ଦୁବାଇ,୯ା୯(ଏଜେନ୍ସି): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ୍’ର ଅଂଶ ହେବା ନିମନ୍ତେ ବୁଧବାର ଦୁବାଇରେ ପହଞ୍ଚିଛନ୍ତି । ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ ଶେଷ କରି ଗାଙ୍ଗୁଲି ବାୟୁ ସୁରକ୍ଷିତ ବବଲରେ ରହିବେ । ଆଗାମୀ ୧୯ ତାରିଖରୁ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣର ୟୁଏଇ’ର ଦୁବାଇ, ସାରଜା ଓ ଆବୁଧାବୀରେ ଖେଳାଯିବ । ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବେ । ୬ ମାସ ବ୍ୟବଧାନ ପରେ ପ୍ରଥମଥର ପାଇଁ ଗାଙ୍ଗୁଲି ବିଦେଶଗସ୍ତରେ ଯାଇଛନ୍ତି । କରୋନା ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଥିଲା । ଆଇପିଏଲ୍ ପ୍ରସ୍ତୁତିର ସମୀକ୍ଷା କରିବା ଓ ଏଥିରେ ସାମିଲ ହେବା ପାଇଁ ଗାଙ୍ଗୁଲି ସ୍ୱତନ୍ତ୍ର ବିମାନ ଯୋଗେ ଦୁବାଇ ଯାଇଛନ୍ତି । ଦୁବାଇଗସ୍ତର ପୂର୍ବରୁ ଓ ଅବତରଣ କରିବା ପରର ଫଟୋ ସେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି । ବିମାନଗସ୍ତ ସମୟରେ ଗାଙ୍ଗୁଲି ମାସ୍କ ସାଙ୍ଗକୁ ଫେସ୍ କଭର ପିନ୍ଧିଥିଲେ । ୬ ଦିନ ପର୍ଯ୍ୟନ୍ତ ଗାଙ୍ଗୁଲି ଏକାନ୍ତବାସରେ ରହିବେ । ସେ ୟୁଏଇ’ରୁ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।