ରାୟଗଡା ୩୦/୧୨(rabindra Patkhandal)କଲ୍ଯାଣସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ପ୍ରକଳ୍ପ ମାଧ୍ୟମରେ ହୋଇଥିବା ଦୁର୍ନୀତି ଅଭିଯୋଗ ଗୁଡିକୁ ଆଧାର କରି ରାୟଗଡା ଜିଲ୍ଲା ଲୋକପାଳ ଶ୍ରୀମତୀ ବିଦୁଲତା ହୁଇକା ତାଙ୍କ କୋର୍ଟ ତରଫରୁ ଶୁଣାଣୀ, ବିଡ଼ିଓ, ଏପିଓ ଓ ଜେଇଙ୍କ ସହ ଆଲୋଚନା କରି ଫେରିଛନ୍ତି । ପ୍ରଥମେ ଧାମୁଣିପଙ୍ଗା ପଞ୍ଚାୟତର କମଟଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେକ ଗ୍ରାମରେ ହୋଇଥିବା ଦୁର୍ନୀତି ବିଷୟରେ ଏକ ଜଣଶୁଣାଣୀର ଆୟୋଜନ କରାଯାଇଥିଲା । ପ୍ରାୟ ସମସ୍ତ ହିତାଧିକାରୀ ଅଭିଯୋଗ କରିଥିଲେ ଯେ ତାଙ୍କର ବ୍ୟାଙ୍କ ପାସବୁକକୁ ଶ୍ରମିକ ବାବଦରେ ପାଇବାକୁ ଥିବା ପ୍ରାପ୍ୟ ଆସିନାହିଁ ।
ପୂର୍ବରୁ ଉକ୍ତ ପଞ୍ଚାୟତରେ ଥିବା ଗ୍ରାମ ରୋଜଗାର ସେବକ ବସନ୍ତ ହିଆଲ ପ୍ରତି ହିତାଧିକାରୀଙ୍କ ଠାରୁ ବିଲ କରାଇଦେବା ନାଁରେ ପାଞ୍ଚରୁ ଦଶ ହଜାର ଲାଞ୍ଚ ନେଇଛନ୍ତି । ଶ୍ରୀ ହିଆଲଙ୍କୁ ଏପିଓ ବାରମ୍ବାର ଫୋନ ଯୋଗେ ଶୁଣାଣୀରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ଉପସ୍ଥିତ ହୋଇନଥିଲେ । ପରେ ଲୋକପାଳ ଏବିଷୟରେ କଲ୍ଯାଣସିଂହପୁର ବିଡ଼ିଓ ଓ ଏବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଡ଼ିଓ ଅନୁପ ପଣ୍ଡା ଲୋକପାଳଙ୍କ ନିକଟରେ ପ୍ରକାଶ କରିଛନ୍ତି। ଯଦି ହିଆଲ ଲୋକଙ୍କଠାରୁ ନେଇଥିବା ଲାଞ୍ଚ ଶୀଘ୍ର ନଫେରାନ୍ତି ତେବେ ତାଙ୍କ ନାଁରେ ଏଫଆରଏ ଦିଆଯିବ ବୋଲି ଲୋକପାଳ କହିଛନ୍ତି ।
ଲୋକଙ୍କ ଉଚିତ ପ୍ରାପ୍ୟ ତାଙ୍କୁ ଅତିଶୀଘ୍ର ପ୍ରଦାନ କରାଯିବ ବୋଲି ଏପିଓ ଓ ବିଡ଼ିଓ ପ୍ରକାଶ କରିଛନ୍ତି ।ଲୋକପାଳ ଏହାପରେ ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗ୍ରାମରେ ଥିବା ଚେକ ଡ୍ୟାମରେ ହୋଇଥିବା ଅନିୟମିତତାର ତଦନ୍ତ କରି ଦେଖିଥିଲେ ଯେ ଡ୍ୟାମର ଏକ ପାଖ ୱାଲ ଭୁଷୁଡି ପଡିଛି ଓ ଡ୍ୟାମ ମଝିରେ ଫାଟ ହୋଇଛି । ଉପସ୍ଥିତ ଅଧିକାରୀ ଓ ପୂର୍ବତନ ୱାର୍ଡ ସଭ୍ୟ କହିଥିଲେ କି କଲ୍ୟାଣୀ ନଦୀରେ ପ୍ରବଳ ବନ୍ୟା ଯୋଗୁଁ ଏପରି ହୋଇଛି । ବନ୍ୟା ବା ନିମ୍ନ ଗୁଣବତ୍ତାର କାର୍ଯ୍ୟ ପାଇଁ ଏପରି ହୋଇଛି ସେ ବିଷୟରେ ଅଧିକ ତଦନ୍ତ ଚାଲୁ ରହିଛି । ତେବେ ଲୋକପାଳ ଚେକ ଡ୍ୟାମର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।।
ଏହାପରେ ଲୋକପାଳ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ଆଦିବାସୀ ସାହିକୁ ଯାଇ ସେଠାର ଥିବା ସିସି ରାସ୍ତାର ମାଇନର ରିପ୍ୟାର ଓ ଡ୍ରେନେଜ ସମସ୍ୟା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବ୍ଲକର ଆଭ୍ୟନ୍ତରୀଣ ନିୟମଗିରିର ପାରଶାଲି ପଞ୍ଚାୟତର ସାନଡେଙ୍ଗିନାଳୀ ଗ୍ରାମକୁ ପରିଦର୍ଶନରେ ଯାଇ ମନରେଗା ମାଧ୍ୟମରେ ହୋଇଥିବା ସିସି ରୋଡ଼ ଓ ମାଟି କାମରେ ହୋଇଥିବା ଅନିୟମିତତାର ତଦନ୍ତ କରିଛନ୍ତି । ଏହି ସମସ୍ତ ଅନିୟମିତତା ସମ୍ପର୍କରେ ବିଡ଼ିଓଙ୍କ ସହ ବିସ୍ତୃତ ଆଲୋଚନା କରି ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ଓ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଡ଼ିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଅନିୟମିତତା ଉପରେ ବିବରଣୀ ପାଇଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଲୋକପାଳ ଶ୍ରୀମତୀ ହୁଇକା ପ୍ରକାଶ କରିଛନ୍ତି ।