ଯଦୁମଣି ପାଣିଗ୍ରାହୀ : ପ୍ରାୟ ସମୟରେ ସମାଜସେବା ସଂପର୍କୀତ କିସମ କିସମର ସମ୍ବାଦ ଖବରକାଗଜ ଗୁଡିକରେ ପଢିବାକୁ ମିଳିଥାଏ । ସମାଜସେବା ପ୍ରତି ପ୍ରତିବଦ୍ଧତା ରଖିଥିବା ବ୍ୟକ୍ତି ବା ସଙ୍ଗଠନ ମାନଙ୍କ ପକ୍ଷରୁ କେଉଁଠି ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ କରାଗଲାଣି ତ ପୁଣି କେଉଁଠି ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କିମ୍ବା କମ୍ବଳ, ଛତା ଓ ମଶାରୀ ବଣ୍ଟନ ।

ବିଭିନ୍ନ ଜାତୀୟ ଦିବସ, ମହାପୁରୁଷଙ୍କ ସ୍ୱନକ୍ଷତ୍ର କିମ୍ବା ଶ୍ରାଦ୍ଧଦିବସରେ ରାସ୍ତା ସଫେଇ, ଡାକ୍ତରଖାନାରେ ରୋଗୀଙ୍କୁ ଫଳବଣ୍ଟନ ଓ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନଥିବା ଲୋକଙ୍କୁ ସହାୟତା କରୁଥିବା ବ୍ୟକ୍ତିବିଶେଷ ତଥା ସଙ୍ଗଠନ ମାନଙ୍କ ବିଷୟରେ ସବିଶେଷ ବିବରଣୀ ସମ୍ବାଦପତ୍ର ଗୁଡିକରେ ପ୍ରକାଶ ପାଉଥିବା ପ୍ରାୟ ସମୟରେ ନଜରକୁ ଆସିଥାଏ । କେବଳ ଖବରକାଗଜ ନୁହେଁ ବରଂ ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ଜୋରଦାର ପ୍ରଚାର ଓ ଚର୍ଚ୍ଚା ହେଉଥିବା ଦୃଷ୍ଟିଗୋଚର ହୋଇଥାଏ ।

ଗୋଟିଏ ଗଛକୁ ପଞ୍ଝାଏ ଯୁବକ ହାତରେ ଧରି ମାଟିରେ ପୋତୁଥିବାର ଆକର୍ଷଣୀୟ ଫଟୋ ସାଙ୍ଗକୁ ସୁରକ୍ଷିତ ପରିବେଶ ନେଇ କେଇଧାଡି ମନ୍ତବ୍ୟ, ଅଗ୍ନିବିପନ୍ନଙ୍କୁ ଦୁଇ ଚାରି ପ୍ୟାକେଟ ବିସ୍କୁଟ ଓ ଚୁଡା ପ୍ରଦାନର ଫଟୋ ସାଙ୍ଗକୁ ଅସହାୟଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା ନେଇ କେଇ ଧାଡି ରୁଚିକର ତଥା ଶ୍ରୁତିମଧୁର ଲେଖା ସର୍ବୋପରି ଗରିବଙ୍କୁ ଛତା, କମ୍ବଳ କିମ୍ବା ମଶାରୀ ବଣ୍ଟନ ବେଳର ଫଟୋ ସାଙ୍ଗକୁ ଦୁଇ ଚାରି ଧାଡି ମର୍ମକୁ ଭେଦିଲା ଭଳି ଲେଖା ଲେଖିଦେଇ ସାମାଜିକ ଗଣମାଧ୍ୟମ ଜରିଆରେ ଛାଡିଦେବା ଆଜିକାଲି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।

ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟ ଆଜିକାଲି ନିଜକୁ ସମାଜସେବୀ ବୋଲି ଦାବି କରୁଥିବା ବେଳେ ସର୍ବଦା ଚର୍ଚ୍ଚାରେ ରହିବାକୁ ମନରେ ଆଶାପୋଷଣ କରିବା ସହ ସେହି ଅନୁସାରେ କାର୍ଯ୍ୟ ବି କରୁଛନ୍ତି । କେବଳ ସେତିକି ନୁହେଁ ଏମାନେ ବି ସମାଜସେବୀ ଭାବରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଏକ ବା ଏକାଧିକବାର ପୁରସ୍କୃତ ହେଉଛନ୍ତି । ଆମ୍ଭେ ଯେଉଁ ଅଞ୍ଚଳରେ ବସବାସ କରୁଅଛୁ ସେଠାରେ ବି ଅନେକ ବ୍ୟକ୍ତି ଓ ସଙ୍ଗଠନ କରୁଥିବା ସମାଜସେବାକୁ ଆମ୍ଭେ ପ୍ରତ୍ୟକ୍ଷ ହୃଦୟଙ୍ଗମ କରିବା ସହ ଅଙ୍ଗେ ବି ନିଭେଇଛୁ ।

ଏ ସଂପର୍କରେ ଅତି ସଂକ୍ଷେପରେ କହିବାକୁ ଗଲେ ଏସବୁ କେବଳ ଲୋକ ଦେଖାଣିଆ ଓ ପ୍ରଚାରରେ ସୀମିତ । ସଂପୃକ୍ତ ବ୍ୟକ୍ତି ବା ସଙ୍ଗଠନର ସେବାରୁ ଲୋକେ ଉପକୃତ ହୁଅନ୍ତୁ ବା ନ ହୁଅନ୍ତୁ ସେମାନେ କିନ୍ତୁ ଜନମାନସରେ ସମାଜସେବୀ ଭାବରେ ପରିଚିତ ହୋଇଥାଆନ୍ତି । ପାଞ୍ଚ ଦଶ ଜଣ ଲୋକଙ୍କୁ ଡାକି ସେମାନଙ୍କୁ ଛତା, କମ୍ବଳ ବା ମଶାରୀ ବଣ୍ଟନ କରି ଓ ସେମାନଙ୍କ ଅସହାୟତାକୁ ଖବରକାଗଜରେ ବିଜ୍ଞାପିତ କରାଇ ନାଁ କମେଇବାର ଲାଳସା ରଖୁଥିବା ଲୋକଙ୍କୁ କ’ଣ ସମାଜସେବୀ କୁହାଯାଇ ପାରିବ ।

ଆଜି ଦିନରେ ଆମ ସମାଜରେ ସମାଜସେବା କରୁଥିବା ବ୍ୟକ୍ତି ଓ ସ୍ୱେଚ୍ଛ୍ୱାସେବୀ ସଙ୍ଗଠନ ମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଫାଇଦା ନିମନ୍ତେ ସମାଜସେବୀର ଢାଲ ପିନ୍ଧିଛନ୍ତି । କିଏ ଅନାଥ ଆଶ୍ରମ ତ କିଏ ଜରାନିବାସ ପ୍ରତିଷ୍ଠା କଲାଣି । କିଏ ପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କଲାଣି ତ ଆଉ କେହି କେହି ଦକ୍ଷତା ବିକାଶ, ସଡକ ସୁରକ୍ଷା, ନିଶା ନିବାରଣ, ନିରକ୍ଷରତା. ଦୁର୍ନୀତି, ପ୍ରଦୂଷଣ, କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ କାର୍ଯ୍ୟ କରୁଛନ୍ତି ।

କେହି କେହି ରାସ୍ତା, ପାଣି ଓ ବିଜୁଳି ସମସ୍ୟାର ସମାଧାନ ଲାଗି ଲୋକଙ୍କୁ ଭେଳାଇ ଆନେ୍ଦାଳନ କରି ରାତାରାତି ସମାଜସେବୀ ହୋଇଗଲାଣି ତ କେହି ରାସ୍ତା ଦୁର୍ଘଟଣା କିମ୍ବା ଡାକ୍ତରଖାନାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଅନଶନ କିମ୍ବା ରାସ୍ତାରୋକର ଆଶ୍ରୟ ନେଇ ସମାଜସେବୀ ଭାବେ ଖବରକାଗଜ ପୃଷ୍ଠା ମଣ୍ଡନ କଲେଣି । ଅସଲରେ ସମାଜସେବା ଲାଗି ଏମାନେ କେତେ ମାତ୍ରାରେ ଆଗ୍ରହୀ ବା ସମର୍ପିତ ଆଉ ଏମାନଙ୍କ ପ୍ରଦତ୍ତ ସେବାରୁ ଲୋକେ କେତେମାତ୍ରାରେ ଲାଭବାନ ହେଉଛନ୍ତି ସେସବୁ ଜାଣିବାକୁ କାହାର ଅବକାଶ ନଥାଏ । ଫଳରେ ଏହି ସୁଯୋଗରେ ଏମାନେ କେବଳ ନିଜ ସଫଳତା ଓ ଜୟଯାତ୍ରାର କାହାଣୀ ଅନ୍ୟମାନଙ୍କୁ ଶୁଣାଇ ଚାଲିଥାନ୍ତି ଓ ଲୋକଙ୍କୁ ଭୂଆଁ ବୁଲେଇଥାନ୍ତି ।

ଏମାନଙ୍କ ସମାଜସେବା କେବଳ ଲୋକ ଦେଖାଣିଆ । ବାସ୍ତବତା ଠାରୁ ବହୁ ଦୂରରେ ଏମାନେ । ପ୍ରକୃତରେ ଲୋକଙ୍କର କିଛି କରିବା ଅପେକ୍ଷା ଏମାନେ ନିଜ ନିଜର ପ୍ରଚାରକୁ ଅଧିକ ଶ୍ରେୟ ଦେଇଥାନ୍ତି । ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ତଥା ଜନ ସଚେତନତା ସୃଷ୍ଟି କରିବାରେ ସରକାର ବାର୍ଷିକ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ ଏମିତି ଅନେକ ବ୍ୟକ୍ତି ବା ସଙ୍ଗଠନ ଅଛନ୍ତି ଯେଉଁମାନେ ମିଥ୍ୟା ତଥ୍ୟ ଆଧାରରେ କାଗଜପତ୍ରର ସର୍ଜନା କରି ଉଭୟ ଅର୍ଥ ଓ ସମ୍ମାନର ଅଧିକାରୀ ହେଉଛନ୍ତି ।

ଯେଉଁଥିଲାଗି ଜୀବନରେ ଗୋଟିଏ ଗଛ ଲଗାଇ ନଥିବା ବ୍ୟକ୍ତି ବା ସଙ୍ଗଠନକୁ ମିଳୁଛି ପ୍ରକୃତିବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର । ତେବେ ପ୍ରକୃତରେ ଯେଉଁମାନେ ସମାଜର ଦୁଃସ୍ଥ ଓ ଅବହେଳିତଙ୍କ ସେବାରେ ଜୀବନକୁ ଏକାକାର କରି ଦେଉଛନ୍ତି, ମାନବ ସେବାକୁ ନିଜ ଜୀବନର ଏକମାତ୍ର ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି ସେମାନେ କିନ୍ତୁ ପ୍ରଚାର ଠାରୁ ବହୁ ଦୂରରେ ରହି ଯାଇଛନ୍ତି ।

ଆମ ରାଜ୍ୟର ଉକ୍ରଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ମଧୁସୂଦନ ଦାସ, ରମାଦେବୀ, ମାଳତିଦେବୀ ଓ ଅନ୍ନପୂର୍ଣର୍ା ଦେବୀଙ୍କ ଭଳି ଆହୁରି ଅନେକ ମଣିଷଥିଲେ ଯେଉଁମାନେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବରେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ସମାଜର ଅସହାୟ ଓ ନିଷ୍କେସିତ ମଣିଷର ସେବା କରି ସେମାନେ ଅପୂର୍ବ ଆନନ୍ଦ ଲାଭ କରୁଥିଲେ । ନିଜକୁ ଜଣେ ଜଣେ ସେବକ ମନେକରି ଦରିଦ୍ର ନାରାୟଣଙ୍କ ସେବାରେ ନିଜକୁ ହଜେଇ ଦେଉଥିଲେ । ନିଜକୁ ବିଜ୍ଞାପିତ କରିବା କିମ୍ବା ଅନ୍ୟର ପ୍ରଶଂସାରେ ବିଭୋର ହେବାର ଆକାଂକ୍ଷା ବା ଅଭିଳାଷ ସେମାନଙ୍କ ମଧ୍ୟରେ ଲେଶ୍ ମାତ୍ର ନଥିଲା । ସେବା,ତ୍ୟାଗ ଓ ପରୋପକାରର ମୂଲ୍ୟ ସେମାନଙ୍କୁ ବେଶ ଜଣାଥିଲା ।

ଆଜି ବି ଅନେକ ମଣିଷ ଅଛନ୍ତି ଯେଉଁମାନେ ନିଷ୍ଠାପର ଓ ନିସ୍ୱାର୍ଥପର ଭାବେ ଜନସେବା କରୁଛନ୍ତି ଆଉ ଆନନ୍ଦ ବି ପାଉଛନ୍ତି । ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମ ଠାରୁ ସେମାନେ ବହୁ ଦୂରରେ । ସେମାନେ ଯାହା ବି କରୁଛନ୍ତି, ସେଥିରୁ ମିଳୁଥିବା ଆତ୍ମସନ୍ତୋଷ ଟିକକ ସେମାନଙ୍କୁ ବଞ୍ଚିବାର ଖୋରାକ ଯୋଗାଉଛି । ମାତ୍ର ସେବାର ପ୍ରକୃତ ମର୍ମ ବୁଝିନଥିବା ଅନେକ ଅନାମଧ୍ୟେୟ ଓ ଦୁର୍ନୀତିଖୋର ଲୋକ ଆଜିକାଲି ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଓ ସମାଜସେବାର ଭେଳିକି ସୃଷ୍ଟି କରି ନିଜକୁ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଅଛନ୍ତି ।

ନିଜର କଳା କାରନାମାକୁ ଢଙ୍କେଇବା ତଥା ସାମାଜିକ ଲୋକ ଅପବାଦରୁ ବର୍ତ୍ତିବା ଲାଗି ଏମାନେ ସମାଜସେବୀର ମୁଖା ପରିଧାନ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ କିଛି କରିବା ଅପେକ୍ଷା ନିଜକୁ ପ୍ରଚାରିତ କରାଇବା ଓ ମାନପ୍ରତିଷ୍ଠା ଅର୍ଜନ ଲାଗି ଏମାନେ ଅହରହ ଉଦ୍ୟମ ଚଳାଇଛନ୍ତି । ଏଭଳି ଛଦ୍ମବେଶୀ ସମାଜସେବୀ ସମାଜରେ ବେଶୀକାଳ ତିଷ୍ଠି ରହିବା ସମ୍ଭବ ନୁହେଁ ।

ଏମାନଙ୍କର ଅସଲ ଚେହେରା ଦିନେ ନା ଦିନେ ଉନ୍ମୋଚିତ ହେବ । ସମାଜସେବାର ଭ୍ରମ ସୃଷ୍ଟି କରି ଏମାନେ ସାମୟିକ ଭାବେ ଲୋକଙ୍କୁ ଭ୍ରମିତ କରିପାରନ୍ତି ସତ ହେଲେ ସବୁଦିନେ ନୁହେଁ । ଏମାନେ ମନେ ରଖିବା ଉଚିତ ଯେ, ମନ, ବଚନ ଓ କର୍ମରେ ଯେଉଁମାନେ ଲୋକଙ୍କ ଦୁଃଖ ଲାଘବ କରିବାକୁ ସଙ୍କଳ୍ପବଦ୍ଧ କେବଳ ସେହିମାନେ ହିଁ ପ୍ରକୃତରେ ସମାଜସେବୀ, ଆଉ ସେହିମାନଙ୍କୁ ଏ ସମାଜ ଚିରକାଳ ମନେରଖିବ ।

LEAVE A REPLY

Please enter your comment!
Please enter your name here