ଏବେ ନବରାତ୍ରି ବ୍ରତ ଚାଲିଛି | ଆଦିଶକ୍ତି ମା ଜଗତ୍ଜନନୀ ଦୁର୍ଗାଙ୍କର ପୂଜା,ଆରାଧନା ଧୁମଧାମ ରେ ସମଗ୍ର ଦେଶରେ ପାଳିତ ହେଉଛି | ଶରତ ଋତୁ ର ଆନନ୍ଦମୟ ସମୟରେ ଭକ୍ତଗଣ ଭଗବତୀ ଦୁର୍ଗାଙ୍କର ଏହି ନବରାତ୍ରି ବ୍ରତ ଖୁବ ନିଷ୍ଠା ର ସହ ପାଳନ କରିଥାନ୍ତି | ନବରାତ୍ରି ର ପ୍ରତିଦିନ ମା ଦୁର୍ଗା ଭିନ୍ନ ଭିନ୍ନ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି | ଶ୍ରଦ୍ଧା ର ସହ ବ୍ରତ ପାଳୁଥିବା ଭକ୍ତଙ୍କ ଉପରେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କର ଅହୈତୁକ କୃପା ବୃଷ୍ଟି ହେଇ ଥାଏ |
ପ୍ରାୟ ଭକ୍ତଗଣ ମାଆ ଙ୍କ ନିକଟରେ ସୁଖ,ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ତଥା ଜାଗତିକ ଐଶ୍ଵର୍ଯ୍ୟ ପାଇଁ ପ୍ରାର୍ଥନା କରିଥାନ୍ତି | କେହି କେହି ନିଜ ପରିବାର, ପିଲା ଛୁଆ ଇତ୍ୟାଦିଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ବ୍ରତାଚାର କରନ୍ତି | ମା ଅନ୍ନପୂର୍ଣ୍ଣା ଅବଶ୍ୟ ସମସ୍ତଙ୍କର ମନୋକାମନା ପୁରାଣ କରିଥାନ୍ତି | କିନ୍ତୁ କଦବା କ୍ୱଚିତ ଜଣେ ଅଧେ ମହାତ୍ମା ମଣିଷ ଏ ସବୁ ଜାଗତିକ ଲାଳସା ରୁ ଉର୍ଧ୍ଵ କୁ ଯାଇ ପରମାର୍ଥିକ ମଙ୍ଗଳ କରିବାକୁ ମନ ବଳେଇ ଥାନ୍ତି | ଆଉ ସେମାନେ ଆଦିମାତା ଦୁର୍ଗାଙ୍କ ପାଖରୁ କେବଳ ମାତ୍ର ଶୁଦ୍ଧ ଭକ୍ତି କାମନା କରିଥାନ୍ତି | ଦୁର୍ଲ୍ଲଭ ମାନବ ଜୀବନର ଚରମ ଲକ୍ଷ୍ୟ କଣ କେବଳ ସେଇ ମହାତ୍ମା ମାନେ ହିଁ ବୁଝିଥାନ୍ତି |
ତେବେ ଈଶ୍ଵର ପ୍ରାପ୍ତିର ସବୁଠୁ ସହଜ ଓ ସରଳ ମାର୍ଗ ହେଉଛି ଭକ୍ତି ମାର୍ଗ – ଏହା ସେମାନେ ହୃଦୟଙ୍ଗମ କରିଥାନ୍ତି | ଜ୍ଞାନ ମାର୍ଗ , ଯୋଗ ମାର୍ଗ ଇତ୍ୟାଦି ଠାରୁ ଭକ୍ତିମାର୍ଗ ନିଃସନ୍ଦେହ ଉତ୍ତମ ମାର୍ଗ | ସାମ୍ପ୍ରତିକ ସମୟରେ ସାଂସାରିକ ଜୀବନରେ ରହି ଜ୍ଞାନ ଓ ଯୋଗ ମାର୍ଗ ଦ୍ୱାରା ଭଗବତ ପ୍ରାପ୍ତି ଏକରକମର ଦୁଃସାଧ୍ୟ | ତେଣୁ ଗୃହସ୍ଥାଶ୍ରମ ରେ ରହି ଭକ୍ତି ମାର୍ଗର ପଥ ଅନୁସରଣ କରି ଭଗବାନଙ୍କୁ ପାଇ ପାରିବା ସହଜ ଉପାୟ | ଉପାୟ ତ ସହଜ , କିନ୍ତୁ ଭକ୍ତି ପାଇବା କେମିତି ? ଏ ଜଡ,ଅଚେତନ ସଂସାର ମଉଜ ମସ୍ତି ରେ ବୁଡି ରହିଥିବା ଆମ ମାନଙ୍କ ହୃଦୟରେ ଭକ୍ତି ସଂଚାର କରିବ କିଏ ? କିଏ ସେ ଭକ୍ତି ରସାମୃତ ମନ୍ତ୍ର ଫୁଙ୍କିବ ଆମ କାନରେ ? ଏ ସବୁ ପ୍ରଶ୍ନ ର ଗୋଟିଏ ସରଳ ଉତ୍ତର – ସ୍ୱୟଂ ଭକ୍ତି ପ୍ରଦାୟିନୀ ମା ଦୁର୍ଗା କୃପା କଲେ ଆମ ମନରେ ଭଗବତ ଭକ୍ତି ର ଗଙ୍ଗା ନିଶ୍ଚିତ ପ୍ରବାହମାନ ହେବ |
ମହାପୁରାଣ ଭଗବତ ଅନୁସାରେ ଭକ୍ତି ପୁଣି ନଅ ପ୍ରକାର – ଶ୍ରବଣ, କୀର୍ତ୍ତନ,ବିଷ୍ଣୁ ସ୍ମରଣ, ଅର୍ଚ୍ଚନ , ବନ୍ଦନ, ପଦ ସେବନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ | ଶ୍ରୀହରି ଙ୍କ ଉପାସନା ଏହି ନଅ ପ୍ରକାର ଭକ୍ତି ମାଧ୍ୟମରେ କରା ଯାଇ ଥାଏ | ଯଦି ଜଣେ ଶାରୀରିକ ଅକ୍ଷମ , ଚଳପ୍ରଚଳ ହୀନ, ତେବେ ସେ ହରି ଭଜନ,କୀର୍ତ୍ତନ ଓ ସ୍ମରଣ କରି ପାରିବ – ତା ଦ୍ୱାରା ମଧ୍ୟ ଭକ୍ତି ମିଳି ପାରିବ | ଆଉ କେହି ଶ୍ରୀହରି ଙ୍କ ପୂଜା କରିବା, ବନ୍ଦନା ଆଳତୀ କରିବା , ସେବା ଶୁଶ୍ରୂଷା କରିବା ମାଧ୍ୟମରେ ମଧ୍ୟ ଭକ୍ତି ହାସଲ କରି ପାରିବ | ଆଉ କେହି କେହି ସମର୍ପଣ ଦ୍ୱାରା | ସମର୍ପଣ ଭକ୍ତି ତିନି ପ୍ରକାର – ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ | ୟା ଦ୍ୱାରା ମଧ୍ୟ ହରି ଭକ୍ତି ପାଇବା ସମ୍ଭବ |
ଶ୍ରବଣ ଭକ୍ତି ପାଇଁ ପରୀକ୍ଷିତ ମହାରାଜ, କୀର୍ତ୍ତନ ପାଇଁ ଶ୍ରୀ ଶୁକଦେବ ଗୋସ୍ୱାମୀ , ବିଷ୍ଣୁ ସ୍ମରଣ ପାଇଁ ଭକ୍ତରାଜ ପ୍ରହ୍ଲାଦ , ପୂଜନ ବା ଅର୍ଚ୍ଚନ ପାଇଁ ରାଜା ପୃଥୁ , ବନ୍ଦନ ପାଇଁ ଅକ୍ରୁର, ଦାସ୍ୟ ପାଇଁ ଭଗବାନ ଶ୍ରୀ ହନୁମାନ , ସଖ୍ୟ ପାଇଁ ମାଧ୍ୟମ ପାଣ୍ଡବ ଅର୍ଜୁନ ଓ ଆତ୍ମନିବେଦନ ପାଇଁ ଦାନବୀର ବଳି – ଜଗତରେ ବିଖ୍ୟାତ | କିନ୍ତୁ ଶାସ୍ତ୍ର ମତରେ ଯେ କୌଣସି ମାଧ୍ୟମରେ ଗଲେ ମଧ୍ୟ , ଭଗବାନଙ୍କୁ ପାଇବା ନିଶ୍ଚିତ | ତେବେ ନବ ଦିନ ବ୍ୟାପି ଚାଲୁଥିବା ନବରାତ୍ରି ରେ ଆମେ ମାନେ ଯଦି ସାଂସାରିକ ସୁଖ ସୁବିଧା କାମନା ପରିବର୍ତ୍ତେ ପ୍ରତି ଦିନ ଗୋଟିଏ ଗୋଟିଏ କରି ନ ଦିନ ରେ ନ ପ୍ରକାର ଭକ୍ତି ପାଇବା ପାଇଁ ମା ଦୁର୍ଗା ଙ୍କ ପ୍ରାର୍ଥନା କରନ୍ତେ , ତେବେ ମା ଖୁସି ଖୁସି ରେ ଆମକୁ ତାହା ପ୍ରଦାନ କରନ୍ତେ |
ଶକ୍ତି ସ୍ୱରୂପିଣୀ ମା ଦୁର୍ଗା ସିଂହ ବାହିନୀ ହେଇ ମହିଷାସୁର କୁ ବଧ କରିବା ମୂର୍ତ୍ତି ସର୍ବତ୍ର ବିଦ୍ୟମାନ ହେଲେ ବି ଅସଲରେ ସେ ପରମ ବୈଷ୍ଣବୀ ଓ ଭକ୍ତି ଦାୟିନୀ | ମାଆ’ ଙ୍କ ଉଗ୍ର ରୂପ ଅନ୍ତରାଳରେ କୋମଳ ମାତୃଶକ୍ତି ସବୁବେଳେ ବିଦ୍ୟମାନ | ପାବନ ନବରାତ୍ରି ସମୟରେ ମା ପ୍ରସନ୍ନ ହେଲେ ଅବଶ୍ୟ ଭକ୍ତି ପ୍ରଦାନ କରିବେ |