Odisha news

କଟକ-ଭୁବନେଶ୍ୱରରେ ମୁତୟନ ଅଧିକ ଆମ୍ବୁଲାନସ୍ , ଅଧିକ ଆଇସିୟୁ ବେଡ୍ – ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

0

ଭୁବନେଶ୍ୱର,୯ ସେପ୍ଟେମ୍ବର – ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ଆଗାମୀ ସପ୍ତାହରେ ଭୁବନେଶ୍ୱର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ୱୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

Leave A Reply