ତିହିଡି,୩୦/୧୨: ତିହିଡି ବ୍ଲକ ଅଧିନ ନୂତନ ଥାନାର ମାନ୍ୟତା ପାଇଥିବା ପୀରହାଟ ଥାନା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନାକୁ ଉଦଘାଟନ କରିଥିଲେ ।
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଏଏସ୍ପି ବିକାଶ ଦାସ, ଚାନ୍ଦବାଲି ଏସଡିପିଓ ଉମାଶଙ୍କର ମହାରଣା, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବିଡିଓ ବସନ୍ତ ସାହାଣୀ, ତିହିଡି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂ, ଅତିରିକ୍ତ ଆଇଆଇସି ତପନ ପ୍ରଧାନ, ପୀରହାଟ ଥାନାର ନୂତନ ଆଇଆଇସି ନବକିଶୋର ନାଏକ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ବରିଷ୍ଠ ନେତା ବିପିନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ବ୍ଲକର ୧୨ଟି ପଞ୍ଚାୟତ ୧୦୧ ରାଜସ୍ୱ ଗାଁ ଏହି ଥାନା ଅଧିନରେ ରହିବ ।
ମୋଟ ୭୦ ହଜାର ୪୫୯ ଅଧିବାସୀ ଥାନାରୁ ଉପକୃତ ହେବେ । ଥାନାର ଜଣେ ଆଇଆଇସିଙ୍କ ସମେତ ଏସ୍ଆଇ, ଏଏସ୍ଆଇଙ୍କୁ ଲଗାଇ ମୋଟ ୧୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ନୂତନ ଥାନା ହେବା ଦ୍ୱାରା ତିହିଡି ଥାନାର ଦାୟିତ୍ୱ କମିବା ସହ ପୀରହାଟ, ଗଦି ଅଞ୍ଚଳର ଲୋକେ ବିଶେଷଭାବେ ଉପକୃତ ହେବେ ।