Odisha news

ବର୍ଷା ଯୋଗୁଁ ବଢୁଛି ବନ୍ୟାବିପନ୍ନଙ୍କ ଦୂର୍ଦ୍ଦଶା, ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି : ବ୍ଲକ ଓ ପୌରପରିଷଦ ଅଚଂଳ ପାଇଁ ଯୋଗାଇ ଦିଆଯାଇଛି ୯୧ ଡଙ୍ଗା , ବନ୍ୟାବିପନ୍ନଙ୍କ ପାଇଁ ୨୩୦ କ୍ୱିଟାଂଲ ଚୁଡା, ୧୨ କ୍ୱିଟାଂଲ ଗୁଡ ୬ କ୍ୱିଟାଂଲ ଚିନି ଓ ପାଣିପାଉଚ ରିଲିଫ ଯୋଗାଇଛି ପ୍ରଶାସନ

0

ପଟ୍ଟାମୁଣ୍ଡାଇ : ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳରେ ନାହିଁନଥିବା କ୍ଷତି ଘଟିଥିବାବେଳେ ଗତକାଲି ଠାରୁ ବନ୍ୟାର ପ୍ରକୋପ କମିଥିଲେ ମଧ୍ୟ ଆଜି ତୁହାକୁ ତୁହା ବର୍ଷା ବିପନ୍ନଙ୍କ ଦୂର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି । ବ୍ରାହ୍ମଣୀ ଓ କାଣି ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଚାଂୟତର ୬୫ ହଜାର ଓ ପୌରାଚଂଳର ୧୧ଟି ୱାର୍ଡର ୧୮ ହଜାର ଲୋକଙ୍କୁ ମିଶାଇ ୮୩ ହଜାର ଲୋକ ବିପନ୍ନ ହୋଇଥିବା ସରକାରୀ ଭାବେ କୁହାଯାଇଛି । କରୋନା ଯୋଗୁଁ କାମଧନ୍ଦା ନପାଇ ଭୋକ ଉପାସରେ ଗରିବ, ଚାଷୀ ଓ ମୂଲିଆମାନେ ବର୍ଷା ବିତ୍ପାତ ସାଙ୍ଗକୁ ପ୍ରଳୟଙ୍କରୀ ବନ୍ୟାରେ ଘରଦ୍ୱାର ଫସଲ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ବର୍ଷା ଓ ବନ୍ୟା ଜୀବନର ଓ ସବୁ ଆଶାକୁ ଧୂଳିସାତ କରିଦେଇଛି । ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ. ଅଳପୁଆ , ସିଂହଗାଁ, ନୀଳକଣ୍ଠପୁର, ବାଛରା, ବାଲିପାଟଣା, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର , ଶାସନ ଆଦି ୧୪ ପଚାଂୟତ ଓ ପୌରାଚଂଳର ବାଲିପଡା, କଷଣଅଂଟା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭା ଆଦି ୧୧ଟି ୱାର୍ଡ ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଘରଦ୍ୱାର, ରାସ୍ତାଘାଟ, ବିଦୁ୍ୟତ, ଟେଲିସେବା କ୍ଷତିଗ୍ରସ୍ତ ହୋଇଥିବାବେଳେ ଧାନ, ମୁଗ ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଯାଇଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ବନ୍ୟାଚଂଳ ଗସ୍ତ କରି ଲୋକମାନଙ୍କ ସହାୟତା କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବନ୍ୟା ନିୟନ୍ତ୍ରଣ ଓ ରିଲିଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଚାଂୟତର ୬୫ ହଜାର ଲୋକଙ୍କ ଯାତାୟତ ପାଇଁ ବିଡିଓ ଭରତ ପରିଡା ୮୧ଟି ଡଙ୍ଗା, ୧୭୦ କ୍ୱିଟାଂଲ ଚୁଡା, ୧୨ କ୍ୱିଟାଂଲ ଗୁଡ ଓ ପାଣିପାଉଚ ଯୋଗାଇ ଦେଇଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ପୌରାଚଂଳର ୧୧ଟି ବନ୍ୟାବିପନ୍ନ ୱାର୍ଡରେ ପ୍ରାୟ ୧୮ ହଜାର ବିପନ୍ନଙ୍କ ପାଇଁ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ୧୦ଟି ଡଙ୍ଗା, ୬୦ କ୍ୱିଟାଂଲ ଚୁଡା, ୬ କ୍ୱିଟାଂଲ ଚିନି ଓ ପାଣିପାଉଚ ଯୋଗାଇ ଦେଇଛନ୍ତି । ଆଜି ମଧ୍ୟାହ୍ନରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବ୍ଲକ ଓ ପୌରାଚଂଳରେ ବନ୍ୟା ବିପନ୍ନ ଲୋକମାନଙ୍କ ପାଇଁ ଏହା ବିପଦ ଆଣି ଦେଇଛି । ବନ୍ୟା କମିବା ପରେ ବାସହରା ହୋଇ ରହିଥିବା ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନେ ଘର ସଜାଡିବା ପାଇଁ ସଜବାଜ ହେଉଥିବାବେଳେ ବର୍ଷା ଏଥିରେ ବାଧକ ସାଜିଛି । ଫଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି ।

Leave A Reply