Odisha news

କାର ଲୁଟ ମାମଲାରୁ ମିଳିଲା ସୁରାକ ; ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କଲା ଆନ୍ତଃ ଜିଲ୍ଲା ଗାଡି ଲୁଟେରା ଗ୍ୟାଙ୍ଗ

0

ପଟ୍ଟାମୁଣ୍ଡାଇ ତା୩୦.୯- କାର ଡ୍ରାଇଭରକୁ ବାନ୍ଧି ଡିକିରେ ପକାଇ କାର ଲୁଟ ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କ ଠାରୁ ସୁରାକ ପାଇ ପଟ୍ଟାମୁଣ୍ଡାଇ ପୋଲିସ ଆନ୍ତଃ ଜିଲ୍ଲା ଗାଡି ଲୁଟେରା ଗ୍ୟାଙ୍ଗ ଧରିବାରେ ସଫଳ ହୋଇଛି । ଏଥି ସହିତ ଅଭିଯୁକ୍ତ ୪ ଜଣ ଆସାମୀଙ୍କୁ ଗିରଫ କରିବା ସହିତ ଚୋରୀ ହାଇୱା ଟ୍ରକ ଯନ୍ତ୍ରାଂଶ , ହଣ୍ଡା କାର, ସ୍କୁଟି ଓ ଟାଟା ଏସି ଗାଡି ଜବତ କରିଛି ।

ଏ ସଂପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ ରଞନ କୁମାର ଦେ ଓ ଥାନା ଆଇ.ଆଇ.ସି ରାକେଶ କୁମାର ତ୍ରିପାଠୀ ସବିଶେଷ ସୂଚନା ଦେଇ କହିଛନ୍ତି ଯେ ଗତ ତା ୨୩/୦୯/୨୦୨୦ରିଖରେ ଭୂବନେଶ୍ୱରରୁ କାର ଭଡା କରି ଆଳିି-ରାଜନଗର ଅଭିମୁଖେ ଯାଉଥିବା ୪ ଜଣ ଯୁବକ ସାଲେପୁର-ନିଶ୍ଚିନ୍ତକୋଇଲି ରାସ୍ତାରେ କାର ଡ୍ରାଇଭରକୁ ଭୟଭୀତ କରି ରସିରେ ବାନ୍ଧି କାର ଡିକିରେ ପକାଇ ଅଭିଯୁକ୍ତମାନେ ଗାଡି ଚଳାଇ ପଟ୍ଟାମୁଣ୍ଡାଇ ବଜାର ଅତିକ୍ରମ କରୁଥିବାବେଳେ ଟ୍ରାଫିକ ଜାମ ଯୋଗୁଁ କାର ଅଟକି ଯାଇଥିଲା ।

ଏତିକିବେଳେ କାର ଡିକିରେ ବନ୍ଧା ହୋଇଥିବା ଡ୍ରାଇଭର କୌଶଳ କରି ଡିକି ମଧ୍ୟରୁ ବାହାରକୁ ବାହାରି ପଡିବାରୁ ଅଭିଯୁକ୍ତମାନେ ତାକୁ କାରକୁ ନେବାରୁ ସେ ଚିକôାର କରିଥିଲା । ଲୋକମାନେ ଜମା ହେବାରୁ ଅଭିଯୁକ୍ତମାନେ ବଜାର ମଧ୍ୟରେ ଦୌଡି ଦୌଡି ବଙ୍ଗାଳିଦିଆ ବେଣା ଜଙ୍ଗଲରେ ଲୁଚି ପଡିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ପୋଲିସ ବଙ୍ଗାଳିଦିଆ ବେଣା ଜଙ୍ଗଲ ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାବେଳେ ଜଣେ ଅଭିଯୁକ୍ତ କୌଶଳକ୍ରମେ ଫେରାର ହୋଇଯାଇଥିଲା । ଏହି ମାମଲାର ତଦନ୍ତ କରିବାବେଳେ ପୋଲିସ ଆନ୍ତଃଜିଲ୍ଲା ଗାଡି ଲୁଟେରା ଗ୍ୟାଙ୍ଗ ସଂପର୍କରେ ସୂଚନା ପାଇଥିଲା । କାର ଲୁଟ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶ ନଂ- ୩୬୦/୨୦୨୦ କାର ଲୁଟ ମାମାଲାର ତଦନ୍ତ କରିବାବେଳେ ଅଭିଯୁକ୍ତମାନଙ୍କ ବୟାନକୁ ଭିତି କରି ଆନ୍ତଃଜିଲ୍ଲା ଗାଡି ଲୁଟେରା ଗ୍ୟାଙ୍ଗ ସଂପର୍କରେ ତନାଘନା ଆରମ୍ଭ କରିଥିଲା । ଗତ ଜାନୁଆରୀ ୧୪/୧୫ ତାରିଖ ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଟ୍ରକ ତାଳଚୁଆ ଅଭିମୁଖେ ଯାଉଥିବାବେଳେ ହଣ୍ଡା କାରରେ ପିଛା କରୁଥିବା ୭ ଜଣ ଲୋକ (କାର ଲୁଟରେ ସଂପୃକ୍ତ ୩ଜଣଙ୍କ ସମେତ) କଖାରୁଣୀ-ଚନ୍ଦନନଗର ରାସ୍ତାରେ ହାଇୱାକୁ ଅଟକାଇ ଡ୍ରାଇଭରକୁ ଭୟଭୀତ କରି ହାଇୱା ଗାଡିକୁ ନେଇ ଭଦ୍ରମ ଅଭିମୁଖେ ଚାଲି ଯାଇଥିଲେ ।

ସେଠାରେ ଭଦ୍ରକ ଚରମ୍ପାର ସନାତନ ବେହେରାଙ୍କୁ ହାଇୱା ବିକି ଦେଇଥିଲେ । ପୋଲିସ ସନାତନଙ୍କ ଠାରୁ ହାଇୱା ଗାଡିର ଚେଚିଷ ସମେତ ଯନ୍ତ୍ରାଂଶ ଜବତ କରିଛି । ଡାମରପୁର ରାଘବପୁରର ଦୀପକ ସେଠୀଙ୍କ ଠାରୁ ଟାଟା ଏସି ଗାଡି ଜବତ କରିଛି । ମଠସାହି ଶ୍ରୀରାମପୁରର ଦୁସ୍ମନ୍ତ ନାୟକଙ୍କ ଠାରୁ ଏକ ଧଳା ହଣ୍ଡା କାର (ହାଇୱା ଚୋରିରେ ବ୍ୟବହୃତ କାର)କୁ ଜବତ କରିଛି । ଡାମରପୁର କାଳିଆ ଓରଫ ସୁଧିର କୁମାର ଦାଶଙ୍କ ଠାରୁ ଏକ ସ୍କୁଟି ଜବତ କରି ମାମଲା ଛାନଭିନ ଚାଲିଛି । ଖଣ୍ଡଗିରି ଥାନାରେ ୪୨୦/୨୦୨୦ ମୋକଦ୍ଦମାରେ ଟାଟା ଏସି ଲୁଟ ମାମଲା ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନାରେ ଲୁଟ ସ୍କୁଟି ମାମଲା ଚାଲିଛି । ଚାନ୍ଦବାଲି ଥାନା ୧୮୪/୨୦ରେ ଲୁଟ ଫେଜର ମୋଟର ସାଇକେଲ ମାମଲା ଚାଲିଛି ବୋଲି ଏସଡିପିଓ ଓ ଆଇଆଇସି ପ୍ରକାଶ କରିବା ସହିତ ସମସ୍ତ ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply