ସାଲେପୁର, ତା.୩୦ା୯ : ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘମାସ ହେବ ସ୍ଥାୟୀ ମୁଖ୍ୟ ଚିକିତ୍ସା ଅଧିକାରୀ ନାହାଁନ୍ତି । ଫଳରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଫଳରେ ଜଣେ ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଇଗୋଟି ସ୍ଥାନର ଦାୟିତ୍ୱ ତୁଲାଉଥିବାରୁ ଏଠାରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟହ ବହୁ ସଂଖ୍ୟାରୋ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଏଥି ସହ କୋଭିଡ୍ ୧୯ ଏବେ ଅଞ୍ଚଳରେ କାୟା ବିସ୍ତାର କରିଚାଲିଛି ।
ଏହି ଭଳି ସମୟରେ ସାଲେପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ମୁଖ୍ୟ ଚିକିତ୍ସା ଅଧିକାରୀ ନିଯୁକ୍ତି କରାନଯିବା ଚିନ୍ତାର କାରଣ ପାଲଟିଛି । ଏଥି ସହ ଏଠାରେ ହେଲ୍ପ ଡେସ୍କର ବ୍ୟବସ୍ଥା ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ପରିସ୍ଥିତିକୁ ହୃଦୟଙ୍ଗମ କରି ସରକାର ତୁରନ୍ତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ମୁଖ୍ୟ ଚିକିତ୍ସା ଅଧିକାରୀ ନିଯୁକ୍ତି ସହ ହେଲ୍ପ ଡେସ୍କ ସ୍ଥାପନ ପାଇଁ ଦାବି ହୋଇଛି । ଏ ସଂପର୍କରେ ସାଲେପୁର ବିଜେଡି ସଂଖ୍ୟାଲଘୁ ସେଲ୍ ପ୍ରାକ୍ତନ ସଭାପତି ସୟଦ ଅଲିମ୍, ୫ଟି ମୋ ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।