୨ଜି ରେ ଫସି ରହିଥିବା ୩୦ କୋଟି ଭାରତୀୟଙ୍କୁ ସ୍ମାର୍ଟଫୋନ୍କୁ ଆଣିବା ଲାଗି ସରକାର ନୀତି ଆଣନ୍ତୁ : ମୁକେଶ ଅମ୍ବାନି
• ୨୦୨୧ ବର୍ଷର ଦ୍ୱିତୀୟ ଭାଗରେ ୫ଜିର ଶୁଭାରମ୍ଭ କରିବା ସଙ୍କେତ
• ସଫ୍ଟଓୟାର ସମେତ ହାର୍ଡଓୟାରରେ ବି ଭାରତ ହେବ ଆତ୍ମନିର୍ଭର
• ଚତୁର୍ଥ ଉଦ୍ୟୋଗ ବିପ୍ଳବର ନେତୃତ୍ୱ ନେବ ଦେଶ
ଭୁବନେଶ୍ୱର: ଭର୍ଚୁଆଲ୍ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୦ କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶରେ ଏବେ ମଧ୍ୟ ୨ଜି ମୋବାଇଲ୍ ସେବାରେ ସଂକୁଚିତ ରହିଥିବା ୩୦ କୋଟି ମୋବାଇଲ୍ ଗ୍ରାହକଙ୍କ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି । ଭାରତର ଡିଜିଟାଲ୍ ଅର୍ଥ ବ୍ୟବସ୍ଥାର ଲାଭ ଯେଭଳି ଏହି ୩୦ କୋଟି ଲୋକଙ୍କ ପାଖରେ ପହଂଚିପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ୨ଜି ଜ୍ଞାନକøଶଳରୁ ୩୦ କୋଟି ଭାରତୀୟଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁୁ ସ୍ମାର୍ଟଫୋନ୍ ସହ ଯୋଡିବା ଲାଗି ନୀତି ଆଣିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
୨୦୨୧ ବର୍ଷର ଦ୍ୱିତୀୟ ଭାଗରେ ସ୍ୱଦେଶୀ ୫ଜି ପ୍ରଯୁକ୍ତି ଶୁଭାରମ୍ଭ କରିବାର ପ୍ରସ୍ତୁତି ବିଷୟରେ ମଧ୍ୟ ମୁକେଶ ଅମ୍ବାନି ସଙ୍କେତ ଦେଇଛନ୍ତି । ରିଲାଏନ୍ସ ଜିଓ ବିକଶିତ କରିଥିବା ୫ଜି ପ୍ରଯୁକ୍ତି ସମ୍ପୁର୍ଣ୍ଣ ସ୍ୱଦେଶୀ ବୋଲି ଅଭିହିତ କରି ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ମିସନର ସଫଳତାର ପ୍ରମାଣ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ମିସନକୁ ପ୍ରଶଂସା କରି କୋଭିଡ୍ ସମୟରେ ତାହା ଦେଶର ଡିଜିଟାଲ୍ ଜୀବନରେଖା ପାଲଟିଥବା ସେ କହିଛନ୍ତି । ସରକାରଙ୍କ ବିଭିନ୍ନ ଉଦ୍ୟମର ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଦେଶ ଖୁବଶୀଘ୍ର ସଫଟ୍ଓୟାର ସହିତ ହାର୍ଡଓୟାର କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ ।
ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଓ ସେଲୁ୍ୟଲାର ଅପରେଟର୍ସ ଅସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ) ପକ୍ଷରୁ ଆଇଏମ୍ସି ୨୦୨୦କୁ ଆୟୋଜନ କରାଯାଇଛି । କରୋନା ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ୮-୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।
ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୦ର ବିଷୟବସ୍ତୁ ହେଉଛି “ସମଗ୍ର ଅନ୍ୱେଷଣ-ସ୍ମାର୍ଟ, ସୁରକ୍ଷିତ ଓ ଦୀର୍ଘସ୍ଥାୟୀ’ । ଏହାର ଆୟୋଜନର ଉଦେ୍ଦଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ୍ ସମାବେଶ ଏବଂ ନିରନ୍ତର ବିକାଶ, ଉଦ୍ୟମ ତଥା ଅନ୍ୱେଷଣକୁ ପ୍ରୋତ୍ସାହିତ କରିବା ।
ଏହି ଅବସରରେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଓ ଦୂରସଂଚାର ସଚିବ ଅଂଶୁ ପ୍ରକାଶ ଉପସ୍ଥିତ ଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଭାରତୀ ଗ୍ରୁପ୍ର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।
ଇଣ୍ଡିଆନ ମୋବାଇଲ୍ କଂଗ୍ରେସରେ ୩୦ରୁ ଅଧିକ ଦେଶର ୨୧୦ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ବକ୍ତା ଏବଂ ୩୦୦୦ରୁ ଅଧିକ ପ୍ରତିନିଧି ଭାଗ ନେବାର ବ୍ୟବସ୍ଥା କରାଯାଇଛି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ଦୂରସଂଚାର କଂପାନିର ସିଇଓ, ପ୍ରଯୁକ୍ତି କ୍ଷେତ୍ର ସିଇଓ, ୫-ଜି ପ୍ରଯୁକ୍ତି ବିଶେଷଜ୍ଞ, ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ), ଇଟଂରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ଡାଟା ଆନାଲିସିସ୍, କ୍ଲାଉଡ୍ ଓ ଏଜ୍ କଂପୁ୍ୟଟିଂ, ବ୍ଲକ୍ଚେନ୍, ସାଇବର ନିରାପତ୍ତା ବିଶେଷଜ୍ଞମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।