ଦାନଗଦୀ ୨୩/୦୯ ସ.ବ୍ୟୁ. : ଟମକା ଥାନା ଅର୍ନ୍ତଗତ ବାଙ୍ଗରକୋଟା ପଂଚାୟତର ଢିଅପାଳ ଗ୍ରାମରେ ଜମିବାଡି ଗଣ୍ଡୋଗଳକୁ ନେଇ ଉତ୍ତେଜନା ପ୍ରକାଶ ପାଇ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆନନ୍ଦ ଦେହୁରୀଙ୍କ ଘରକୁ ପୋଡି ଦିଆଯାଇଥିବା ନେଇ ଟମକା ଥାନାରେ ଅଭିଯୋଗ ହୋଇଛି ।
ଘଟଣା ମୁତାବକ ଢିଅପାଳ ଗ୍ରାମର ଆନନ୍ଦ ଦେହୁରୀ ପରିବାର ଏବଂ ସୁମନ୍ତ ଖୁଂଟିଆ,ରମେଶ ଖୁଂଟିଆ ଏବଂ କୁନୁ ଖୁଂଟିଆଙ୍କ ମଧ୍ୟରେ ଜମିବାଡିକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆନନ୍ଦ ଦେହୁରୀଙ୍କ ଘରକୁ ପେଟୋଲ ପକାଇ ନିଅାଁ ଲଗାଯିବାରୁ ଆନନ୍ଦଙ୍କର ଘରର ସମସ୍ତ ଆସବାବପତ୍ର ସହିତ ଝିଅ ବିଭାଘର ନିମନ୍ତେ ରଖିଥିବା ଟଙ୍କା,ସୁନା ମଧ୍ୟ ପୋଡିଯାଇଥିବା ଟମକା ଥାନାରେ ଅଭିଯୋଗ ହୋଇଛି ।
ଅପରପକ୍ଷରେ ସୁମନ୍ତ ଖୁଂଟିଆ ପରିବାର ମଧ୍ୟ ଆନନ୍ଦ ଦେହୁରୀଙ୍କ ବିପକ୍ଷରେ ଏକ ଅଭିଯୋଗ କରିଛନ୍ତି । ଟମକା ଥାନା ପକ୍ଷରୁ ୭୧/୨୦ ଏବଂ ୭୨/୨୦ ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଅନନ୍ଦ ଦେହୁରୀଙ୍କ ପରିବାରକୁ ସୁମନ୍ତ ଖୁଂଟିଆଙ୍କ ପରିବାର ପକ୍ଷରୁ ଅଭିଯୋଗ ନ ଉଠାଇଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା କୁହାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବାବେଳେ ଯଦି ନିଆଁ ଲଗାଇଥିବା ଥିବା ପରିବାର ସଦସ୍ୟ ଗିରଫ ନହୁଅନ୍ତି ତାହେଲେ ଆନନ୍ଦ ଦେହୁରୀ ଙ୍କ ପରିବାର ଟମକା ଥାନା ସମ୍ମୁଖରେ ସମୁହ ଆତ୍ମାହୁତି ଦେବେ ବୋଲି କ୍ଷୋଭର ସହ କହିଛନ୍ତି ।