ବ୍ରହ୍ମପୁର: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରଦୀପଙ୍କ ଦୁର୍ନୀତି ଲମ୍ୱା ତାଲିକା ବଖାଣିଛନ୍ତି ଶ୍ରୀ ଜେନା ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା କହିଛନ୍ତି ପ୍ରାୟ ୧୬ ବର୍ଷ ହେଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ଜମି, କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରରେ ଜମି ହାତେଇବାରେ ଦୁର୍ନୀତି ହୋଇଛି ଏବଂ ଏହାକୁ ସେ ଅସାଧୁ ଉପାୟରେ ହାତେଇଥିବା ଶ୍ରୀ ଜେନା କହିଛନ୍ତି । ନିରୀହ ଲୋକଙ୍କ ବଦଳରେ ମାଫିଆଙ୍କ ସ୍ୱାର୍ଥରେ କାମ କରୁଥିଲେ ।
ପ୍ରଦୀପ ଜଣେ ନୁହଁନ୍ତି ବରଂ ଜିଲ୍ଲାର କିଛି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷ ତାଙ୍କ ଦୁର୍ନୀତିରେ ଭାଗିଦାର ମଧ୍ୟ ରହି ଆସିଛନ୍ତି। ଏଥିସହିତ ସୋରଡାରେ ଶତାଧିକ ଏକର ଜମି ଗଚ୍ଛିତ ରହିଛି ଏବଂ ଏହାର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ସବୁର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି । ଗଞ୍ଜାମରେ ଯେଉଁଭଳି ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି ସେଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ହିଁ ଏକମାତ୍ର ଦାୟୀ । ଜମି ହଡପ ଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନୀତି ଏବଂ ବିଭିନ୍ନ ଚୋରା ଚାଲାଣ ପଛରେ ପ୍ରଦୀପ ସ୍ୱତଃପୁତ ଭାବେ ସମ୍ପୃକ୍ତ । ଏହାର ଉଚିତ ତଦନ୍ତ କରିବା ସହ ଏହି ଦୁର୍ନୀତିରେ ସଂଶ୍ଳିଷ୍ଠ ଥିବା ସମସ୍ତ ନେତା, ମନ୍ତ୍ରୀ, ଓ ମାଫିଆ ମାନଙ୍କ ବିରୁଦ୍ଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀଯୁକ୍ତ ଜେନା।
ଏହାସହ କହିଛନ୍ତି କି ୨୦୦୪ ମସିହାରେ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ରିପ୍ରେଜେଣ୍ଟଟିଭ୍ ଭାବେ ଥିଲେ । ପରେ ପରେ ସେ ୨୦୦୯ ମସିହା ରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀରେ ବିଧାୟକ ପାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଟିକଟ୍ ମଧ୍ୟ ପାଇଲେ ହେଲେ ନିର୍ବାଚନ ବିଜୟ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷମତାର ଅପବ୍ୟବହାର କରିଆସୁଥିବା ଅଭିଯୋଗ କଲେ ରମେଶ । ଏଭଳିକି ମୋ ନାଁ ରେ ମକଦ୍ଦମା ପରେ ପରେ ସତମିଛ କହି ମୋ ମା’କୁ ସେ କନ୍ଦାଇଥିଲେ । ମୋ ନାଁରେ ୫୪ ମିଛ କେଶ୍ ଦେଇଥିଲେ । ସେତେବେଳେ ସେ ବିଧାୟକ ନ ଥିଲେ, ଖାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିଲେ । ପରେ ସେ ବିଧାୟକ ହେଲେ, ମନ୍ତ୍ରୀ ହେବା ପରଠାରୁ କଳା ଧନକୁ ଧଳା କରିବାରେ ପ୍ରଦୀପ ଓସ୍ତାଦ ଥିଲେ। ଦୁର୍ନୀତିଗ୍ରସ୍ତ ଥିବା ପ୍ରଦୀପଙ୍କୁ ବହୁ ଆଗରୁ ଗିରଫ କରିବାର ଥିଲା, ମାତ୍ର ବହୁ ବିଳମ୍ବରେ ସରକାର ତାଙ୍କୁ ଗିରଫ କରିଲେ ଏହା ସ୍ଵାଗତଯୋଗ୍ୟ ପଦକ୍ଷେପ ।
କିନ୍ତୁ ଏଯାବତ ଦୁର୍ନୀତି ଥିବା ସମସ୍ତ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ହେଲେ ପ୍ରଦୀପଙ୍କ ଭଳି ଅନେକ ଦୁର୍ନୀତିର ଗୁମର ଖୋଲିବବୋଲି କହିଛନ୍ତି । କିନ୍ତୁ ଏଥିରେ କେଉଁ କେଉଁ ମାନେ ଅଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ରହିଥିଲା କିନ୍ତୁ କାହାର ନାଁ ନେଇ ନଥିଲେ ବରଂ ଅଭିଯୋଗ କରିଥିଲେ କି ଏହା ରାଜ୍ୟ ସରକାର ସମସ୍ତ ଦୁର୍ନୀତି ଓ ଦୁର୍ନୀତିଖୋର ଙ୍କ ବିଷୟରେ ବେଶ୍ ଭଲରେ ଅବଗତ ଅଛନ୍ତି । ଯଦି ସଠିକ ସିବିଆଇ ତଦନ୍ତ ହୁଏ ତେବେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବ କହି ଉତ୍ତର ରଖିଥିଲେ ରମେଶ । ତଦନ୍ତ କରନ୍ତୁ ଏହା ଏକ ଟେଲର ସମ୍ମିଳନୀ । ଫିଚର୍ ଏଭି ବି ବାକି ହେ ସରକାର ବୋଲି ସେ ଉପସ୍ଥିତ ଗଣମାଧ୍ୟମ କୁ ଜଣାଇ ଥିଲେ ।
ଆଜିର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ମୋହନା ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ, ଗୋପାଳପୁର ବିଧାୟକ ପ୍ରାର୍ଥୀ ଧର୍ମରାଜୁ ରେଡ୍ଡୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ବିଜୟ କୁମାର ସାହୁ, ଆର୍.କେ.ଦେଓ ,ଚିନ୍ମୟ ହୋତା ,ଦେବାଶିଷ ମହାନ୍ତିଙ୍କ ସମେତ ବହୁ ଦଳିଅ କର୍ମକର୍ତ୍ତା ଉପସ୍ଥିତ ଥିଲେ ।