କୋଦଳା ( ୧ ଅକ୍ଟୋବର ୨୦୨୦) : କରୋନା ମହାମାରୀର ଭୟ ଏଯାବତ୍ ଦୂର ହୋଇ ନଥିବା ବେଳେ ଏହି ବିପତ୍ତି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି। ବେସାହାରା ହୋଇ ଯାଇଛି ଗୋଟିଏ ବଡ଼ ଯୌଥ ପରିବାର। କେହି କେବେ ଚିନ୍ତା କରି ନଥିବା ଏଭଳି ଏକ ଦାରୁଣ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ।ଘଟଣାକ୍ରମ ଅନୁସାରେ ଉକ୍ତ ଗ୍ରାମର ସ୍ବର୍ଗତ ମହନ୍ତ ସାହୁଙ୍କ ୫ ପୁତ୍ରରୁ ଦୁଇ ବର୍ଷ ପୂର୍ବେ ସ୍ବାଭାବିକ ଭାବେ ପ୍ରାଣ ହରାଇଥିଲେ ଦ୍ଵିତୀୟ ପୁଅ ୫୫ ବର୍ଷୀୟ ଭିକାରି ସାହୁ ।ଅନ୍ୟ ଚାରିଜଣ ପୁତ୍ରକଂ ମଧ୍ୟରୁ ସବା ସାନ ପୁଅ ୪୨ ବର୍ଷୀୟ କୃଷ୍ଣ ସାହୁ ଗତ ଜୁଲାଇ ମାସ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଆରପାରିକୁ ଚାଲିଗଲେ।
ତେବେ ଏହି ଦୁଃଖଦ ଘଟଣା ଏତିକିରେ ସରିନଥିଲା। କୃଷ୍ଣଙ୍କ ମୃତ୍ୟୁର ଠିକ୍ ଗୋଟିଏ ଦିନ ପରେ ତାଙ୍କ ଉପର ତଥା ବଡ଼ ଭାଇ ମଂଗରାଜ ସାହୁ କରୋନା ଆକ୍ରାନ୍ତ ହୋଇ ୪୮ବର୍ଷରେ ମେଡିକାଲ୍ ରେ ପ୍ରାଣ ହରାଇଲେ। ଏଭଳି ସ୍ଥିତିରେ ପୁଣି ଜୁଲାଇ ୧୮ ରେ ଅନ୍ଯ ଜଣେ ଭାଇ ବାସୁଦେବ ସାହୁ କରୋନାରେ ଚିକିତ୍ସିତ ହେଉଥିବା ବେଳେ ମେଡିକାଲ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାସୁଦେବଙ୍କ କରୋନା ରିପୋର୍ଟ ଏଯାବତ୍ ପରିବାରକୁ ଦିଆଯାଇନଥିବା କହିଛନ୍ତି ପରିବାର ଲୋକେ।ବିଧାତାର ବିଚିତ୍ର ବିଚାର ଯେ, ବୋଝ ଉପରେ ନଳିତା ବିଡା ସଦୃଶ ଏହି ପରିବାରର ୫ ଭାଇକଂ ମଧ୍ୟରୁ ଏକମାତ୍ର ଭାଇ ଧବଳେଶ୍ଵର ସାହୁ ଜୀବିତ ଥିବା ବେଳେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ।
ତେବେ ଗତ ସେପ୍ଟେମ୍ବର ୨୭ ତାରିଖରେ ସେ ବି ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ ବ୍ରହ୍ମପୁରରୁ ମୃତ ଧବଳେଶ୍ୱର ଙ୍କ ଶବକୁ ଗାଁ କୁ ଆଣି ସତ୍କାର କରିଥିଲେ। ଏଭଳି ଦୁଃଖଦାୟକ ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କରୋନାର ଭୟାବହତା କେମିତି ତାହା ବାସ୍ତବିକ ଭାବେ ଅନୁଭବ କରିବା ସହ ଭାଂଗି ପଡିଛନ୍ତି ପରିବାରର ଅନ୍ୟ ସଦସ୍ୟ ମାନେ। କାହାରି ଆଖିରୁ ଲୁହ ଶୁଖୁନି। ଉଜୁଡ଼ି ଯାଇଥିବା ପରିବାରକୁ ସଜାଡ଼ିବା ପାଇଁ ଅତି କଷ୍ଟକର ହୋଇପଡିଛି।