Odisha news

ସରକାରୀ ଶିକ୍ଷା ବ୍ୟବସ୍ଥା ଅନୁଚିନ୍ତା

0

କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ : ରାଷ୍ଟ୍ରକୁ ମହାଶକ୍ତିଶାଳୀ ବନାଇବାକୁ ଚାହିଁଲେ ପ୍ରଥମେ ପ୍ରତିଟି ସରକାରୀ ସ୍କୁଲର ବିକାଶ ସମ୍ଭାବନାକୁ ଧ୍ୟାନରେ ରଖିବାକୁ ହେବ । କାରଣ ଏଠାରେ ସାର୍ବଜନୀନ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ । ସଶକ୍ତ ଓ ସମୃଦ୍ଧ ସରକାରୀ ସ୍କୁଲ ହିଁ ସଶକ୍ତ ଓ ସମୃଦ୍ଧ ରାଜ୍ୟ/ରାଷ୍ଟ୍ର ଗଠନ କରିପାରିବ । ସରକାରୀ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ ଜାତୀୟ ଜୀବନ ମଧ୍ୟ ଦୁର୍ବଳ ହେବ । ସମାଜରେ ସାମ୍ୟବାଦ ସୃଷ୍ଟି କରିବା ପାଇଁ ସରକାରୀ ସ୍କୁଲ ସମସ୍ୟାକୁ ସମାଧାନ କରିବାକୁ ପ୍ରାଥମିକତା ଦେବାକୁ ହେବ । ଏ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ କଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ । ଦେଶର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତୀୟ ଶିକ୍ଷା ବ୍ୟବସ୍ଥା ଆପଣାଇବା ଆବଶ୍ୟକ । ବିଦେଶୀ ଶିକ୍ଷା ମାଧ୍ୟମରେ ତାହା ଲୋପ ପାଇଯିବା ଆଶଙ୍କା ଅଛି ।

ଏଣୁ ଦେଶରେ ବା ରାଜ୍ୟରେ ବିଶ୍ୱସ୍ତରୀୟ ଶୈକ୍ଷିକ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦିଅନ୍ତୁ । ସଶକ୍ତ ଆତ୍ମନିର୍ଭରଶୀଳ ରାଷ୍ଟ୍ର ବା ରାଜ୍ୟ ନିର୍ମାଣ ସକାଶେ ସରକାରୀ ସ୍କୁଲ ସୁରକ୍ଷା ଓ ସମୃଦ୍ଧି ଲାଗି ଦେଶବାସୀ ସଙ୍କଳ୍ପବଦ୍ଧ ହୁଅନ୍ତୁ । ଅପାରଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଏକ ନିରନ୍ତର ପ୍ରକ୍ରିୟା ହେଉ । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ ପଦକ୍ଷେପ ନିଆଯାଉ । ଧୁଆଅଧୁଆ ମୂଳା ଅଲଗା କଲାପରି ଦକ୍ଷ ଅଦକ୍ଷଙ୍କୁ ଚିହ୍ନଟ କରାଯାଉ । ଯୋଗ୍ୟ ଶିକ୍ଷକ ସମର୍ଥ ମାନବ ସମ୍ବଳ ପ୍ରସ୍ତୁତ କଲେ ସମୃଦ୍ଧ ରାଜ୍ୟ ବା ରାଷ୍ଟ୍ରଗଠନ ସମ୍ଭବ ହେବ । ମାତ୍ର ଏ କ୍ଷେତ୍ରରେ ଅଯୋଗ୍ୟ ଶିକ୍ଷକ ବଡ ପ୍ରତିବନ୍ଧକ ଏବଂ ବିପଦ ମଧ୍ୟ । ଏବେଠୁ ଏହାର ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ହେବ । ଅନ୍ୟଥା ସରକାରୀ ଶିକ୍ଷାର ବ୍ୟବସ୍ଥା ଅସମ୍ଭାଳ ହେବା ସୁନିଶ୍ଚିତ ।

ଘରୋଇ ଭାବରେ ପରିଚାଳିତ ଫୋନ, ବିମାନ, ବିଦୁ୍ୟତ ଆଦି ସେବାରେ ଲୋକେ ଶୋଷଣର ଶିକାର ହେବା ପରି ଶିକ୍ଷାକୁ ଘରୋଇ କରଣ ଅର୍ଥ ମାନବ ସମ୍ବଳର ସମାଧି ଘଟିବା ନିଶ୍ଚିତ । ପୁଞ୍ଜିପତିଙ୍କ ଦ୍ୱାରା ପରିଚାଳିତ ଘରୋଇ ଶିକ୍ଷା ସାମାଜିକ ଅସମାନତା ମଧ୍ୟ ବୃଦ୍ଧି କରିବ । ମାତ୍ର ସମାଜରେ ସାମ୍ୟବାଦ ସୃଷ୍ଟି ସକାଶେ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥା ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ । ଏଣୁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରିବା ନିମନ୍ତେ ପ୍ରଶାସନ ଆନ୍ତରିକତା ପ୍ରକାଶ କଲେ ଏକ ସମୃଦ୍ଧ ତଥା ବିକଶିତ ରାଜ୍ୟ/ରାଷ୍ଟ୍ର ସମ୍ଭବ ହେବ । ଏଣୁ ସରକାରୀ ସ୍କୁଲ ସୁରକ୍ଷା ଓ ସଶକ୍ତିକରଣ ଯୋଜନା ରାଜ୍ୟ ଓ କେନ୍ଦ୍ରସ୍ତରରେ ପ୍ରସ୍ତୁତି ପାଇଁ ପ୍ରାଧାନ୍ୟ ଦିଆଯାଉ । ସବୁ ବର୍ଗର ଲୋକେ ଏଦିଗରେ ସଚେତନ ହେବା ନିହାତି ଜରୁରୀ । ଶିକ୍ଷା ଗ୍ରହଣ ସମୟରେ ପିଲାଙ୍କୁ ମୁର୍ଖକରି ଶିକ୍ଷା ପ୍ରଶାସନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେଇ ପଣ୍ଡିତ କରିବା ତଥା ରାଜସ୍ୱକୁ ବରବାଦ କରିବା ଏବଂ ଆତ୍ମସାତ କରିବା ବ୍ୟବସ୍ଥାକୁ ସମ୍ମିଳିତ ବିରୋଧ ହେବା ଜରୁରୀ । ଏହାକୁ ବିରୋଧ କରିବା ପାଇଁ ସମସ୍ତେ ସତର୍କ ରହିବା ସହ ସଂଙ୍କଳ୍ପ ନେବା ଆବଶ୍ୟକ କାରଣ ଅଭିଭାବକଙ୍କ ଚିନ୍ତାଧାରା ଉପରେ ବିଦ୍ୟାଳୟର ବିକାଶ ତଥା ଶିକ୍ଷା ମାନଦଣ୍ଡର ଅଭିବୃଦ୍ଧି ନିର୍ଭର କରେ ।

ଏଥିପାଇଁ ଜନତାଙ୍କ ଦୃଷ୍ଟି ଭଙ୍ଗୀର ପ୍ରସାର ହୋଇପାରିଲେ ସରକାରୀ ବିଦ୍ୟାଳୟ ସମୃଦ୍ଧ ହେବ । ଦେଶରେ ଜାତୀୟ ଶିକ୍ଷାର ମହିୟସୀ ଶକ୍ତି ଉପଲବଧି ହେବ । ବିଦ୍ୟାଳୟ ପ୍ରତିଷ୍ଠାତାମାନଙ୍କ ଉତ୍ତରପିଢି ଏହାକୁ ଅତି ଉଚ୍ଚସ୍ଥାନ ଦେବା ଆବଶ୍ୟକ । ମାତ୍ର ସେମାନେ ଆପେ ବଞ୍ଚିଲେ ବାପର ନାଁ ମନ ନେଇ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବାକୁ ବ୍ୟଗ୍ର ହେଉଛନ୍ତି । ଏଣୁ ଶିକ୍ଷା ବ୍ୟବସ୍ଥାରେ ଅସମାନତା ଦୂର ନ ହେଲେ ରାଜ୍ୟ ବା ରାଷ୍ଟ୍ରର ଅର୍ଥନୈତିକ ଓ ସାମାଜିକ ବ୍ୟାଧି ଉଗ୍ରରୂପ ନେବ । ଏଥିପାଇଁ ସରକାର ଶିକ୍ଷାନୀତି ନିର୍ଦ୍ଧାରଣ ସମୟରେ ସତର୍କ ରହିବା ଆବଶ୍ୟକ । ସରକାରୀ ସ୍କୁଲର ଯତ୍ନ ନେଇ ଶିକ୍ଷା ବ୍ୟବସ୍ଥାର ମୂଳକୁ ମଜଭୂତ କରାଯାଉ । କାରଣ ସରକାରୀ ସ୍କୁଲ ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହି ଗଣ ବିଦ୍ୟାଳୟ ଉନ୍ନତି ଲାଗି ସହଯୋଗ କରିବା ନିହାତି ଦରକାର । ଭୋଟ ରାଜନୀତିରେ ସରକାର ଟଙ୍କିକିଆ ଚାଉଳ ବାଣ୍ଟିବା ସହ ସରକାରୀ ସ୍କୁଲ ମାଧ୍ୟମରେ ବୈାଦ୍ଧିକ ସମ୍ପତ୍ତି ମେଳା କରନ୍ତୁ । ସରକାରୀ ବିଦ୍ୟାଳୟ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଶାସନ ଯବକାଚରେ ସମସ୍ୟାଗୁଡିକ ଦେଖିବାକୁ ପ୍ରୟାସ କରନ୍ତୁ । ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦାୟିତ୍ୱ, ଦକ୍ଷତା ଓ ନେତୃତ୍ୱ ନିୟମିତ ମୂଲ୍ୟାୟନ ହେଉ ।

ଶିକ୍ଷା ହେଉଛି ଜନତାଙ୍କ ଅନ୍ତର୍ନିହିତ ଶକ୍ତି । ବିଶ୍ୱ ବଜାରରେ ଆଗାମୀ ଦିନରେ ଶିକ୍ଷା ବିକାଶ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଭାରତ ସକ୍ଷମ ହେବ କି ? ପ୍ରଶ୍ନ ଉଠୁଛି । ଆଧୁନିକ ମାନବ ସମ୍ବଳ ବିକାଶ ବ୍ୟବସ୍ଥାର ପେଣ୍ଠସ୍ଥଳୀ ହେବାକୁ ଆମ ଦେଶ ପ୍ରସ୍ତୁତ ହେବ କି ? ସମଗ୍ର ବିଶ୍ୱ ପାଇଁ ଶିକ୍ଷା ବ୍ୟବସ୍ଥାର ନୂଆ ବଜାର ସୃଷ୍ଟି ହେବ କି ? ଏଥିପାଇଁ ବିଶ୍ୱସ୍ତରୀୟ ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା ସମ୍ଭବ କି ? ଟେକ୍ନୋଲୋଜି ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରି ରାଜ୍ୟ/ଦେଶକୁ ସ୍ୱତନ୍ତ୍ର ଭାବରେ ସ୍ଥାନିତ କରିବା ବିଶେଷ ସମ୍ମାନ ନୁହେଁ କି ? ଏଥିପାଇଁ ସରକାର କେତେ ସକ୍ଷମ ସମୀକ୍ଷା ହେଉ । ଦେଶ/ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ କେବଳ ଧନୀ ଘର ପିଲା ପଢିବା ପାଇଁ ଯୋଜନା ହେଲେ ବା ଗୁରୁତ୍ୱ ଦିଆଗଲେ ଦେଶକୁ ସଶକ୍ତ ଭାରତରେ ପରିଣତ କରିବା ସମ୍ଭବ ହେବ ନାହିଁ ।

ସେଥିପାଇଁ ସୁସ୍ଥ ସମାଜ ସକାଶେ ଘରୋଇ ଶିକ୍ଷା ପାଇଁ ଅଙ୍କୁଶ ଲୋଡା କାରଣ ଶିକ୍ଷା କ୍ଷେତ୍ରରେ ବୈଷମ୍ୟ ସାମ୍ୟବାଦର ପରିପନ୍ଥୀ ଅଟେ । ଏ ସମସ୍ୟା ପାଇଁ ସମସ୍ତେ ଚିନ୍ତା କରିବା ଦରକାର । ଏହା ଆତ୍ମିକ ସମୀକ୍ଷା ସହ ବିବେକ ବିଚାରପୂର୍ଣ୍ଣ ବିଶ୍ଳେଷଣର ଅପେକ୍ଷା ରଖେ । ଅସୁସ୍ଥ ସରକାରୀ ଶିକ୍ଷା ବ୍ୟବସ୍ଥା ଲାଗି ଘରୋଇ ସ୍କୁଲ ମାଲିକ ମାଲାମାଲ ହେଉଛନ୍ତି । ସରକାରୀ ସ୍କୁଲ ଅବସ୍ଥାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହି ଦୁନିଆ ଆଖିରେ ଧୂଳି ପକାଇବାର ଚେଷ୍ଟା ହେଉଛି କାହିଁକି ? ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଜନସାଧାରଣଙ୍କୁ ବିଭ୍ରାନ୍ତ ନ କରନ୍ତୁ ।

ମୋ ସ୍କୁଲ ଅଭିଯାନ ସରକାରୀ ସ୍କୁଲ ସମସ୍ୟାକୁ ଲୁଚାଇବା ପାଇଁ ପ୍ରସ୍ତୁତ ଏକ ଯୋଜନା, ଯାହା ଲୋକଙ୍କୁ ଭୁଆଁ ବୁଲାଇବା ସକାଶେ ଉଦ୍ଦିଷ୍ଟ । ଶିକ୍ଷକ ନଥିବା ବିଦ୍ୟାଳୟରେ ପିଲାଙ୍କୁ ପାଠପଢାଉଥିବା ଲୋକଙ୍କ ପଇସାରେ ପାଇଖାନା ରଙ୍ଗମାରି ଚକ୍ଚକ୍ କରିବା ହାସ୍ୟାସ୍ପଦ ନୁହେଁ କି ? ପ୍ରଶାସନ ଜାତୀୟ ସ୍ୱାଭିମାନ ପୂର୍ଣ୍ଣ ସଚେତନତା ଓ ସକ୍ରିୟତାରେ ସରକାରୀ ସ୍କୁଲ ସୁରକ୍ଷା ସମ୍ଭବ, ଚିନ୍ତା କରନ୍ତୁ । ଶିକ୍ଷା ଅପମିଶ୍ରଣ ବ୍ୟବସ୍ଥାକୁ ରୋକିବା ଆବଶ୍ୟକ । ଏହାକୁ ଅଣଦେଖା ନ କରି ସରକାର ଦାୟିତ୍ୱବାନ ହୁଅନ୍ତୁ । ଅଧିକାରୀମାନେ ସରକାରୀ ଶିକ୍ଷାର ହତ୍ୟାକାରୀ ହୁଅନ୍ତୁ ନାହିଁ । ମୁନାଫାଖୋର ଶିକ୍ଷା ବ୍ୟବସାୟୀଙ୍କୁ ଲାଭବାନ ନ କରନ୍ତୁ । ଶିକ୍ଷା ବେପାରୀଙ୍କ ହାତରୁ ଶିକ୍ଷାକୁ ରକ୍ଷା କରିବା ଜରୁରୀ ହୋଇଛି । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଶିକ୍ଷା ଅଧିକାରକୁ ବଞ୍ଚାଇବା ପାଇଁ ଲଢେଇ ଆବଶ୍ୟକ । ତେଣୁ ଦେଶକୁ ବାସ୍ତବରେ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ପରବର୍ତ୍ତୀ ପିଢିକୁ ରକ୍ଷା କରିବା ପାଇଁ ସ୍ୱର ଉତ୍ତୋଳନ କରିବା ଦରକାର ।

Leave A Reply