ସୌରା ଲିପିକୁ ଡିଜିଟାଇଜେସନ କଲେ ଆଇଆଇଟି ଇଂଜିନିୟରିଂ ଛାତ୍ରୀ : ବିରଳ ଜନଜାତିର ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର କରିବା ସହ ସଉରା ସଂପ୍ରଦାୟର ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିପାରିବ
ରାୟଗଡା (ରବିନ୍ଦ୍ର ପାଟଖଣ୍ଡାଳ)-ସଉରା ଲିପିର ଡିଜିଟାଇଜେସନ୍ କରିଛନ୍ତି ରାୟଗଡ଼ାର ଆଇଆଇଟି ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀ। ଦୀର୍ଘ ବର୍ଷ ଧରି ସଉରା ଲିପି ଉପରେ ଗବେଷଣା କରିବା ପରେ ଲିପିର ମୁଦ୍ରାଙ୍କନ କରିବାରେ ସକ୍ଷମ ହୋଇଛନ୍ତି। ଯାହା ଏହି ବିରଳ ଜନଜାତିର ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର କରିବା ସହ ସଉରା ସଂପ୍ରଦାୟର ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିପାରିବ। ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ସଉରା ଲିପିକୁ ଲେଖା ଯାଇ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ଶିକ୍ଷା ପାଇଁ ପାଠ୍ୟପୁସ୍ତକ ଛପା ଯାଇ ପାରିବ।
ବମ୍ବେ ଆଇଆଇଟିର ପ୍ରଫେସର ଗିରିଶ ଡାଲଭିଙ୍କ ସହାୟତାରେ ସୋନି ସଲମା ସଉରା ଲିପିର ଡିଜିଟାଇଜେସନ କରିଛନ୍ତି। କମ୍ପ୍ୟୁଟର ଇଂଜିନିୟରିଂ ଶେଷ କରି ୨୦୧୪ରେ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ ସଂପର୍କିତ ସ୍ନାତକୋତ୍ତର ପାଠ ପଢ଼ିବାକୁ ସୋନି ବମ୍ବେ ଆଇଆଇଟିରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଟାଇପୋଗ୍ରାଫି (ମୁଦ୍ରାଙ୍କନ) ଉପରେ ନିଜର ପ୍ରୋଜେକ୍ଟ କରିଥିଲେ। ରାୟଗଡ଼ାରେ ଜନ୍ମିତ ସୋନି ସଉରା ଭାଷାର ପ୍ରଚାର, ପ୍ରସାର ସହିତ ଏହି ପିଢ଼ିକୁ ଶିକ୍ଷିତ କରିବା ପାଇଁ ସଉରା ଲିପିର କମ୍ପ୍ୟୁଟରକୃତ ଅକ୍ଷରମାଳା ତିଆରି କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ସଉରା ସଂପ୍ରଦାୟର ସହାୟତାରେ ପ୍ରଥମେ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ପ୍ରସ୍ତୁତ କରିଥିବା ଅକ୍ଷର ମାଳାକୁ ନେଇ ନୀରିକ୍ଷଣ କରିବା ପରେ ଆଧୁନିକ ପ୍ରଣାଳୀରେ ତିଆରି ହୋଇଥିବା ବର୍ଣ୍ଣମାଳାରେ ୧୮ଟି ବ୍ୟଞ୍ଜନବର୍ଣ୍ଣ, ୭ଟି ସ୍ବରବର୍ଣ୍ଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି।
ଯେଉଁଥି ପାଇଁ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଛି। ଏପରିକି ଏଥି ପାଇଁ ସେ ବାଙ୍ଗାଲୋର ସ୍ଥିତ ଏକ ଜର୍ମାନୀ ସଂସ୍ଥାରୁ ଚାକିରୀ ଛାଡି ପଳାଇ ଆସିଛନ୍ତି।
ଚାକିରୀରେ ଅଧିକ ଟଙ୍କା ମିଳୁଛି, କିନ୍ତୁ ନିଜ ମାଟି ଓ ଜାତି ପାଇଁ କରିବାର କିଛି ସୁଯୋଗ ମିଳୁନଥିଲା ଯାହା ତାଙ୍କୁ ଭଲ ଲାଗିନଥିଲା। ଫଳରେ ଜର୍ମାନୀ କମ୍ପାନୀର ଚାକିରୀ ଛାଡ଼ି ଆସି ସେ ଏବେ ସଉରାଙ୍କ ବର୍ଣ୍ଣମାଳା ତିଆରିରେ ନିଜକୁ ନିୟୋଜିତ କରିଛନ୍ତି। ସୋନି କହିଛନ୍ତି, ଡିଜିଟାଇଜେସନ୍ ସହ ଅନଲାଇନରେ ଭାଷା ଉପଲବ୍ଧ ନହେଲେ କମ ଦିନରେ ସଉରା ଭାଷା ଲୋପ ପାଇଯିବ। ପୂର୍ବରୁ ଏମିତି ଅନେକ ଆଦିବାସୀ ଭାଷା ପ୍ରଚାର, ପ୍ରସାର ଅଭାବରୁ ଲୋପ ପାଇଯିବାର ନଜିର ରହିଛି। ଏବେ ସଉରା ଲିପିର ୨୫ଟି ବର୍ଣ୍ଣ, ୧୦ଟି ସଂଖ୍ୟାର ଡିଜିଟାଇଜେସନ୍ ହୋଇଛି। କେବଳ କୋଡିଂ ବାକି ଅଛି। ପ୍ରତି ଅକ୍ଷର ଭିତରେ ବ୍ୟବଧାନ, ବଡ ଅକ୍ଷର, ଛୋଟ ଅକ୍ଷର, ବୋଲଡ୍ ଅକ୍ଷର ଓ ମାତ୍ରା ବନାଇବାକୁ ବହୁ ଗବେଷଣା କରିବାକୁ ପଡିଛି। କମ୍ପ୍ୟୁଟରରେ ଟାଇପ୍ ସମୟରେ କୋଡିଂର ନିହାତ ଆବଶ୍ୟକତା ଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଏହି କାମ ଶେଷ କରିବାକୁ ସୋନି ଲକ୍ଷ୍ୟ ରଖିଛନ୍ତି।
ଏତଦ ବ୍ୟତୀତ ସେ ଚିତ୍ରକଳା, ସଙ୍ଗୀତ, ଆନନ୍ଦଦାୟକ ଶିଶୁ ଶିକ୍ଷା, ପର୍ବତାରୋହଣରେ ମଧ୍ୟ ରୁଚି ରଖନ୍ତି । ବାଉଁଶ ଘର ଓ ଉପକରଣ ଏବଂ ନଡ଼ିଆ ସାଢ଼େଇରୁ ସରଞ୍ଜାମ ଡିଜାଇନ କରିଛନ୍ତି ସୋନି ସଲମା । ଏସବୁକୁ ପାଥେୟ କରି ସ୍ଥାନୀୟ ଉନ୍ନୟନ କିପରି ଅଗ୍ରଗତି ହୋଇପାରିବ ସେ ବିଷୟରେ ସେ ସବିଶେଷ ଅନିସନ୍ଧିତ୍ସୁ ।
ଓଡ଼ିଶାରେ ବାସ କରୁଥିବା ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ମଧ୍ୟରୁ କେବଳ ୫ଟି ସଂପ୍ରଦାୟର ଲିପି ଅଛି ଓ ତନ୍ମଧ୍ୟରୁ କେବଳ ୩ଟି ଲିପିର ଡିଜିଟାଇଜେସନ୍ ହୋଇ ପାରିଛି। ଏବେ ସଉରା ଭାଷାର ଡିଜିଟାଇଜେସନ୍ ହେବା ପରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବାସ କରୁଥିବା ୩୦ ହଜାରରୁ ଉର୍ଦ୍ଧ୍ବ ସଉରା ସଂପ୍ରଦାୟ ଏହା ଦ୍ବାରା ଉପକୃତ ହେବେ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ଶିକ୍ଷା ନୀତି-୨୦୨୦ରେ ମାତୃ ଭାଷାରେ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଥିବାରୁ ଏହା ରାଜ୍ୟ ସରକାର ଓ ସଉରା ସଂପ୍ରଦାୟ ଲୋକଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ବୋଲି କହିଛନ୍ତି ସୋନିଙ୍କ ମାଆ ତଥା ଆଦିବାସୀ ନେତ୍ରୀ ଶ୍ରୀମତୀ ବିଦୁଲତା ହୁଇକା ।
ସୂଚନାଯୋଗ୍ୟ, ୧୯୩୬ ମସିହାରେ ‘ଶବର’ ସଂପ୍ରଦାୟ ମଧ୍ୟରେ ସଂସ୍କାର ଆଣିବାକୁ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ସୌରା ଅକ୍ଷର ମାଳା ତିଆରି କରିଥିଲେ। ଶବର ଜାତିର ଆରାଧ୍ୟ ଦେବତା ଦାରୁବ୍ରହ୍ମଙ୍କୁ ସ୍ମରଣ କରିବା ପରେ ମାତାର ବନମ ପାହାଡରେ ଥିବା ପଥରରେ ପ୍ରସ୍ଫୁଟିତ ଓଁ ମଧ୍ୟରେ ୨୪ଟି ବର୍ଣ୍ଣ ୯ଟି ସଂଖ୍ୟା ସ୍ପଷ୍ଟ ରୂପେ ଉଲ୍ଲେଖ ହୋଇଥିଲେ। ସୌରା ଭାଷାର ପ୍ରଚାର, ପ୍ରସାର ପାଇଁ ମଙ୍ଗେଇ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ସମସ୍ତ ଆଦିବାସୀ ଅଞ୍ଚଳରେ ୨୫ଟି ଉପକେନ୍ଦ୍ର, ସୌରା ଭାଷା ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏଥି ସହ ସୌରା ଭାଷା ସଂପର୍କିତ ପୁସ୍ତକ, ବର୍ଣମାଳା ଶିକ୍ଷା ପୁସ୍ତକ ଛାପିବା ପାଇଁ ଗୁଣପୁର ବ୍ଲକର ଡମ୍ବସରାରେ ମଙ୍ଗେଇ ପ୍ରତିଷ୍ଠା କରିଥିଲେ ମାତାର୍ ବନମ୍ ପ୍ରେସ୍ ଯାହା ଏବେ ବନ୍ଦ ହୋଇ ପଡିଛି। ସୌରା ଭାଷାର ଉଦ୍ଭାବନ ସହ ସମାଜ ସଂସ୍କାର ପଦକ୍ଷେପ ପାଇଁ ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଙ୍ଗେଇଙ୍କୁ ‘ଶବର ପଣ୍ଡିତ’ ଉପାଧିରେ ଭୂଷିତ କରାଯାଇଥିଲା।
ସୋନିଙ୍କ ପିତା ଶ୍ରୀ ବାଦଲ କୁମାର ତା ଓଡ଼ିଶାର ଜଣେ ବିଶିଷ୍ଟ ସମାଜସେବୀ ଓ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାକ ପ୍ରାଥମିକ ଶିକ୍ଷାର ଗବେଷକ ଓ ପ୍ରବର୍ତ୍ତକ । ତୃଣମୂଳ ସ୍ତରରେ ଆଦିବାସୀ ଶିକ୍ଷାର କିପରି ମୂଳଭୂତ ସମସ୍ୟା ଦୂର ହେବ ସେଥିପାଇଁ ସୋନି ସର୍ବଦା ଉଦବିଗ୍ନ ଓ ଉକ୍ତ ଚିନ୍ତନ ପାଇଁ ସେ ତାଙ୍କ ପିତାମାତାଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି କହନ୍ତି ସୋନି ସଲମା ।