Odisha news

ମଇଁଷି ବୋଝେଇ କଣ୍ଟେନର ଜବତ ଡ୍ରାଇଭର କୋର୍ଟ ଚାଲାଣ

0

ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଝିପଡ଼ା ଗ୍ରାମ ପଞ୍ଚାୟତ ମହାଗିରି ଘଣ୍ଟିମୁହଁ ଅଞ୍ଚଳରୁ ଦୀର୍ଘ ଦିନ ହେବ ମଇଁଷି ଗୁଡ଼ିକୁ କଣ୍ଟେନରରେ ବୋଝେଇ କରି ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ସେହି ଅଞ୍ଚଳର କିଛି ଦଲାଲ ଭଦ୍ରକ ଅଞ୍ଚଳର ଦଲାଲଙ୍କୁ ସହଯୋଗ କରି ପ୍ରତି ସପ୍ତାହରେ ପ୍ରାୟ ୨/୩ ଟି୍ରପ୍ ମଇଁଷି ଚାଲାଣ କରିଥାନ୍ତି ।

ଏ ନେଇ ଅଭିଯୋଗ ପରେ ସ୍ଥାନୀୟ ବାଲିଚନ୍ଦ୍ରପୁର ପୋଲିସ ଚଢାଉ କରୁଥିଲେ ମଧ୍ୟ ସେମାନେ ଖସିଯିବାକୁ ସକ୍ଷମ ହେଉଥିଲେ । ତେବେ ଗତ କାଲି ରାତ୍ରିରେ କଣ୍ଟେନରରେ ମଇଁଷି ଲୋଡ଼ ହେଉଥିବା ପୋଲିସ ବିଶେଷସୂତ୍ରରୁ ଖବର ପାଇ ମଝିପଡ଼ା ପଞ୍ଚାୟତର ମହାଗିରି ଠାକୁରାଣୀ ନିକଟସ୍ଥ ଘଣ୍ଟିମୁହଁ ଅଞ୍ଚଳରୁ ମଇଁଷି ବୋଝେଇ କଣ୍ଟେନର (ଓ ଆର ୦୪ ଏଚ୍ ୭୯୮୯) ଜବତ କରିଥିଲା ବେଳେ ୨୦ ରୁ ଉଦ୍ଧ୍ୱର୍ ଲୋଡ଼ ହେବାକୁ ଥିବା ମଇଁଷିକୁ ଛାଡ଼ି ଦେଇଆସିଥିଲା । ରାତ୍ରି ଅନ୍ଧାରର ସୁଯୋଗ ନେଇ ସ୍ଥାନୀୟ ଦଲାଲ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।

ତେବେ ପୋଲିସ ମଇଁଷି ବୋଝେଇ କଣ୍ଟେନର ଥାନାକୁ ଆଣିବା ପରେ ଏକ ମାମଲା ୩୭୯/୨୦ ରେ ରୁଜୁ କରି ଦୂର୍ଗାପୁର ଭଦ୍ରକ ଅଞ୍ଚଳର ଡ୍ରାଇଭର ସେକ୍ ଅନିସ ଉଦ୍ଦିନ୍ (୫୨) ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ଗୋପାଳପୁର ପ୍ରାଣୀଧନ ଚିକିତ୍ସାଧିକାରୀ କଣ୍ଟେନର ରେ ଥିବା ୨୭ ଗୋଟି ମଇଁଷିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ସେ ଗୁଡ଼ିକୁ ଚୌଦ୍ୱାର ସ୍ଥିତ ଗୋଶାଳାକୁ ୧୦ଟି ପଠାଯାଇଥିବା ବେଳେ ମାହାଙ୍ଗା ଗୋଶାଳାକୁ ୧୭ଟି ପଠାଯାଇଥିବା ଥାନା ଏସ.ଆଇ ସୁରେନ୍ଦ୍ର କୁମାର ରଥଙ୍କ ଠାରୁ ପ୍ରକାଶ । ତେବେ ଏହି ଅଞ୍ଚଳରୁ ମଇଁଷି ଚାଲାଣ ପରି ନିକଟସ୍ଥ ନଳୀପୁର ଅଞ୍ଚଳରୁ ନିୟମିତ ଭାବେ ପିକଅପ ଭ୍ୟାନରେ ଅତିଅମାନୁସିକ ଭାବେ ଦିନ ରାତି ଗୋମାତା ମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି । ଡ୍ରାଇଭର କହିବା ଅନୁଯାୟୀ ମଇଁଷି ବୋଝେଇ ଗାଡ଼ି ଗୁଡ଼ିକ ଆନ୍ଦ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଚାଲାଣ କରାଯାଇଥାଏ ।

Leave A Reply