କଣ୍ଟାପଡ଼ା : ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ବ୍ରାହ୍ମଣବାଟୀରେ ପଞ୍ଚାୟତ ଉଦ୍ୟାନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏ ନେଇ ଆଜି ଆୟୋଜିତ କାର୍ଯ୍ୟକ୍ରମକୁ ନିଆଳି ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦକୁମାର ମଲିକ ଆନୁଷ୍ଠାନିକଭାବେ ଫିତା କାଟି ଉଦଘାଟନ କରିଥିଲାବେଳେ କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାଦ୍ୱାରା ଜନ ସାଧାରଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ପଞ୍ଚାୟତର ଆୟ ବୃଦ୍ଧି ହେବବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ, ବିଡ଼ିଓ ଶୁଭଶ୍ରୀ ରଥ, ଏବିଡ଼ିଓ ରୁବିତପସ୍ୱିନୀ ଦାସ, ବ୍ରାହ୍ମଣବାଟୀ ସରପଞ୍ଚ ଗାୟତ୍ରୀ ରାଉତରାୟ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ. ପ୍ରଶାନ୍ତକୁମାର ନାୟକ, ବ୍ଲକ ସହକାରୀ କୃଷି ଅଧିକାରୀ ବିଭୂତିଭୂଷଣ ଜେନାମଣି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୋପୀନାଥ କର, ଶିଶୁ ବିକାଶ ବିଭାଗ ସୁପରଭାଇଜର ମଞ୍ଜୁଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରବର୍ତ୍ତିତ ଯୋଜନା ଅନୁସାରେ ପଞ୍ଚାୟତ ପକ୍ଷରୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ପ୍ରଥମ ପର୍ଯ୍ୟାୟରେ ୪ ଏକର ପରିମିତ ଜମିରେ ୧୨୫୦ଟି ବିଭିନ୍ନ କିସମର ଫଳ ଚାରା ଲଗାଯାଉଥିଲାବେଳେ ୬ଶହ ସଂଖ୍ୟକ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି ।
ଯୁବ ସଂଗଠକ ସୁବ୍ରତକୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଇଂ. ରାଜେଶକୁମାର ସାହୁ, ପପ୍ରିୟା ପ୍ରିୟଦର୍ଶିନୀ, ସ୍ନିଗ୍ଧାରାଣୀ ମହାନ୍ତି ପ୍ରମୁଖ ବ୍ଲକର ବିଭିନ୍ନ ବିଭାଗ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କୃଷିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।