ୍ତା ପାଇଁ ଜମି ଅଧିଗ୍ରହଣ ନ ହେଉଣୁ ଦ୍ଵନ୍ଦ ରେ ସ୍ଥାନୀୟ ବାସିନ୍ଦା। ଭାରତମାଳା ଯୋଜନାରେ ହେବାକୁ ଥିବା ଛଅ ଲାଇନ ରାସ୍ତା କିପରି ହେବ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେଉଁ ଏରିଆ ଦେଇ ଯିବ ତାକୁ ନେଇ ଚିନ୍ତାରେ ଜମି ହରାଉଥିବା ଲୋକ। ଅନ୍ୟ ପଟେ ଭାରତ ସରକାରଙ୍କ ଜାତୀୟ ରାଜପଥ ବିଭାଗ ଛଅ ଲାଇନ ରାସ୍ତା ନିର୍ମାଣ ନେଇ ରାସ୍ତା ଧିରେ ଧିରେ ସଫା କରୁଛି। ପ୍ରକାଶ ଥାଉକି ଭାରତମାଳା ଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ରାସ୍ତା ୪୬୪.୬୬୨ କିଲୋମିଟର ହେଉଛି। ସେଥି ମଧ୍ୟରୁ ଛତିଶଗଡ଼ ରାଜ୍ୟ ଦେଇ ୧୨୪.୬୬୧ କିଲୋମିଟର ରାସ୍ତା ଯାଉଥିବା ବେଳେ ଓଡ଼ିଶା ରାଜ୍ୟ ଦେଇ ୨୪୦.୩୭୨  କିଲୋମିଟର ରାସ୍ତା ଯାଉଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଦେଇ ମାତ୍ର ୯୯.୬୧୨ ରାସ୍ତା ଯାଉଥିବା ଜଣାଯାଇଛି। ତେବେ ଓଡିଶା ର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦେଇ ଭାରତମାଳା ଯୋଜନାରେ ରାସ୍ତା ଯାଉଛି। ନବରଙ୍ଗପୁର ଜିଲ୍ଲା ଦେଇ ୧୧୪.୯୮୯ କିଲୋମିଟର ରାସ୍ତା ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଦେଇ ୧୨୫.୩୮୩ କିଲୋମିଟର ରାସ୍ତା ଯାଉଛି। ଭାରତ ସରକାରଙ୍କ ଜାତୀୟ ରାଜପଥ ବିଭାଗ ଦର୍ଶାଇଛନ୍ତି ଯେ ପୂର୍ବରୁ ରାୟପୁର ଠାରୁ ବିଶାଖାପାଟଣା ୫୧୪ କିଲୋମିଟର ହେଉଥିଲା। ଗାଡି ଯଦି ୪୦ କିଲୋମିଟର ପ୍ରତି ଘଣ୍ଟା ଯାଏ ତେବେ ରାୟପୁର ରୁ ବିଶାଖାପାଟଣା ଯିବା ପାଇଁ ୧୩ ଘଣ୍ଟା ଆବଶ୍ୟକ ହେଉଥିଲା। ଭାରତମାଳା ଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ମାତ୍ର ୪୬୪ କିଲୋମିଟର ହେବ। ଟ୍ରାଫିକ ବିହୀନ  ଛଅ ଲାଇନ ରାସ୍ତା ଯୋଗୁଁ ଗାଡି ୭୦ କିଲୋମିଟର ଘଣ୍ଟା ପ୍ରତି ଯାଏ , ତେବେ ରାୟପୁର ଠାରୁ ବିଶାଖାପାଟଣା ମାତ୍ର ୭ ଘଣ୍ଟା ରେ ପହଂଚିପାରିବ।ଏହି ରାସ୍ତା ନିର୍ମାଣ ଦ୍ୱାରା ରାୟପୁର ରୁ ବିଶାଖାପାଟଣା ୫୦ କିଲୋମିଟର କମ ହେବା ସହ ଛଅ ଘଣ୍ଟା କମିବ। ସେହିଭଳି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦେଇ ମୋଟ ୨୪୦ କିଲୋମିଟର ରାସ୍ତା ଯାଉଛି। ଭାରତମାଳା ଯୋଜନାରେ ଛଅ ଲାଇନ ରାସ୍ତା ନିର୍ମାଣ ହେଲେ ଲୋକେ ବିଶାଖାପାଟଣା ଖୁବ କମ ସମୟ ମଧ୍ୟରେ ପହଁଚିପାରିବେ।ନବରଙ୍ଗପୁର ଜିଲ୍ଲାର ଛଅ ବ୍ଲକ ଦେଇ ଛଅ ଲାଇନ ରାସ୍ତା ଯାଉଥିବା ବେଳେ କୋରାପୁଟ ଜିଲ୍ଲାର ପାଞ୍ଚ ବ୍ଲକ ଦେଇ ରାସ୍ତା ଯାଉଛି।ଛଅ ଲାଇନ ରାସ୍ତା ନିର୍ମାଣ ହେବା ଦ୍ୱାରା ଦୁଇ ଜିଲ୍ଲାର ଅର୍ଥନୀତି ମଧ୍ୟ ବଦଳିବ ବୋଲି କୁହାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ରାଶି କୁ ନେଇ ଦ୍ଵନ୍ଦ ରେ ପଡିଛନ୍ତି ଜମି ହରାଉଥିବା ସ୍ଥାନୀୟ ଲୋକେ। ବୋରିଗୁମ୍ମା ବ୍ଲକ ର ସର୍ଗିଗୁଡା ପଞ୍ଚାୟତ ର ସାନଦୁବୁଲି ଗ୍ରାମର ପ୍ରାୟ ୨୦ ରୁ ୨୫ ଲୋକଙ୍କ ଜମି ଯାଉଥିବା କହିଛନ୍ତି ସାନଦୁବୁଲି ବାସିନ୍ଦା। ଜାତୀୟ ରାଜପଥ କତ୍ତୃପକ୍ଷ ଆସି ରାସ୍ତା ମେପିଙ୍ଗ କରି ପଥର ପୋତି ଯାଇଛନ୍ତି। ସାନଦୁବୁଲି ଗ୍ରାମର ରାମଚନ୍ଦ୍ର ଭୁମିଆ, ପଦଲାମ ନାୟକ, ମଧୁ ପୂଜାରୀ, ଉଦୟ ନାୟକ,ଭାଗିରଥି ପେଂଠିଆ, ଗୁରୁ ପୂଜାରୀ, ଅର୍ଜୁନ ଭୁମିଆ, ତ୍ରିନାଥ ପୂଜାରୀ ଙ୍କ ଭାଲିଆବାଡ଼, ନୀଳଗିରି ବାଡ ଓ ଚାଷ ଜମି ଛଅ ଲାଇନ ରାସ୍ତା ପାଇଁ ହରାଉଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଛଅ ଲାଇନ ରାସ୍ତା ପାଇଁ ୨୫୨.୩୧୯ ହେକ୍ଟର ଜମି ଅଧିଗ୍ରହଣ ହେବାକୁ ଯାଉଥିବା ବେଳେ କୋରାପୁଟ ଜିଲ୍ଲାରେ ୧୦୮.୮୨୪ ଜମି ଅଧିଗ୍ରହଣ ହେବ ବୋଲି ଜାତୀୟ ରାଜପଥ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଜମି ର ମୂଲ୍ୟ ବହୁତ କମ ଥିବା କହିଛନ୍ତି ସାନଦୁବୁଲି ବାସିନ୍ଦା। ଡଙ୍ଗର– ୧ ଜମି ପାଇଁ ଏକର ପିଛା ୩୦ ହଜାର ଟଙ୍କା ଜାତୀୟ ରାଜପଥ କତ୍ତୃପକ୍ଷ ରଖିଥିବା ବେଳେ ଡଙ୍ଗର–୨ ପାଇଁ ୨୭ ହଜାର ଓ ଡଙ୍ଗର—୩ ପାଇଁ ୨୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଜମି ର ମୂଲ୍ୟ ଏତେ କମ ଟଙ୍କା ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ଆଜିର ଦିନରେ ଡଙ୍ଗର ଜମି ର ମୂଲ୍ୟ ଏକର ପିଛା ୫ ରୁ ୬ ଲକ୍ଷ ଟଙ୍କା ରହିଛି। ସରକାର ଏକର ପିଛା ୧୦ ଲକ୍ଷ ଟଙ୍କା ଦିଅନ୍ତୁ ବୋଲି ଦାବୀ କରିଛନ୍ତି ଜମି ହରାଉଥିବା ଲୋକେ। ଏଣୁ ଜମି  ମୂଲ୍ୟ କମ ହେଲେ ଜମି ଛାଡ଼ିବୁ ନାହିଁ ,ଦରକାର ପଡ଼ିଲେ ରାଜରାସ୍ତା କୁ ଓଲ୍ଲାଇବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply