ରାୟଗଡା,୧୧ ।୧(Rabindra Patkhandal) : )-ପୂର୍ବତନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଠାର ରାୟଗଡ଼ା ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ସୋରଜ କୁମାର ମିଶ୍ର । ଦାୟୀତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲାରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଦିର୍ଘ ୨୧ ବର୍ଷ ପରେ ଜିଲ୍ଲାରେ ପୁଣି ଥରେ କାମ କରିବାର ସୁଯୋଗ ମିଳିଛି । ରାୟଗଡା ଜିଲ୍ଲା ନୂଆ କରି ଗଠନ ହେବା ପରେ ଜିଲ୍ଲାର ଭିତିଭୂମିର ବିକାଶ ପାଇଁ କାମ କରିଛି । ମୋ ଚାକିରୀ ଜୀବନ ଯେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା ସେହି ସ୍ଥାନକୁ ଜିଲ୍ଲାପାଳ ଭାବେ ଆସିଛି । ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ରହିଥିବାରୁ ଶିକ୍ଷାର ଭିତିଭୂମି ସଜାଡ଼ିବା ସହ ଶିକ୍ଷାର ବିକାଶରେ ଗୁରୁତ୍ୱ ଦେବି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ନୂତନ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା, ଜନଜାତି ବିକାଶ, ଗାଁ ଗହଳରି ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବ ପାଇଁ ଗୁରୁତ୍ୱ ଦେବି ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରକାଶ କରିଥିଲେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ମିଶ୍ର ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାରଙ୍କ ସହ ରାଜସ୍ୱ ସଂପର୍କିତ ସମୀକ୍ଷା କରିବା ସହ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସମଗ୍ର ଶିକ୍ଷା ଅଭିଯାନ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ସ୍କୁଲ ଖୋଲିବା ନେଇ ସମୀକ୍ଷା କରିଥିଲେ ।
ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାୟଗଡା ଓ ଗୁଣପୁରଙ୍କ ସହ ବିଭାଗରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ସେତୁ ନିର୍ମାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ବାକି କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନଙ୍କ ସହ ମଣ୍ଡି ପରିଚାଳନା ସଂପର୍କରେ ପଚାରି ବୁଝି କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାର ବିକାଶ ପାଇଁ ସମସ୍ତ ଅଧିକାରୀ ନିଜ ନିଜ କାର୍ଯ୍ୟକୁ ସୂଚାରୁରୂପେ ସଂପାଦନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।