ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଯେତେବେଳେ ସମଗ୍ର ଧରାପୃଷ୍ଟରେ ହିଂସା ରାଜୁତି କରୁଛି ସେତେବେଳେ ଅକ୍ଟୋବର ମାସ ୨ତାରିଖଟିକୁ ଆମେ ଅନ୍ତର୍ଜାତୀୟ ଅହିଂସା ଦିବସ ରୂପେ ପାଳନ କରିବା କ’ଣ କମ୍ ବଡକଥା! ଜାତିସଙ୍ଘର ସମସ୍ତ ସଭ୍ୟ ଏବଂ ତକ୍ରାଳୀନ(୨୦୦୭ମସିହାର) ଅଧିକାରୀମାନେ ଭାରତର ପ୍ରସ୍ତାବଟିକୁ ସାଦରେ ଗ୍ରହଣ କରି ଅହିଂସା ଦିବସ ରୂପରେ ଅନୁମୋଦନ କରିଥିବାରୁ ସମସ୍ତେ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର । ଯୁଗପୁରୁଷ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ ଅକ୍ଟୋବର ୨ତାରିଖକୁ ୨୦୦୭ରୁ ସାରା ବିଶ୍ୱ ଅହିଂସାଦିବସ ରୂପରେ ପାଳନ କରି ଆସୁଥିବା ବେଳେ ଭାରତ ଏହି ଦିନଟିରେ ଦୁଇଟିପର୍ବ ପାଳନ କରେ । ପ୍ରଥମଟି ହେଲା ଗାନ୍ଧୀ ଜୟନ୍ତି ଏବଂ ଦ୍ୱିତୀୟଟି ହେଲା ଅନ୍ତର୍ଜାତୀୟ ଅହିଂସା ଦିବସ ।
ଏ’ବର୍ଷ କରୋନା ଭୂତାଣୁର କବଳରେ ପୁରା ପୃଥିବୀ ଦହଗଞ୍ଜ ହେଉଥିବାରୁ ବେଶୀଲୋକ ଏକାଠି ହୋଇ ଏସବୁ ପର୍ବ ପାଳନକରିବାକୁ ଅନୁମତି ନାହିଁ । ତଥାପି କାଲି ମୋତେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଗେଟୁ ଫୋନ୍ କରି କହିଲା, ‘ଲୁଟୁନା କହିଛି ମହାନଦୀକୂଳରେ ଏ ଦିବସଟିକୁ ଧୁମ୍ଧାମ୍ରେ ପାଳିବା । ସିଏ ସମସ୍ତଙ୍କୁ ନିମନ୍ତ୍ରଣ କରିଛି । ବାରିଟା ପଡିଛି । ମାନେ ଶୁକ୍ରବାର ତ ଆମିଷଭକ୍ଷଣ ପାଇଁ ଅତି ଉତ୍ତମ । ଆଲୋକର ଘର ପାଖରେ ଅଲ୍ଲାମିଆଁର ମଟନ୍ ଦୋକାନ, ତେଣୁ ସିଏ ଛେଳିକଟା ଜାଣିଛି । ବିର ମଟନ୍ ରୋଷେଇକଲେ ଆଙ୍ଗୁଠି ଚାଟିଚାଟି ଖାଇବ ।
ସିପୁ ମସଲାମସଲି ଯୋଗାଡ କରି ତା’ଙ୍କ ଘରୁ ଆଣିବାକୁ ହଁ ଭରିଛି । ସମସ୍ତଙ୍କୁ କାଲିଠାରୁ ଦାୟିତ୍ୱ ବଂଟାସରିଛି । ଶୁଭାଶିଷର ସାଲାଡ ସ୍ନାକ୍ସ, ନିହାର ଓ ରାକେଶର ପାଣି । ଶଶିକାନ୍ତର କାଜୁ ଖିସ୍ମିସ୍ ସାଙ୍ଗରେ ସେଓ ଅଙ୍ଗୁର ଫଳ । କୈଳାସ ସୁଶାନ୍ତ ରଞ୍ଜନକୁ ମିଶେଇ ଆମେ ସମୁଦାୟ ବାରଜଣ ହେଉଛେ, ସେଥିପାଇଁ ସିଏ ଗୋଟାଏ ବାଂଝ ମାଈଛେଳି କିଣିଦେଇଛି । ବେଶୀ ବଡ ନୁହେଁ, ଟାଙ୍କୁଫାଙ୍କୁ ଯାଇ ଛଅ ସାତକିଲୋ ମାଉଁସ ହେବ । ଭାଉଜ ଆଇଁଷ ଖାଉନି ବୋଲି ମାଉଁସ ଘରେ ପୁରୋଉନି । ତେଣୁ ଲୁଟୁନା ଏପରି ଯୋଜନା କରିଛି । ଆମର ସେ ଭୋଜିକୁ କିଛି ଦେବାନେବା ଦରକାର ନାହିଁ, ଖାଲି ଆସିକି ଖାଇବୁ । ମୁଁ କହିଲି ଆରେ ଅନ୍ତର୍ଜାତୀୟ ଅହିଂସା ଦିବସଟିକୁ ଆମେ ମାନେ ହିଂସାରେ ପାଳନ କରିବା?
– ହିଂସା! କିଏ କାହା ସାଙ୍ଗରେ ହିଂସା କରୁଛି?
– ନାଇଁମ, ଅହିଂସା ଦିବସଟି ଶୁକ୍ରବାରରେ ପଡିଲା ବୋଲି ଆମେ ଛେଳି କାଟିଲେ ହିଂସା ହେବନି! ସିଏ କ’ଣ ଗୋଟାଏ ଜୀବ ନୁହେଁ! ଏପରିକା ଶୁଭ ଦିନରେ ଆମେ ଜୀବବଦ୍ଧ କଲେ ଭଲ ହେବନି, ପାପ ହେବ । ଗାନ୍ଧୀ ଜୟନ୍ତିକୁ ଅହିଂସା ଦିବସ । ଅମିଷ ଭକ୍ଷଣ ବର୍ଜନ କରିବା ଅନିବାର୍ଯ୍ୟ ।
– ସେସବୁ ବାଜେ କଥା ଛାଡ୍ । ଛେଳି କୁକୁଡା କଟାକଟି ହିଂସାରେ ଯାଏନି । ସେମାନଙ୍କ ଜନ୍ମ ସେଥିପାଇଁ । କାଲି ଜୁମା ଅଛି, ହଜାରେ ହଜାରେ କଟିଯିବେ, ଆମେ ଗୋଟାଏ ମାଇଲେ ପାପ କାହିଁକି ହେବ! ତୁ ଆସିବୁ, ସେଠି ତୋ’ର ପ୍ରବଚନ ଶୁଣେଇବୁ ।
ପ୍ରାୟେ ଲୋକଙ୍କର ଏହି ସମଦଶା । ସକାଳେ ସଭା ସମିତିରେ ଲମ୍ବାଲମ୍ବା ଚିକ୍କଣ ଭାଷଣ ଦେବେ ଏବଂ ଘରେ ଯାଇ ଶୁକ୍ରବାର ମଧ୍ୟାନ୍ନ ଭୋଜନ ଥାଳିରେ ଛେଳି, କୁକୁଡା ଗୋଡ କଷା କି ମାଛଝୋଳ ଖାଇବେ । ସେମାନେ ସେହି ଛୋଟିଆ କଥାଟିକୁ ଭୁଲି ଯାଆନ୍ତି ଯେ ଥରେ ମହାତ୍ମା ଛେଳିମାଂସ ଖାଇ ରାତିରେ ତା’ଙ୍କ ପେଟଭିତରେ ଛେଳି ମେଁମେଁ ବୋବେଇ କାନ୍ଦିବା ଅନୁଭବ କରି ସାରାରାତି ଶୋଇ ପାରିନଥିଲେ । ଏମିତି ପର୍ବ ହଜାରେ ମନେଇଲେ ଲାଭ କ’ଣ! ଏସବୁ ଦିବସ ପର୍ବପରି ପାଳନ ନକରି ବରଂ ଆତ୍ମ ବିଶ୍ଲେଷଣ କରିବା ଉଚିତ୍ । ଜାତିର ଜନକ ମହାତ୍ମାଙ୍କ ଜୟନ୍ତିରେ ତାଙ୍କର କେତୋଟି କଥା ଆମେ ମନେ ପକେଇବା ଦରକାର ।
ତାଙ୍କର ପ୍ରଥମ ଇଚ୍ଛା ଥିଲା ଭାରତରେ ସ୍ୱରାଜ ଆସିବା ପରେ ଭାରତ ନିଶାମୁକ୍ତ ହେଉ । କିନ୍ତୁ ଆଜିକାର ସ୍ଥିତି ଆଲୋଚନା ନକଲେ ଭଲ । ଆଇନିକାନୁନରେ ତାଙ୍କର ଜନ୍ମସ୍ଥାନ ଗୁଜୁରାତରେ ମଦ ଦୋକାନ ସିନା ନାହିଁ, କିନ୍ତୁ ପିଇବା ଲୋକଙ୍କୁ ପିଇବାକୁ ଅଭାବ ଜମାରୁ ନାହିଁ । ଲୁଚାଚୋରାରେ ସବୁ ବ୍ରାଣ୍ଡ ସବୁ ସହରର ସବୁ ଗଳିରେ ମିଳୁଛି । କିଛିକିଛି ରାଜ୍ୟରେ ଦେଶିବିଦେଶି ମଦର ବନ୍ୟା ଛୁଟୁଛି । ବଲିଉଡ୍ର ଆଦର୍ଶ ନାୟକ ନାୟିକାମାନେ ଆଉ କେଇପାଦେ ଆଗକୁ ଯାଇ ଭାଙ୍ଗ, ଗଞ୍ଜେଇ, ଅଫିମ, ଚରସ୍ ପରି ଡ୍ରଗ୍ସ ନିୟମିତ ଭାବରେ ସେବନ କରୁଥିବାର ତଥ୍ୟମାନ ଏବେ ନିଶା ନିବାରଣ ସଂସ୍ଥାର ହସ୍ତକ୍ଷେପ ଦ୍ୱାରା ଲୋକ ଲୋଚନକୁ ଆସୁଛି । ଗାନ୍ଧୀ କହୁଥିଲେ ନିଶାଗ୍ରସ୍ତ ନାଗରିକମାନଙ୍କ ପକ୍ଷରେ ରାଷ୍ଟ୍ରର ସ୍ୱାଧୀନତା ବେଶୀଦିନ ବଂଚେଇ ରଖିବା ଆଦୌ ସମ୍ଭବ ପର ନୁହେଁ । ହେଲେ ତା’ଙ୍କ କଥାକୁ ଆଜି ମାନୁଛି କିଏ? ତା’ଙ୍କପାଇଁ ଟ୍ରକଟ୍ରକ ଫୁଲମାଳରେ ମଂଚ ସଜେଇ ତା’ଙ୍କ ଫଟୋଆଗରେ ଗୋଚ୍ଛା ଗୋଚ୍ଛା ସୁବାସିତ ଅଗରବତୀ ଜଳେଇ ଧୂଆଁ ଦେଲେ କି ଲାଭ! ଏଥିରେ କେବଳ ନିଜର ବିଜ୍ଞାପନ କରିବା ଛଡା ଆଉକିଛି ନୁହେଁ ।
୧୯୨୧ ମସିହା ମାର୍ଚ୍ଚ ୨୩ତାରିଖରେ ଗାନ୍ଧିଜୀ ଓଡିଶା ଆସି କାଠଯୋଡି କୂଳ ନଦୀବାଲିରେ ଜନସଭାଟିଏ କରି ଉଦ୍ବୋଧନ ଦେଇଥିଲେ । ସେତେବେଳେ ତା’ଙ୍କ ସହ ଉକôଳମଣି ଗୋପବନ୍ଧୁ ଦାଶ ମଧ୍ୟ ସେହି ସଭାରେ ଥିଲେ । ଏହାକୁ ଲୋକେ ଏବେ ଗାନ୍ଧୀଘାଟ ବୋଲି କୁହନ୍ତି । ଏହି ଘାଟର ଉପରକୁ ରିଙ୍ଗ୍ବନ୍ଧରେ ଟିକିଏ ଗଲେ ପଡେ ପୁରିଘାଟ । ସେଠାରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିଟିଏ ଅଛି । କିନ୍ତୁ ବଡ ଦଃୁଖର କଥା ଏତେବଡ ପବିତ୍ର ପୀଠ ଏବଂ ଐତିହାସିକ ଜାଗାରେ ସେହି ପ୍ରତିମୂର୍ତ୍ତି ପାଖରେ ମଦଦୋକାନଟିଏ ଖୋଲାଯାଇଛି । ଅବକାରୀ ବିଭାଗର ଅଧିକାରୀମାନେ ଅନୁମତି ଦେଲାବେଳେ ଏସବୁ ଛୋଟକଥା ଆଡେ ବୋଧେ ମୁଣ୍ଡ ପୁରୋଉନାହାନ୍ତି । ଭଲଜାଗାରେ ଦୋକାନଟିଏ ହେଲେ ବିକ୍ରି ଭଲହେବ, ରାଜସ୍ୱ ଭଲ ଆସିବ । ଲୋକେ ନିଶାଖାଇ ଅଧିକରୁ ଅଧିକ ରୋଗବୈରାଗରେ ମରନ୍ତୁ, ସିଏ କାହିଁକି ଦାୟୀ ହେବେ! ନିଶା ନିବାରଣ ମହାତ୍ମାଙ୍କର ପ୍ରାଥମିକତା ଥିଲା ।
ପ୍ରକୃତରେ ଦେଖିବାକୁ ଗଲେ ଏହି ନିଶା ହିଁ ପାରିବାରିକ ହିଂସାର ମୂଳ କାରଣ । ସିଏ ଯଦି ଜାଣିଥାନ୍ତେ ଯେ ସ୍ୱାଧୀନତାର ସତୁରି ବର୍ଷ ପରେ ସବୁ ଜିଲ୍ଲାରେ ସବୁ ସହରରେ ମଦ ଦୋକାନ ଖୋଲିଯିବ ଏବଂ ଗାଁଗଣ୍ଡା ଗଳିକନ୍ଦିର ପାନସିଗାରେଟ୍ ଦୋକାନରେ ବି ମଦବୋତଲ ବିକ୍ରି ହେବ ସିଏ ବୋଧେ ଏତେ ପରିଶ୍ରମ କରି ସ୍ୱରାଜ ଆଣିନଥାନ୍ତେ । ଭାରତ ସ୍ୱାଧୀନ ହେବା ପୂର୍ବରୁ ଶହେ କୋଡିଏ ବର୍ଷ ଯାଏ ବଂଚିବାକୁ ଇଚ୍ଛା କରି ଗାନ୍ଧିଜୀ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ ବୋଲି ପାଖଲୋକ କୁହନ୍ତି । ସ୍ୱାଧୀନତା ପରେ ସେ ଆମ ଦେଶର କିଛି ନେତା ଓ ଲୋକମାନଙ୍କ ମତିଗତି ଦେଖି ଏହି ଇଚ୍ଛାକୁ ପରିତ୍ୟାଗ କରିଦେଇଥିଲେ ବୋଲି କିଛି ଲୋକଙ୍କ ମୁହଁରୁ ଶୁଣାଯାଏ । ସ୍ୱାଧୀନତା ନାମରେ ଦେଶ ଯାହା ପାଇଲା ଓ ସ୍ୱାଧୀନତା ପରେ ଦେଶ ଯେଉଁମାନଙ୍କ କବଳରେ ରହିଲା ସେମାନଙ୍କ ମଧ୍ୟରେ ଛଳ କପଟ ଭରପୁର ଥିଲା ।
ଭାରତୀୟ ରାଜନୈତିକ ନେତୃତ୍ୱରେ ମୂଳରୁ ଯେଉଁ ଦୁର୍ଲକ୍ଷଣମାନ ପ୍ରକାଶ ପାଇଲା ଗାନ୍ଧୀ ନିରାଶ ହୋଇପଡିଥିଲେ । ଦେଶ ଦୁଇଭାଗ ହେଲା ଏବଂ ତାଙ୍କୁ ହତ୍ୟା କରାଗଲା । ତାପରେ ସେହି ନେତାମାନେ ତା’ଙ୍କୁ ପୂଜା କଲେ । ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଲେ । କଡେକେଡେ ବଡ ଶୋକସଭା ମାନ କଲେ । କୁମ୍ଭୀର ପରି କାନ୍ଦିକାନ୍ଦି ଆଖିରୁ ଲୁହ ଗଡେଇଲେ । ଏବେଯାଏ ବି ସେହି ପରଂପରା ଚାଲି ଆସୁଛି । ମହାତ୍ମାଙ୍କର ବିଶ୍ୱକୁ ଆଉ ଏକ ବିଶେଷ ଦାନ ଥିଲା ସତ୍ୟାଗ୍ରହ । ସରଳ ଭାଷାରେ କହିଲେ ସତ୍ୟକୁ ଆଗ୍ରହ କରିବା ହିଁ ସତ୍ୟାଗ୍ରହ । ମହାତ୍ମା ଗାନ୍ଧିଜୀଙ୍କ ଦ୍ୱାରା ସେତେବେଳର ସତ୍ୟାଗ୍ରହ ଓ ଆନେ୍ଦାଳନ ଏବଂ ଆଜିର ସତ୍ୟାଗ୍ରହ ଅନେ୍ଦାଳନ ଭିତରେ ଆକାଶ ପାତାଳ ପ୍ରଭେଦ । ସାହିନ ବାଗ୍ ଓ ଜାଫ୍ରା ବାଦ୍ ଅଂଚଳରେ ସିଏଏ ପାଇଁ ଜନ ଅନେ୍ଦାଳନ ଏବଂ ଦିଲ୍ଲୀ ଦଙ୍ଗାକୁ ଗୋଟିଏ ପୁରୁଣା ଜାତୀୟ ଦଳର କିଛି ମୁଷ୍ଟିମେୟ ନେତା ସାହାଯ୍ୟ କରୁଥିଲେ ଏବଂ ଆନେ୍ଦାଳନକାରୀଙ୍କୁ ବିରିୟାନୀ ପ୍ୟାକେଟ୍ ଯୋଗାଉଥିଲେ ବୋଲି ଏବେ ଜଣା ପଡୁଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ।
ମାହାତ୍ମାଗାନ୍ଧୀଙ୍କର ଜନ୍ମ ୧୮୬୯ମସିହା ଅକ୍ଟୋବର ୨ତାରିଖରେ । ତାଙ୍କର ପିତା ରାଜକୋଟ ରାଜାଙ୍କର ଦେୱାନ ଥିଲେ । ମହାତ୍ମାଗାନ୍ଧୀଙ୍କର ବାପା କାବା ଗାନ୍ଧୀ ସେତେବେଳେ ତୃତୀୟମହଲାରେ ତା’ଙ୍କ ପାଇଁ ପଢାପଢି କରିବାକୁ ବନେ୍ଦାବସ୍ତ କରିଥିଲେ । ପଙ୍ଖା ନଥିଲେ ମଧ୍ୟ ଉତ୍ତମ ବାୟୁ ଚଳାଚଳର ସୁବିଧା ଥିଲା । ମାତ୍ର ତେରବର୍ଷ ବୟସରେ ସେ ବିବାହ କଲେ । ୧୮୮୮ମସିହାରେ ବାରିଷ୍ଟରୀ ପାଠ ପଢିବାପାଇଁ ସେ ବିଲାତ ଯାତ୍ରା କରିଥିଲେ ଏବଂ ୧୮୯୧ମସିହାରେ ପଢାସାରି ଭାରତକୁ ଫେରି ଆସି ମୁମ୍ବେଇ ସହରରେ ଓକିଲାତି ଆରମ୍ଭ କରିଥିଲେ । ୧୯୦୬ମସିହାରେ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ପ୍ରତି କଳାଗୋରା ଭେଦଭାବର ଅନ୍ୟାୟ ଅତ୍ୟାଚାରରେ ଅତିଷ୍ଠ ହୋଇ ସେଠାରେ ଏକ ଜନ ଆନେ୍ଦାଳନର ନେତୃତ୍ୱ ନେଲେ । ଏ ସଂଘର୍ଷ ବହୁତ ଲମ୍ବା ଚାଲିଲା । ପରିଶେଷରେ ସତ୍ୟର ଜିତ୍ ହେଲା ।
ସେହି ଆନେ୍ଦାଳନରେ ସଫଳତା ପାଇ ୧୯୧୪ମସିହାରେ ଗାନ୍ଧିଜୀ ଭାରତ ଫେରିଲା ବେଳେ ତା’ଙ୍କୁ ଭବ୍ୟ ସ୍ୱାଗତ କରାଗଲା । ତାପରେ ଚାରିପାଂଚ ବର୍ଷ ଭାରତରେ ଅନୁରୂପ ଅବସ୍ଥା ଦେଖି ଅହିଂସା ଏବଂ ସତ୍ୟାଗ୍ରହକୁ ଅସ୍ତ୍ର କରି ଜନ ଆନେ୍ଦାଳନମାନ ଆରମ୍ଭ କଲେ । ଆପଣଙ୍କ ଭିତରେ ଅନେକ ଜାଣିଥିବେ ଯେ ୧୯୩୦ମସିହାରେ ଟାଇମ୍ସ ମାଗାଜିନ୍ ମାହାତ୍ମାଗାନ୍ଧୀଙ୍କୁ ସେହିବର୍ଷର ଶ୍ରେଷ୍ଠ ମଣିଷ ସମ୍ମାନରେ ସମ୍ମାନିତ କରିଥିଲା । ୨୦୦୭ମସିହାରେ ତାଙ୍କ ଜନ୍ମଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ରୂପରେ ଜାତିସଙ୍ଘ ଘୋଷଣା କଲା । ପାଂଚ ପାଂଚ ଥରପାଇଁ ମହାତ୍ମାଙ୍କ ନାଁ ନୋବେଲ୍ ପ୍ରାଇଜ୍ ପାଇଁ ପ୍ରାସ୍ତାବିତ ହେଲା, ହେଲେ ପୁରସ୍କାର ମିଳିଲାନି ।
ସେ ଛୁଆବେଳେ ବହୁତ ଲାଜକୁଳା ଥିଲେ । ବିଦ୍ୟାଳୟ ଛୁଟିହେବା ପରେ ସିଧା ଦୌଡିଦୌଡି ଘରକୁ ଚାଲିଆସୁଥିଲେ, କାରଣ ଅନ୍ୟମାନଙ୍କ ସହ କଥାହେବାକୁ ତାଙ୍କୁ ଲଜ୍ଜା ଲାଗୁଥିଲା । ବ୍ରହ୍ମଚାରୀ ହେବା ପୂର୍ବରୁ ତାଙ୍କର ଚାରୋଟି ସନ୍ତାନ ଥିଲେ । ପୃଥିବୀରେ ଲକ୍ଷଲକ୍ଷ ଲୋକ ପ୍ରତିଦିନ ଜନ୍ମ ଗ୍ରହଣ କରୁଛନ୍ତି ଏବଂ ମରୁଛନ୍ତି ମଧ୍ୟ । ମାତ୍ର ଜଣଜଣଙ୍କ ଜୀବନୀ ପୃଥିବୀ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଉଛି । ପୃଥିବୀରେ ଜନ୍ମଲାଭ କରି ମୃତୁ୍ୟବରଣ କରିବା ସତ୍ତ୍ୱେ ଅଳ୍ପ କେତେଜଣ ବ୍ୟକ୍ତି ଅମର ହୋଇ ବିଶ୍ୱବାସୀଙ୍କ ହୃଦୟରେ ଘର କରି ଜହିପାରିଛନ୍ତି ତନ୍ମଧ୍ୟରୁ ମୋହନ ଦାଶ କରମ ଚାନ୍ଦ ଗାନ୍ଧୀ ଅନ୍ୟତମ ।
ରାଜନୀତି କ୍ଷେତ୍ରରେ ମହାତ୍ମାଗାନ୍ଧୀ ଥିଲେ ଜଣେ ସାଧୂ ସଚ୍ଚୋଟ ଏବଂ ସ୍ପଷ୍ଟବାଦୀ ନେତା । ତାଙ୍କର ସବୁଠାରୁ ବଡ ଅସ୍ତ୍ର ଥିଲା ଅହିଂସା । ହରିଜନମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ଯାଇ ସେ ସମସ୍ତ ପ୍ରକାର ଚେଷ୍ଟାକରି ସଫଳ ହୋଇଛନ୍ତି । ପରେ କିନ୍ତୁ ସେହି ହରିଜନମାନଙ୍କର ମସିହା ଜନୈକ ନେତ୍ରୀ ମହାତ୍ମାଙ୍କ ବିରୁଦ୍ଧରେ ବିଷୋଦ୍ଗାର କରି କହିଲେ, “ହରିଜନମାନଙ୍କର ସୃଷ୍ଟି ମୂଳରେ ମହାତ୍ମା ଗାନ୍ଧୀ ଅଛନ୍ତି । ଏତ୍ଦ୍ୱାରା ଆମ ସମାଜର ଅପମାନ ହେଉଛି । ସିଏ ହିଁ ଏ ଛୁଆଁଅଛୁଆଁ ଭେଦଭାବକୁ ଭାରତରେ ବଢେଇଛନ୍ତି ।” ଏପରି କହିବାରୁ ରାତାରାତି ଛୋଟରୁ ବହୁତ ବଡ ନେତ୍ରୀ ହୋଇଗଲେ । ଏମିତି କହିକହି ଏତେ ପ୍ରସିଦ୍ଧ ହେଲେ ଯେ ୟୁପିର ମୂଖ୍ୟମନ୍ତ୍ରୀ ଚୌକି ପର୍ଯ୍ୟନ୍ତ ଉଠିଗଲେ । କେତେ ସାଧାରଣ ସଭାରେ ସିଏ ଭାଷଣ ଛଳରେ ପ୍ରଶ୍ନ କରିଛନ୍ତି ଯେ ଆରକ୍ଷଣ ପାଇଁ ମାହାତ୍ମା ଭାରତୀୟମାନଙ୍କୁ ରାମଜନ ଓ ହରିଜନ ପରି ଦୁଇଭାଗରେ ବିଭକ୍ତ କରିଦେଲେ । ରାମ ବି ଭଗବାନ ଏବଂ ହରି ବି ଭଗବାନ ।
କିନ୍ତୁ ମହାତ୍ମାଗାନ୍ଧୀ ହରିଜନ ଶଦ୍ଦଟି ଯେଉଁ ହରିଙ୍କର ଜନ ବୋଲି ବ୍ୟବହାର କରିଥିଲେ ସାଧାରଣ ଲୋକେ କ’ଣ ସେଇଆ ବୁଝୁଛନ୍ତି? ତେବେ ଆମେ ଆମର ଏହି ଦୟନୀୟ ସ୍ଥିତି ପାଇଁ କାହିଁକି ଗାନ୍ଧୀ ମହାତ୍ମାଙ୍କୁ ଦାୟୀ କରିବାନି! କଥାରେ ଅଛି “କହି ଜାଣିଲେ କଥା ସୁନ୍ଦର” । ନେତାମାନଙ୍କୁ ବୁଲେଇବାଙ୍କେଇ ସଜମାଛରେ ପୋକ ପକେଇବା କଳାଟି ଭଲଭାବରେ ଜଣା । ଏହି ତ ଆଜିଦିନର ରାଜନୀତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଯେଉଁମାନେ ଉପକୃତ ହେଲେ ଶେଷରେ ସେହିମାନେ ମାହାତ୍ମା ଗାନ୍ଧୀଙ୍କୁ ଅପରାଧୀ ସଜେଇ ଗାଳିଦେଲେ । ସେ ଛୁଆଁଅଛୁଆଁ ଜାତିପ୍ରଥାକୁ ତୀବ୍ର ଘୃଣା କରୁଥିଲେ । ସେ ସ୍ୱପ୍ନ ଦେଖୁଥିଲେ ଗୋଟିଏ ରାମରାଜ୍ୟର, ଯେଉଁଠାରେ ସମସ୍ତେ ସୁଖଶାନ୍ତିରେ ଜୀବନ ନିର୍ବାହ କରୁଥିବେ । ଅନ୍ୟାୟ ଅନୀତିର ସ୍ଥାନ ନଥିବ । ଅହିଂସା ଓ ସତ୍ୟାଗ୍ରହର ବାତାବରଣ ଭିତରେ ସର୍ବଧର୍ମ ସମନ୍ୱୟ ଭାବ ସହ ବିକାଶର ଗତି ପ୍ରଖର ଥିବ । ଗ୍ରାମସ୍ୱରାଜରେ ଲୋକ କୁଟୀରଶିଳ୍ପକୁ ମନପ୍ରାଣ ଦେଇ ନିଜ ଜାତିର ଉନ୍ନତି କଥା ଚିନ୍ତା କରୁଥିବେ । ଗାନ୍ଧିଜୀଙ୍କର ସ୍ୱପ୍ନର ଭାରତ ଥିଲା ଏକ ପରିପୂର୍ଣ୍ଣ ଏବଂ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଶଶକ୍ତ ଭାରତ ।
ଗାନ୍ଧୀ ଜୟନ୍ତିରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ଯଦି ଆମେ ତା’ଙ୍କଦ୍ୱାରା ପୋ୍ରସôାହିତ ରାସ୍ତାରେ ଚାଲିବାକୁ ଚେଷ୍ଟା କରିବା । ତା’ଙ୍କର ପ୍ରଥମ ଶିକ୍ଷା ନିଶା ନିବାରଣ । ନିଶାଠାରୁ ଦୂରରେ ରହିବାପଇଁ ସଂକଳ୍ପ ନେବାର ସବୁଠାରୁ ଭଲଦିନ ହେଲା ଅକ୍ଟୋବର ୨ତାରିଖ । ଦ୍ୱିତୀୟ ଶିକ୍ଷା ସ୍ୱଚ୍ଛ ଭାରତ । ନିଜେ ଶୌଚାଳୟର ଉପଯୋଗ କରିବା ଏବଂ ଅନ୍ୟମାନଙ୍କୁ ବାହ୍ୟ ମଳମୁତ୍ର ତ୍ୟାଗକରିବାରୁ ନିବୃତ କରିବା । ତୃତୀୟରେ ସତ୍ୟାଗ୍ରହ । ସଦାସର୍ବଦା ସତ୍ୟରେ ଆଗ୍ରହ ରଖିବା ।
ଶେଷରେ ଅହିଂସା । ମାନବ ଧର୍ମକୁ ଆପଣେଇ ଅହିଂସା ପଥକୁ ଜୀବନରେ ଆଦରିନେବା । ବର୍ଷଯାକ ବାଉନସପ୍ତାହରେ ବାଉନ କି ତେପନ ଶୁକ୍ରବାର ଆସିବ ଯିବ । ଏହି ଗୋଟିଏ ମାତ୍ର ଶୁକ୍ରବାର ଅକ୍ଟୋବର ୨, ୨୦୨୦ ଯାହାକୁ ଭାରତର ଜାତିପିତା ମାହାତ୍ମା ଗାନ୍ଧୀ ଜୟନ୍ତି ପାଇଁ ଅନ୍ତର୍ଜାତୀୟ ଅହିଂସାଦିବସ ରୂପରେ ସାରାବିଶ୍ୱ ପାଳନ କରୁଛି ଚାଲନ୍ତୁ ଆମେ ଏଇ ଦିନଟିରେ ହିଂସା ନକରିବା ପାଇଁ ଶପଥ ନେବା । ଅର୍ଥାତ୍ ଆମିଷ ଖାଇବାନି କି କୌଣସି ପ୍ରକାର ହିଂସା ଆମ ଆଗରେ ହେବାକୁ ଦେବା ନାହିଁ । ଏହାହିଁ ହେବ ଏସବୁ ପର୍ବର ପ୍ରକୃତ ପାଳନ ଏବଂ ଜାତିପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ । ଜୟ ହିନ୍ଦ୍ ।