Odisha news

ପୋଲିସ ମାଡ ପାଇଁ ଯୁବକର ମୃତ୍ୟୁ ଅଭିଯୋଗ : ଉତ୍ୟକ୍ତ ଲୋକ ଜାଳି ଦେଲେ ଥାନା ଗାଡି

0

ତିହିଡି (ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ଜିଝାରପୁର ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବକ ବାପି ମହାଳିକ(୧୮)ଙ୍କ ମୃତ ଦେହକୁ ବୁଧବାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ପୋଲିସ ମାଡ ପାଇଁ ଯୁବକର ମୃତୁ୍ୟ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲୀନଗର ଛକରେ ଯୁବକଙ୍କ ମୃତ ଦେହ ରଖିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଥିସହ ଉତ୍ତ୍ୟକ୍ତ ଲୋକେ ପୀରହାଟ ଥାନା ଗାଡିକୁ ନିଆଁ ଲଗାଇ ଜାଳି ଦେଇଥିଲେ । ଘଟଣାର ପ୍ରାୟ ଘଣ୍ଟାଏ ପରେ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଏଏସ୍ପି ଯତିନ ପଣ୍ଡା, ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ଚାନ୍ଦବାଲି ଏସଡିପିଓ ଉମାଶଙ୍କର ମହାରଣା, ସରପଞ୍ଚ ଶରତ ମଳିକ ପ୍ରମୁଖ ମୃତ ଯୁବକଙ୍କ ପରିବାର ସହିତ ଆଲୋଚନା କରିଥିଲେ । ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

ସେହିପରି ଯୁବକଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିବା ପରେ ରାସ୍ତାରୋକ ହଟିଥିଲା । ପରେ ମୃତ ଯୁବକଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା । ଘଟଣାରୁ ଜଣାଯାଇଛି ଯେ, ବୁଧବାର ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ତିହିଡି ଥାନାର କିଛି ପୋଲିସ ଜିଝାରପୁର ଗାଁର ଅଶୋକ ମହାଳିକ ନାମକ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିଲେ । ପୋଲିସ ଗାଡି ଅଶୋକଙ୍କ ଘର ନିକଟରେ ରହିଥିଲା । ଭଉଣୀ ଘରେ ରହୁଥିବା ହାଟୁଆରୀ ଗ୍ରାମର ଦିବ୍ୟାଙ୍ଗ ବାପି ଭୟଭୀତ ହୋଇ ଦୌଡି ପଳାଇଥିଲେ । ପୋଲିସ ତାଙ୍କ ପିଛା କରିବାରୁ ବାପି ଏକ ଦଳ ପୋଖରୀକୁ ଡେଇଁ ପଡିଥିଲେ । ପୋଲିସ ବାପିଙ୍କୁ ଉଦ୍ଧାର କରିବାକୁ ପୋଖରୀକୁ ପଶିଥିଲେ ମଧ୍ୟ ଉଦ୍ଧାର କରି ନପାରି ତିହିଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ବାପିଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ବାପିଙ୍କ ମୃତ ଦେହକୁ କର୍ମଚାରୀ ମାନେ ଉଦ୍ଧାର କରିଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ବାପିଙ୍କୁ ପିଟିବାରୁ ସେ ଭୟଭୀତ ହୋଇ ପୋଖରୀକୁ ଡେଇଁ ପଡିବାରୁ ତାଙ୍କର ମୃତୁ୍ୟ ଘଟିଥିଲା ଏବଂ ବାପିଙ୍କ ମୃତୁ୍ୟ ପାଇଁ ପୋଲିସ ଦାୟୀ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ପରେ ଉତ୍ତ୍ୟକ୍ତ ଲୋକେ ଅଲ୍ଲୀନଗର ଛକ ଠାରେ ଟାୟାର ଜାଲି ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ପୀରହାଟ ଥାନା ଗାଡି ନଂ-ଓଡି୦୫ଏ-୫୬୮୦ରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାକୁ ନିଆଯାଉଥିଲା । ଉତ୍ତ୍ୟକ୍ତ ଲୋକେ ଗାଡି କୁ ଅଟକାଇ ଭିତରେ ଥିବା କନେଷ୍ଟବଳ ବିମ୍ବାଧର ମୁର୍ମୁଙ୍କୁ ଆକ୍ରମଣ କରିଥିଲେ । ଗାଡିରେ ଥିବା ଅଭିଯୁକ୍ତ ଓ ଗାଡି ଚାଳକ ଭୟରେ ସେଠାରୁ ପଳାଇ ଯାଇଥିଲେ । ପରେ ଲୋକେ ଥାନା ଗାଡିକୁ ନିଆଁ ଲଗାଇ ଜାଳି ଦେଇଥିଲେ । ଆକ୍ରମଣରେ ଆହତ କନେଷ୍ଟବଳ ମୁର୍ମୁଙ୍କୁ ଚିକତ୍ସାଲାଗି ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉତ୍ତେଜନା ବୃଦ୍ଧି ପାଇବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସି ଆଲୋକ ଜେନା, ଚାନ୍ଦବାଲି ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି, ତିହିଡି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂହଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଘଟରାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ ।

Leave A Reply