Odisha news

କାନ୍ତକବିଙ୍କ ଜୟନ୍ତୀ : ଜନ୍ମମାଟି ତାଳପଦା ହେବ ଉତ୍ସବ ମୁଖର

0

ତିହିଡି (Jadumani Panigrahi: କାଳଜୟୀ ସଙ୍ଗୀତ ‘ବନେ୍ଦ ଉକ୍ରଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ବୁଧବାର ଦିନ ପାଳିତ ହେବ । ଏହି ଉପଲକ୍ଷେ କାନ୍ତକବିଙ୍କ ଜନ୍ମମାଟି ତାଳପଦା ଗ୍ରାମ ଏବଂ ଭଦ୍ରକସ୍ଥିତ ସାଳନ୍ଦୀ ବାଇପାସ ଛକ ଚଳଚଞ୍ଚଳ ହୋଇଛି । ତିିହିଡି ବ୍ଲକ ଅଧିନ ତାଳପଦା ଗ୍ରାମରେ କାନ୍ତକବିଙ୍କର କେବଳ ସମାଧି ପୀଠଟିଏ ରହିଥିଲା । ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କାନ୍ତକବିଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ଲାଗି ବିଭିନ୍ନ ଐତିହାସିକ ପଦକ୍ଷେପ ମାନ ହାତକୁ ନେଇଥିଲେ ।

ତଦନୁଯାୟୀ କାନ୍ତକବିଙ୍କ କର୍ମମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିବା ବେଳେ ଏହାର ଶୁଭ ଉଦଘାଟନ ମଧ୍ୟ ହୋଇସାରିଛି । ପରେ ପରେ କାନ୍ତକବିଙ୍କ ସମାଧି ପୀଠର ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଏହି କାର୍ଯ୍ୟ ସମାପନ ହୋଇଛି । ଏଠାରେ ପୀଠର ସୌନ୍ଦର୍ଯ୍ୟ କରଣ ସହ, ପାଚେରୀ ନିର୍ମାଣ କରାଯାଇଛି । ଏଥିସହ ପାଚେରୀରେ କାନ୍ତକବିଙ୍କ ସ୍ମୃତିକୁ ନେଇ ବିଭିନ୍ନ ଚିତ୍ର ମଧ୍ୟ ଅଙ୍କନ କରାଯାଇଛି । ଆସନ୍ତାକାଲି ଏହାର ଉଦ୍ଘାଟନ କରାଯିବ । ସେହିପରି ଭଦ୍ରକସ୍ଥିତ ସାଳନ୍ଦୀ ବାଇପାସ ଛକରେ ଥିବା କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ରାଜପଥ ସଂପ୍ରସାରଣ ନାଁରେ ଅପସାରିତ କରାଯାଇଥିଲା ।

ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯିବା ପରେ ନବ ନିର୍ବାଚିତ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଉଦ୍ୟମରେ ସେହିସ୍ଥାନରେ ପୁଣିଥରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଆସନ୍ତାକାଲି ଏହାର ମଡ଼୍ଦ୍ର ଅନାବରଣ କାର୍ଯ୍ୟ ସଂପନ୍ନ ହେବ । ତେବେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଜ୍ଞାନ ଦାସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଳପଦାର କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ପରିଷଦର ଆବାହକ ବାଣୀକଲ୍ୟାଣ ମହାପାତ୍ର ଓ ସଂଯୋଜକ ଚିନ୍ତମଣୀ ଦାସ ସୂଚନା ଦେଇଛନ୍ତି ।

Leave A Reply