Odisha news

ଶୃଣ୍ୟନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ…….

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର :  ଉଦାର ଚିତ୍ତ ବ୍ୟକ୍ତି ନିମିତ୍ତ ଏ ସମ୍ପୂର୍ଣ୍ଣ ପୃଥିବୀ ଗୋଟିଏ କୁଟୁମ୍ବ ସଦୃଶ  । ଉଦାର ବ୍ୟକ୍ତି ମୋର, ତୋର ବୋଲି କହି ନଥାନ୍ତି  । ତାଙ୍କର ଜୀବନ ପର ସେବାରେ ନିୟୋଜିତ ରହେ  । ଯେପରି ବୃକ୍ଷରେ ଫଳ ଆସିଲେ ନଇଁ ପଡ଼େ ତାହା ଅନ୍ୟର ସ୍ୱାର୍ଥରେ ଲାଗିଥାଏ, ଉଦାରବ୍ୟକ୍ତି କେବଳ ଅନ୍ୟର କଲ୍ୟାଣ ନିମିତ୍ତ ଚେଷ୍ଟାକରନ୍ତି  । ସାଧୁ ମହାମାନବ ଏବଂ ସଜ୍ଜନ ଗଣ ବୃକ୍ଷ ସଦୃଶ  । ବୃକ୍ଷ ନିଜେ ବହୁ କଷ୍ଟ ସ୍ୱୀକାରକରି ଫଳ ଧରେ ସେହି ଫଳକୁ ନିଜେ ଖାଏନା, ଅନ୍ୟକୁ ଦିଏ  । ସେମିତି ଉଦାର ବ୍ୟକ୍ତିମାନେ ନିଜେ କଷ୍ଟ ସହି ଅନ୍ୟର ଉପକାର କରିଥାନ୍ତି  । ଯେପରି ଫଳିଥିବା ବୃକ୍ଷକୁ ପଥର ଫିଙ୍ଗିଲେ ସେ ପଥର ମାଡ ସହି ମଧ୍ୟ ଫଳଦାନ କରିଥାଏ, ହିଂସାର ଉତ୍ତର ହିଂସା ନୁହେଁ କ୍ଷମା  । ପରାର୍ଥେ ପ୍ରାଜ୍ଞ ପ୍ରାଣ ଉତ୍ସୃଜେତ୍  । କ୍ଷମା ହେଉଛି ମହତ୍ ଲୋକର ଲକ୍ଷଣ  ।

କ୍ଷମା ଅର୍ଥ ଦୁର୍ବଳତା ବା ଭୀରୁତା ନୁହେଁ, କ୍ଷମାର ଅର୍ଥ ଉଦାରତା ଏବଂ ସହିଷ୍ଣୁତା  । ଉଦାର ମନୁଷ୍ୟ ନିମିତ୍ତ ଧନ, ବୀର ପୁରୁଷଙ୍କ ନିମିତ୍ତ ମୃତୁ୍ୟ, ବିରକ୍ତଙ୍କ ନିମିତ୍ତ ସ୍ତ୍ରୀ ଓ ନିଷ୍ପୃହଙ୍କ ନିମିତ୍ତ ସଂସାର ତୃଣ ସମାନ ବୋଧ ହୁଏ  । ଅର୍ଥାତ୍ ଅତି ତୁଚ୍ଛ ଅଟେ  । ଉଦାର ବ୍ୟକ୍ତି ପରର ନିନ୍ଦାକୁ ମୁକ, ପରଦୋଷ ଦେଖିବାରେ ଅନ୍ଧ, ଚୁଗୁଲି କରିବାରେ ବଧିର ଭଳି ହୋଇଥାଆନ୍ତି  । ଚନ୍ଦନ ବୃକ୍ଷକୁ କୁରାଢ଼ିରେ କାଟିଲେ ଯେପିର କାଟିବା ଯନ୍ତ୍ରକୁ ସେ ବାସ ବିତରଣ କରେ ବରଂ ବାରଣ କରେ ନାହିଁ ଯେ ମୋତେ କାଟିଛି ୟାକୁ ବାସ୍ନା ଦେବି ନାହିଁ, ସେହିପରି ଉଦାର ବ୍ୟକ୍ତିର ଅହିତ କରୁଥିବା ଲୋକକୁ କ୍ଷମାପ୍ରଦାନ କରନ୍ତି ଏବଂ ଭଲ ପାଇଥାଆନ୍ତି  । ଯେପରି ଦାନବୀର କର୍ଣ୍ଣ ଜାଣିଥିଲେ କୁଣ୍ଡଳଟି ଚାଲିଗଲେ ମୃତୁ୍ୟ ସୁନିଶ୍ଚିତ ତଥାପି ନିଜର କୁଣ୍ଡଳକୁ, ଦାନ କରିଛନ୍ତି  । ସେହିପରି ଶିବିରାଜା ଗୋଟିଏ ପକ୍ଷୀକୁ ବଞ୍ଚାଇବାକୁ ଯାଇ ନିଜର ମାଂସକୁ ମଧ୍ୟ ପ୍ରଦାନ କରିଥିଲେ  । ଦେବତାମାନଙ୍କ ଦୁର୍ଦ୍ଦଶାକୁ ଦୂର କରିବାକୁ ଦଧିଚୀ ଋଷି ନିଜର ଶରୀରକୁ ତିଳ ତିଳ କରି କ୍ଷୟ କରିଥିଲେ ଏବଂ ନିଜର ଅସ୍ଥିକୁ ସମଗ୍ର ଜଗତ ପାଇଁ ଦାନ କରିଥିଲେ  । ଯେଉଁ ଅସ୍ଥିରୁ ଜୀମୂତ ବାହନ ଇନ୍ଦ୍ରଙ୍କ ବଜ୍ରନିର୍ମିତ ହୋଇଥିଲା  । ସାରା ସଂସାରରେ ମହାତ୍ମାଙ୍କ ନିକଟରେ କିଛି ଅଦେୟ ନଥାଏ  ।

ଲୋଭୀ ଲୋକ ଧନଲୋଭରେ ପଡ଼ି ସମସ୍ତ ଧନ ସମ୍ପତ୍ତିକୁ ମାଟିରେ ପୋତି ଦେଇଥାଏ  । ସେହି ଧନ ତା ନିଜ କାର୍ଯ୍ୟରେ ଲାଗେ ନାହିଁ କିମ୍ବା ଅନ୍ୟର ଉପକାରରେ ମଧ୍ୟ ଲାଗେନାହିଁ  । କିନ୍ତୁ ଯିଏ ଦାତା, ଜୀବନରେ ଅନ୍ୟର ଉପକାର କରି ନିଃସ୍ୱ ହୋଇଯାଇଥାଏ  । ତଥାପି ତା’ର ମନ ଅତି ଆନନ୍ଦିତ  । କାରଣ ତାର ଧନ ଅନ୍ୟର ଉପକାରରେ ଲାଗିଲା  । ସେ ଭାବେ ଦାତା ଏକ ରାମ ଔର ଭିକାରୀ ସାରେ ଦୁନିଆଁ  । ସବକୋ ଦେତା ହୈ ଏକହି ଦାତା  । ତେଣୁ ସେ ତା’ର ଧନକୁ ଦାନକରି ଆନନ୍ଦ ପାଇଥାଏ  । ଆଜି ମନୁଷ୍ୟ ମଧ୍ୟରେ ସ୍ୱାର୍ଥପର ଶୈତାନ୍ ବସିଥିବାରୁ ସେ ହିଂସା, ଈର୍ଷା ଏବଂ ଅନ୍ୟର କ୍ଷତିକରିବାକୁ ପଶ୍ଚାତ୍ପଦ ହେଉନାହିଁ  । ତା’ର ଯେତିକି ଆବଶ୍ୟକ ତା’ଠାରୁ ବହୁଗୁଣ ଅଧିକ ସମ୍ପତ୍ତି ଠୁଳ କରୁଛି  । ପାପ ଅର୍ଜିତ ସେହି ସମ୍ପତ୍ତିକୁ ସୁରକ୍ଷା କରିବାକୁ ଯାଇ ସରକାର ହାତରେ ଧରାପଡ଼ୁଛି  ।

କେତେ ନିନ୍ଦା, କେତେ କଳଙ୍କର ଟୀକା ତାକୁ ବହନ କରିବାକୁ ପଡ଼ୁଛି  । ମଣିଷ ଭାବେ ସମ୍ପତ୍ତି ନେଇ ସେ ସୁଖି ହେବ କିନ୍ତୁ ଯେଉଁ ସମ୍ପତ୍ତିକୁ ସେ ସୁଖର କାରଣ ଭାବେ ତାହା ଦିନେ ଦୁଃଖର କାରଣ ହୋଇ ଠିଆହୁଏ  । ସମ୍ପତ୍ତିକୁ ଠୁଳକରିଥିବା ମଣିଷଟି ନା ଶାନ୍ତିରେ ଶୋଇପାରେ ନା ଶାନ୍ତିରେ ଭାଜନ କରିପାରେ  । ମନଟି ତାର ସର୍ବଦା ଥାଏ ସମ୍ପତି ପାଖରେ  । ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ମନ ଈଶ୍ୱର ବା ସତ୍ ଚିନ୍ତନରୁ ଓହରିଯାଇ ବିଷୟରେ ଲାଗିଯାଏ ସେତେବେଳେ ଯାବତୀୟ ଅଶାନ୍ତି ଆସିଥାଏ  । ମଣିଷର ଲୋଭ ପ୍ରବୃତ୍ତି ହିଁ ତା’ଅଶାନ୍ତିର ମୂଳକାରଣ ହୋଇଥାଏ  । ଗୋଟାଏ ବଖରା ଘରକୁ ମଣିଷର ଆୟୁଷ ନାହିଁ ତଥାପି ସେ ଅନେକ ଘରତୋଳୁଛି  । ସେତିକିରେ ଶାନ୍ତି ନରହି ଅଶାନ୍ତ ହୋଇ ଉଠୁଛି ଆହୁରି କିଛି ଜମି, ଜାଗା କିଣିବା ପାଇଁ  ।

ବାସ୍ତବରେ ମଣିଷ ଭିତରେ ଉଦାର ପଣିଆଟିକକ ଲୋପ ପାଇଗଲେ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ  । ଜୀବନରେ ଯେତିକି ଆବଶ୍ୟକ ସେତିକିକୁ ନେଇ ଚଳିପାରିଲେ ଶାନ୍ତି ମିଳିବ  । ଆମେ ଭାବନ୍ତି ବହୁ ସମ୍ପତ୍ତି ହେଲେ ଉପଭୋଗ କରିବାର ସୁବିଧା ମିଳିଯିବ  । ଏହା କିନ୍ତୁ ପରମେଶ୍ୱର ସହନ୍ତିନାହିଁ  । ଯେଉଁଲୋକ ଯେତିକି ସମ୍ପତ୍ତି ଠୁଳକରେ ସେ ସେତିକି ଦୁଃଖି ହୋଇଥାଏ  । ଯେ ଯେତିକି ସ୍ୱାର୍ଥପର ହୋଇଥାଏ ସେ ସେତିକି ଯନ୍ତ୍ରଣା ଜର୍ଜରିତ ହୋଇଥାଏ  । ସଂସାରରେ କାହାର ଦୁଃଖର କାରଣ ନହେଲେ କେହି ତୁମ ଦୁଃଖର କାରଣ ହେବନାହିଁ  । ସେଥିପାଇଁ ଜିସସ୍ କହିଥିଲେ ସ୍ୱାର୍ଥପର ଶୈତାନ୍କୁ ତଡ଼ି, ପ୍ରେମମୟ ଭଗବାନଙ୍କୁ ହୃଦୟରେ ବସାଇବା ଉଚିତ  । ସେହିପରି ଗୌରାଙ୍ଗ ଦେବ ନିଜେ ମାଡ଼ ଖାଇ ମଧ୍ୟ ଜଗାଇମାଧାଇଙ୍କୁ ପ୍ରେମମୟ ପ୍ରଭୁଙ୍କୁ ଦର୍ଶନ କରି ନିଜ ଜୀବନକୁ ପରାର୍ଥେ ଉତ୍ସର୍ଗୀକୃତ କରି ସମଗ୍ର ବଶ୍ୱ ବାସୀଙ୍କୁ ନିଜର କୁଟୁମ୍ବ ବୋଲି ଭାବିଥାଆନ୍ତି  । ଆମେ ସେହି ଏକ ପରମପିତାଙ୍କର ସନ୍ତାନ ସନ୍ତତି ହୋଇ ଚଳିବା ଉଚିତ୍  ।

Leave A Reply