ବେତନଟୀ, ୧୮/୧୦ : ବେତନଟୀ ରେଞ୍ଜର ବଡାମପୁର, ବେତନଟୀ ଓ କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ରରେ ଥିବା ମୋଟ ୨୩ଟି ଝାଡଖଣ୍ଡି ହାତୀକୁ ନେଇ ଏବେ ଚାଷୀ ମାନଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ବଡାମପୁର ବନପାଳ କ୍ଷେତ୍ରରେ ୨୧ଟି ହାତୀ ଉପଦ୍ରବ କରୁ ଥିବା ବେଳେ କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ରରେ ଗୋଟିଏ ଓ ବେତନଟୀ ବନପାଳ କ୍ଷେତ୍ରରେ ଗୋଟିଏ ହାତୀ ରହି ଥିବାର ଜଣା ପଡିଛି । ଏହି ହାତୀ ଗୁଡିକ ସାଧାରଣତଃ ଏବେ ଧାନ କ୍ଷେତ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଜଙ୍ଗଲ ଘେରା ଶୋଳ ଜମି ଗୁଡିକରେ ଭଲ ଧାନ ଚାଷ ହୋଇଛି । ହାତୀ ଗୁଡିକ ଏହି ଧାନ ଗୁଡିକ ଖାଇବା ସହିତ ନଷ୍ଟଭ୍ରଷ୍ଟ କରି ଦେଉଛନ୍ତି ।
ବନ କର୍ମଚାରୀ କିମ୍ବା ଗ୍ରାମବାସୀ ମାନେ ଏଠାକୁ ପହଞ୍ଚିବାର ଉପାୟ ନାହିଁ । ଜଙ୍ଗଲ ଦେଇ ହାତୀ ଗୁଡିକୁ ଘଉଡାଇବାକୁ ଚାଲି ଚାଲି ଯିବାଟା ଅତ୍ୟନ୍ତ ବିପଦପୂର୍ଣ୍ଣ ହେଉଛି । ଜମି ଦେଇ ଆସିଲେ କିଛି ସମୟ ପାଇଁ ହାତୀ ଗୁଡିକ ଜଙ୍ଗଲକୁ ପଶି ଯାଉଛନ୍ତି । ଗ୍ରାମବାସୀ ଓ ବନ କର୍ମଚାରୀ ମାନେ ଚାଲି ଯିବା ପରେ ପୁଣି ବାହାରି ଚାଷକୁ କ୍ଷତି କରୁଛନ୍ତି । ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବଡାମପୁର ବନପାଳ ଶିରୀଶ ଦଳେଇ, କୃଷ୍ଣଚନ୍ଦ୍ରପୁର ବନପାଳ ପ୍ରଶାନ୍ତ କୁମାର ସିଂସାମନ୍ତ, ବନରକ୍ଷୀ ରାଇଧନ ସିଂ ଓ ଅନ୍ୟମାନେ ହାତୀ ଗୁଡିକୁ ନିୟନ୍ତ୍ରଣ କରିବାରେ ନିୟୋଜିତ ଥିବାର ଜଣା ପଡିଛି