ରାଜ୍ୟ ସଭାରେ ଗୁଞ୍ଜରିତ ହେଲା ପ୍ରଥମ କୁଡୁମୀ ମହିଳାଙ୍କ ସ୍ୱର : କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି କଲେ ସାଂସଦ ମମତା ମହାନ୍ତ , ରାଜ୍ୟ ସଭାରେ ଶୁଭିଲା “ଜୟ ଗୋରାମ” ଧ୍ୱନୀ
ବେତନଟୀ, ୨୩/୯ : ଭାରତ ବର୍ଷର ରାଜ୍ୟ ସଭାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ବହୁଳ ଭାବେ ବସବାସ କରୁ ଥିବା କୁଡୁମୀ ସଂପ୍ରଦାୟର ପୂଜ୍ୟ ଦେବତା “ଜୟ ଗୋରାମ” ଧ୍ୱନୀ ଗୁଞ୍ଜରିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାରୁ ବିଜେଡି ଦଳରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇ ଯାଇ ଥିବା ମମତା ମହାନ୍ତ ଆଜି ରାଜ୍ୟ ସଭାରେ ତାଙ୍କର ଦାବି ଉପସ୍ଥାପନ କରିଛନ୍ତି । ଏହି ଦାବି ଉପସ୍ଥାପନ କରି ସାରିବା ପରେ ସେ ଚିରାଚରିତ ରୀତିରେ ଜୟ ଗୋରାମ ବୋଲି ସମ୍ବୋଧନ କରି ଥିଲେ ।
ମମତାଙ୍କର ନିଜର ସଂପ୍ରଦାୟ ପ୍ରତି ଥିବା ନୈଷ୍ଠକତା ଓ ପାରମ୍ପରିକ ଦେବଦେବୀଙ୍କ ପ୍ରତି ଶ୍ରଦ୍ଧା ଏଥିରୁ ପ୍ରତିପାଦିତ ହୋଇ ଥିବାର ଜଣା ପଡିଛି । ମମତା ତାଙ୍କର ପ୍ରମୁଖ ଦାବି ମଧ୍ୟରେ କୁଡୁମୀ ସଂପ୍ରଦାୟକୁ ପୁର୍ନବାର ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି । କୁଡୁମୀ ସଂପ୍ରଦାୟର ରହଣୀ, ସହଣୀ ସବୁ ଆଦିବାସୀ ବା ଜନଜାତି ସହିତ ସମତୁଲ ବୋଲି ଜଣା ପଡିଛି । ଏହା ବ୍ୟତୀତ ଏମାନେ ମଧ୍ୟ ଆଦିବାସୀ ଓ ଜନଜାତି ମାନଙ୍କ ଭଳି ଜଙ୍ଗଲ, ପାହାଡ ଓ ପ୍ରାକୃତିକ ବୈଭବ ଉପରେ ନିର୍ଭରଶୀଳ । ଏମାନେ ପ୍ରକୃତିର ପୂଜକ ମଧ୍ୟ । ଦାବି ଉତଥାପନ ବେଳେ ପୂର୍ବରୁ ଏହି ସଂପ୍ରଦାୟକୁ ଅନୁସୂଚିତ ଜନଜାତିର ମାନ୍ୟତା ଥିବା ବେଳେ ୧୯୫୬ ମସିହାରେ ଏହାକୁ ଉଚ୍ଛେଦ କରା ଯାଇ ଥିଲା ।
ସଂପ୍ରଦାୟର ସାମଗ୍ରୀକ ବିକାଶ ଉନ୍ନତି ପାଇଁ ପୁଣି କୁଡୁମୀ ସଂପ୍ରଦାୟକ ଜନଜାତି ମାନ୍ୟତା ମିଳିବା ଦରକାର ବୋଲି ମମତା କହିଛନ୍ତି । ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଢ଼, ବାଲେଶ୍ୱର, ଯାଜପୁର ଓ ଅନ୍ୟାନ ଜିଲ୍ଲାରେ ଅନ୍ୟୁନ ୩୦ ଲକ୍ଷ କୁଡୁମୀ ବସବାସ କରୁଛନ୍ତି । ଓଡିଶା ଜନ ସାଧାରଣଙ୍କ ମଧ୍ୟରେ ଗୋଟିଏ ସଂପ୍ରଦାୟର ଏତେ ବିଶାଳ ପ୍ରତିନିଧିତ୍ୱ ରହିଛି । ତେବେ ଏହି ଦାବି କରିବା ପରେ ବେତନଟୀ, ଶୁଖିଲାହାର, ନଣ୍ଡାଶୋଳ, ମହୁଲିଆ, ଶଗଡଭଙ୍ଗା, ଧନପୁର, କୁଣ୍ଢେଇ, ଭାଲୁବସା, ଖଡିଶୋଳ, ପଣ୍ଡୁଗଡିଆ, ରେଣୁଗାଁ, ଆମ୍ବଯୋଡା ଓ ଆଖପାଖ କୁଡୁମୀ ଗ୍ରାମ ଗୁଡିକରେ ଖୁସିଣ ଲହରୀ ଖେଳି ଯାଇଛି । କୁଡୁମୀ ସଂପ୍ରଦାୟକୁ ଜନଜାତି ମାନ୍ୟତାକୁ ନେଇ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ବିହାରରେ ମଧ୍ୟ ଦାବି ଯୋର ଧରିବା ସହିତ ଆନେ୍ଦାଳନ ମଧ୍ୟ ବଳବତ୍ତର ରହିଛି ।