ଭଦ୍ରକ (ପି୍ରୟଦର୍ଶନ ବୋଇତି) : ଜୀବନଯନ୍ତ୍ରଣାରେ ଛଟପଟ ଶୈଶବ । ଗୋଟିଏ ପଟେ ଦାରିଦ୍ର୍ୟର ତାଡନା, ଅନ୍ୟପଟେ ଶୈଶବର ଅସହ୍ୟ ଯନ୍ତ୍ରଣାରେ ଜୀବନ ଜିଉଛି ମାତ୍ର ଆଠ ବର୍ଷର ଶିଶୁ । ନାଁ ତାର କାହ୍ନା । ‘ଅଭାବ କଣ ସ୍ୱାଭାବ କଣ’, ‘ଦୁଃଖ କଣ କଷ୍ଟ କଣ’ ସେ ଜାଣିନି । ଜନ୍ମରୁ ଶିଶୁଟି ପୁଅ କି ଝିଅ ଜଣାପଡୁ ନ ଥିବାବେଳେ ବୟସ ବଢିବା ସାଙ୍ଗକୁ ପରିଶ୍ରା ଘର ମଧ୍ୟ ନଥିଲା । ନାଇ ଉପରେ ମାଂସ ପେଣ୍ଡୁଲା ବଢିବା ସାଙ୍ଗକୁ ସେହି ମାଂସ ପେଣ୍ଡୁଳାରୁ ଅହରହ ଏବେ ଝରୁଛି ପରିଶ୍ରା । ଏହି କାରଣ ପାଇଁ ଶିଶୁଟିର ଜଣେ ହେଲେ ବି ବନ୍ଧୁ ନାହାନ୍ତି । ତେବେ ଏଭଳି ଅବସ୍ଥାରେ କାହ୍ନା ଅଭିଶପ୍ତ ଜୀବନ ଜିଉଁ ଥିବାବେଳେତା ତାକୁ ଭଲ କରିବା ପାଇଁ ବାରଦୁଆରେ ଶୁଣ୍ଡିପିଣ୍ଡା ହେବା ସହ ତାର ଚିକିତ୍ସାପାଇଁ ସରକାରୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି କାହ୍ନାର ପରିବାର ବର୍ଗ ।
ଏହିଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ବାଣୀତିଆ ପଂଚାୟତର ତୋଟାସାହି ଗାଁରେ । କାହ୍ନା ବୟସ ମାତ୍ର ଆଠ ବର୍ଷ । ଜୀବନର ଖୁସି ବୁଝିବା ଆଗରୁ ଯନ୍ତ୍ରଣାକୁ ସେ ଆଦରି ନେଇଛି । କାହ୍ନାର ବାପା ସନାତନ କର ଯେକି, ପେସାରେ ଜଣେ ଦିନମଜୁରିଆ । ଦୁଇଟି ଝିଅ ପରେ ଭାଗବାନଙ୍କ ପାଖରେ ଦୀର୍ଘଦିନ ମୁଣ୍ଡ ମାରିବା ପରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲା ଏହି ଶିଶୁ ପୁତ୍ର । ତୃତୀୟ ସନ୍ତାନ ଭାବେ ଜନ୍ମନେଇଥିଲା କାହ୍ନା । ଜନ୍ମରୁ ଶିଶୁଟିକୁ ପୁତ୍ର ସନ୍ତାନ ଭାବି ବାପା ମାଆ ସହ ସାରା ପରିବାର ବହୁତ ଖୁସି ଥିଲେ । ଆଦରରେ ବାପା ମାଆ ଶିଶୁଟିର ନାଁ କାହ୍ନା ଦେଇଥିଲେ । ବିଧିର ବିଧାନର ଖେଳ ଥିଲା କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଜନ୍ମହେବା ପରଠାରୁ ଶିଶୁଟିର ପରିସ୍ରା ଘର ନଥିବାରୁ ନାଇ ଉପରେ ଗୋଟିଏ ମାଂସ ପେଣ୍ଡୁଳା ବଡ ରୂପ ଧାରଣ କରି ସେହି ବାଟ ଦେଇ ପରିସ୍ରା ଝରିବାକୁ ଲାଗିଲା ।
କାହ୍ନାର ବୟସ ବଢୁଥିବା ବେଳେ ଧୀରେ ଧୀରେ ଏହି ମାଂସ ପେଣ୍ଡୁଳାଟି ବଡ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ବଢିବାକୁ ଲାଗିଲା । ଯାହାଲାଗି ଏବେ ପରିବାର ଲୋକେ କଷ୍ଟରେ ଘାଂଟିହେଉଛନ୍ତି । କିଛି ବର୍ଷ ହେବ ଏଭଳି ରୋଗରେ ଆକ୍ରାନ୍ତ ହୋଇ କାହ୍ନା ହସ ଖେଳ ପରିବର୍ତେ ଦିବା ରାତି୍ର ଯନ୍ତ୍ରଣାରେ ଛଟପଟ ହେଉଛି । ଅତ୍ୟନ୍ତ ଗରିବ ହୋଇଥିବାରୁ କାହ୍ନାକୁ ଚିକିତ୍ସା କରିବାକୁ ଯାଇ ବାପା ସନାତନ ଓ ମାଆ ସୁକାନ୍ତି ବାରଦୁଆରେ ଶୁଣ୍ଡିପିଣ୍ଡା ହେବା ସହ ଜମିବାଡି ବନ୍ଧା ରଖି କିଛି ଟଙ୍କା ଯୋଗାଡ କରି ଭଦ୍ରକ ଡାକ୍ତରଖାନ ଠୁ ଆରମ୍ଭ କରି କଟକ ବଡ ଡାକ୍ତରଖାନାର ବଡ ଡାକ୍ତରଙ୍କୁ ମଧ୍ୟ ଦେଖାଇସାରିଲେଣି । ସମସ୍ତଙ୍କର ଗୋଟିଏ କଥା ଅସ୍ତ୍ରପ୍ରଚାର ହିଁ ଏକମାତ୍ର ଉପାୟ । ଯାହାଦ୍ୱାରା ଏହି ରୋଗ ଭଲ ହୋଇପାରିବ । ଉକ୍ତ ଅସ୍ତ୍ରପ୍ରଚାର ପାଇଁ ଲକ୍ଷାଧିକ ଟଙ୍କା ଦରକାର ।
ଦିନମଜୁରିଆ ପରିବାର ପାଇଁ ଏହା ଆକାଶ କଇଁଆ ଚିଲିକା ମାଛ । ତେଣୁ କେହି ସହୃଦୟବ୍ୟକ୍ତି ସାହାଯ୍ୟ କରିବାକୁ କାହ୍ନାର ବାପା-ମାଆ ଆମ ପ୍ରତିନିଧି ଆଗରେ ନିବେଦନ କରିଛନ୍ତି । ଏ ସବୁ ସମ୍ପର୍କରେ ଭଦ୍ରକର ସିଡିଏମଓ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ସହ ଆମେ ଯୋଗାଯୋଗ କରିବାରୁ ରାଷ୍ଟ୍ରୀୟ ବାଳସୁରକ୍ଷାରେ ଅନ୍ତର୍ଭୁକ୍ତ କରି ଶିଶୁଟିକୁ ଉପଯୁକ୍ତ ଚିକିତ୍ସା ପାଇଁ କଟକ ଏସିିବି ମେଡିକାଲ କିମ୍ବା ଏମ୍ସରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇ ପାରିବ । ତେଣୁ ଏହାର ବ୍ୟବସ୍ଥା କିପରି ହୋଇପାରିବ ସେଥିପ୍ରତି ମୁଁ ଦୃଷ୍ଟି ଦେବି ବୋଲି ଶ୍ରୀ ପାତ୍ର ଆମକୁ ଜଣାଇଛନ୍ତି । ତେବେ ଶୈଶବ ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁଟିର ଉପଯୁକ୍ତ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ଚିକିତ୍ସା ପାଇଁ ସରକାରୀ ସହାୟତା ସହ ବଦାନ୍ୟବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ବର୍ଗ ଓ ଗ୍ରାମବାସୀ । ଯଦି କେହି ସାହାଯ୍ୟ ସହଯୋଗ କରିବା ପାଇଁ ଚାହିଁନ୍ତି ୭୭୩୫୦୯୩୫୮୨ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।