ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ବହୁତ ବଡଲୋକଙ୍କ ଜୀବନୀରୁ ତା’ଙ୍କର ଶୈଶବାବସ୍ଥା ବିଷୟରେ ଆମେ ବହିରୁ ପଢିଛେ । ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲ୍ରେ ପଢିଲାବେଳେ ଗଙ୍ଗାନଦୀକୁ ପହଁରିପହଁରି ଯିବାକୁ ହେଉଥିଲା । ଆମର ସପ୍ତମ ରାଷ୍ଟ୍ରପତି ଜ୍ଞାନୀ ଜୈଲ୍ ସିଂଙ୍କ ଭାଗ୍ୟରେ ମଧ୍ୟ ବିଧିବଦ୍ଧ ଶିକ୍ଷାପ୍ରାପ୍ତିର ସୁଯୋଗ ମିଳି ନଥିଲା ଏବଂ ଏକାଦଶ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲ୍ଲାମ ଶୈଶବଅବସ୍ଥାରେ ପାହାନ୍ତିଆରୁ ଉଠି ଘରକୁ ଘର ଖବରକାଗଜ ବାଂଟୁଥିଲେ ବୋଲି ଜାଣିଛେ । ଏସବୁ ସ୍ୱାଧୀନତା ପୂର୍ବ ଘଟଣା । ସ୍ୱାଧୀନତା ପରେ ଏବକାର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଜନ୍ମ । ସିଏ ଶୈଶବ କାଳରେ ନିଜପିତାଙ୍କୁ ଚା’ଦୋକାନରେ ସାହାଯ୍ୟ କରି ଚା ବିକିବା କଥା ସମସ୍ତେ ଜାଣିଛନ୍ତି । ଏସବୁ ଉଲ୍ଲେଖକରିବା ଉଦେ୍ଦଶ୍ୟ ହେଲା ଶିଳ ଶିଳୁପୂଆ ଯେତେବେଳେ ଗଗନେ ଉଡୁଛି ଶିମିଳିତୁଳା କଥା କିଏ ପଚାରେ! ମୋଟାମୋଟି କହିବାକୁ ଗଲେ ଶିଶୁମାନେ ହେଲେ ଦେଶର ଭବିଷ୍ୟତ ।
ଶିଶୁମାନେ ଯେତେବେଳେ ସୁରକ୍ଷିତ ନୁହଁନ୍ତି ତେବେ ଦେଶର ଭବିଷ୍ୟତ କେତେ ସୁରକ୍ଷିତ? ଏଠି ପାଂଚବର୍ଷର ଶିଶୁକନ୍ୟାଟିଏ ବଳକôାରର ଶିକାର ହେଉଛି । ଦୁଇମାସର ସନ୍ତାନକୁ ପିତାମାତା ତିିରିଶହଜାର ଟଙ୍କା ବଦଳରେ ଅପରିଚିତ ହାତରେ ଟେକିଦେଇ ଭୁଲିଯାଉଛନ୍ତି । ଲକ୍ଷଲକ୍ଷ ଶିଶୁ ରାସ୍ତାକଡ ଢାବା ହୋଟେଲଗୁଡିକରେ ଥାଳିମାଜିବା, ପିଆଜରସୁଣ ଚୋପା ଛଡେଇବା, ଟେବୁଲ ପୋଛା ମାରିବା ଆଦିକାମ ସମସ୍ତଙ୍କ ସାମ୍ନାରେ କରୁଛନ୍ତି ।
ଆଉରି ଲକ୍ଷଲକ୍ଷ ଶିଶୁ ଖେଳଣା, ଦିଆସିଲି, ଅଗରବତି, ବିଡି ଓ ବାଣ ପରି ବିପଦସଂକୁଳ କଳ କାରଖାନାମାନଙ୍କରେ କାମକରି ନିଜ ରୋଜଗାରରେ ପେଟପୋଷି ପରିବାର ଚଳଉଛନ୍ତି । ତା’ଙ୍କ ଭିତରୁ କେତେଜଣ କ୍ରୀତଦାସ ପରି ସାରା ଜୀବନପାଇଁ ବିକ୍ରି ହୋଇଯାଚ୍ଛଥିବା କଥା ମଧ୍ୟ ଶୁଣିବାକୁ ମିଳେ । ଏହାର କ’ଣ ଅନ୍ତ ନାହିଁ । ଆମଦେଶର ଶିଶୁମାନଙ୍କ ଶୈଶବାବସ୍ଥା କ’ଣ ଅନନ୍ତକାଳ ପର୍ଯ୍ୟନ୍ତ ଏମିତି ଦୟନୀୟ ହୋଇ ରହିଥିବ! ସେଦିନ ସେ ଚାରିଜଣ ଶିଶୁମାନଙ୍କୁ ତାଙ୍କର ଜନ୍ମକଲା ମାଆ ଦ୍ୱାରା ପ୍ରତାଡିତ ହେବାର ଦେଖି ହୃଦୟ ବିଷାଦଗ୍ରସ୍ତ ହୋଇଯାଇଥିଲା । ସାଂପ୍ରତିକ ପରିସ୍ଥିତି ପାଇଁ ଦାୟି କିଏ?
ରେଳଧାରଣାକୁ ଏପଟରୁ ସେପଟକୁ ପାରିହେବା ପାଇଁ ଗଢାଯାଇଥିବା ପାଦଚଲା ଉଠାପୋଲ ମଝିପାହାଚରେ ମା’ଟିଏ କୋଳରେ ବର୍ଷକର ଲଙ୍ଗଳାଛୁଆଟିକୁ ଧରି କ୍ଷୀର ଖୋଉଥାଏ । ମଝିପାହାଚରୁ ତଳକୁତଳ ତିନି ପାହାଚରେ ମା’କୁ ପଛକରି ବସିଥାନ୍ତି ଆଉ ତିନୋଟି ଛୁଆ । କଅଁଳାଛୁଆକୁ କ୍ଷୀର ଖୋଉଥିବା ମା’ଟି ତା’ଆଗରେ ବସିଥିବା ସେହି ତିନୋଟି ଛୁଆର ଜନନୀ ବୋଲି ମୁହଁ ଦେଖିଲେ ସହଜରେ ଅନୁମାନ କରିହେଉଥାଏ । ଟିକିଏ ପରେ ମା’ର ଆଗସାମ୍ନା ତଳପାହାଚରୁ ବଡଝିଅ ଉଠି ମା’ଆଡକୁ ପଛକରି ଛିଡାହେଲା । ମା’ଟି କଅଁଳାଛୁଆ ମୁହଁରୁ ନିଜର ବାଁସ୍ତନ କାଢି ଡାହାଣ ପଟସ୍ତନର ଅଗ୍ରଭାଗକୁ ଗେଞ୍ଜିଦେଇ ନିଜହାତରେ ନିଜପାଦରୁ ଚପଲଖୋଲି ସାମ୍ନାରେ ଦଣ୍ଡାୟମାନ ଝିଅର ପିଠିରେ ସେହି ଚପଲରେ ଦୁଇଚାପୁଡା ମାଇଲା । ଝିଅଟିର ବୟସ ନଅ କି ଦଶ ଭିତରେ ହେବ । ଉଁ ନାହିଁ କି ଚୁଁ ନାହିଁ । ନୁଖୁରାବାଳ ଜଟ୍ଟାକୁ ଦେଖି ଅନୁମାନ କରିହେବ ଯେ କେଇମାସ ହେଲା ତେଲହାତ ବାଜିିନି । ପେଟ ଓ କାନ୍ଧପାଖରେ ଛିଣ୍ଡି ଯାଇଥିବା ମଇଳା ପୋଷାକ ପିନ୍ଧି ଧିରସ୍ଥିର ଭାବରେ ମା’ ସାମ୍ନାରେ ଝିଅଟି ଛିଡା ହୋଇଥାଏ । ଏଥର ମା’ ସେହି ଝିଅର ବାଁ କଙ୍କାଳକୁ ଚପଲରେ ଥରେ ଏବଂ ଡାହାଣ କଙ୍କାଳକୁ ଚପଲରେ ଦୁଇ ତିନିଥର ଜୋରଜୋରରେ ପ୍ରହାର କରିବାରୁ ଆଖିରୁ ଲୁହ ବାହାରିଆସିଲା ।
ଝିଅଟି ଧିରେଧିରେ ପାହାଚ ତଳକୁ ଓହ୍ଲାଇ ପ୍ଲାଟ୍ଫର୍ମରେ ଅପେକ୍ଷା କରୁଥିବା ଯାତ୍ରୀମାନଙ୍କୁ ଭିକ୍ଷା ଉଦେ୍ଦଶ୍ୟରେ ହାତ ପତେଇପତେଇ ମୋ ଆଖିର ପରିସୀମା ଭିତରୁ କେଇମିନିଟ୍ରେ ଅଦୃଶ୍ୟ ହୋଇଗଲା । ତାପରେ ମୋ ଆଖି ଫେରିଲା ପୁଣିଥରେ ସେହି ନର୍ଦ୍ଦୟ ମା’ପାଖକୁ । ଏଥର ସେହିଝିଅଟିର ପଛରେ ଜନ୍ମ ହୋଇଥିବା ପାଂଚ ଛଅବର୍ଷର ପୁଅର ପାଳି । ସିଏ ସେମିତି ବଡ ଭଉଣୀପରି ମା’ ସାମ୍ନାରେ ମା’ ଆଡକୁ ପଛକରି ଛିଡାହେଲା । ମା’ ତାକୁ ପାଖରେ ରଖିଥିବା ଗୋଟିଏ ତେନ୍ତୁଳି ଛାଟରେ ଚାରିପାହାର ଦେଲାପରେ ପଚାରିଲା, ‘ହେଲା?’- ‘ନା’ । ଏଥର ମା’ର ପୂରାବଳ ଖର୍ଚ୍ଚକରି ଆଖିବୁଜା ଆଉ ଚାରି ଛଅ ଛାଟ ପଡିଲାରୁ ଆଖିରୁ ଲୁହ ବାହାରିଗଲା ପରେ ସିଏ ତଳକୁ ଦୌଡି ଯାତ୍ରୀମାନଙ୍କୁ ଭିକ୍ଷା ମାଗିବାକୁ ଲାଗିଲା । ତା ପଛକୁ ସବାଶେଷରେ ଏବେ ଦୁଇବର୍ଷରୁ ତିନିବର୍ଷ ବୟସ୍କ ଝିଅ ଭାଇଭଉଣୀ ପରି ଆପେଆପେ ମା’ ଆଗରେ ଯାଇ ପଛକରି ଛିଡାହେଲା ।
ମା’ ଅଂଟାରେ ଖୋସିଥିବା ପିନ୍ଧାଲୁଗାର ନାହିତଳ ଖୋସଣୀରୁ ସଫଳପୁଡିଆ ଦୁଇଟା ବାହାରକରି ଦାନ୍ତରେ ଛିଣ୍ଡେଇ ପାଟିରେ ପକେଇ କିଛିସମୟ ଆଖିବୁଜିଲା । ସଫଳଗୁଟୁକାର ନିଶା ଜିଭଦେଇ ମସ୍ତିସ୍କରେ ପଶିଗଲା ପରେ ଆଖିଖୋଲି ଚପଲରେ ତା ପିଠିକୁ ଆଗ ଦୁଇପାହାର ଦେଲା । ଦୁଇ ତିନିବର୍ଷର ଝିଅପିଲା । ବଡପିଲାଙ୍କ ପରି ମାଡ କୁଆଡୁ ସହିବ! ଧିରେଧିରେ ଚପଲ ପାହାରର ବେଗ ତୀବ୍ରକଲା । ଦଶ ବାର ପାହାର ଦେଲା ପରେ ମା କୁନିଝିଅକୁ କହିଲା, ଦେଖି ବୁଲିଲୁ? କୁନିଝିଅଟି ପଛକୁ ମୁହଁ ବୁଲେଇ ମା’ ଆଖି ସାଙ୍ଗରେ ଆଖି ମିଶେଇଲା । ତା ପରେ ଦେ ଦନାଦନ କରି ତେନ୍ତୁଳିଛାଟରେ ପିଚାଉପରୁ ଫ୍ରକଟେକି କଷି ଦେଇଗଲା । ଏଥର ଝିଅ ଆଖିରୁ ଲୁହ ବାହାରିଲା ପରେ ସିଏ ସିଧା ମୋ ପାଖକୁ ଆସି ମୋ ଆଣ୍ଠୁଉପର ଗୋଡ ପାଖରେ ଟିପ ଗେଞ୍ଜିଗେଞ୍ଜି ହାତ ପତେଇ ପଇସା ମାଗିଲା । ଉଚ୍ଚତା ଅଢେଇଫୁଟ । ତଳକୁ ଚାହିଁ ଦେଖିଲି କଜଳମିଶା ଆଖିଲୁହ ଦୁଇଧାର ନାକକଡ ଦେଇ ଗାଲତଳକୁ ବୋହିଆସି ଶୁଖିଯାଇଥାଏ ।
କାହାର ବହୁତ ଢିଲା ସାର୍ଟଟିଏ ହ୍ୟାଙ୍ଗରରେ ଲଟକିଲା ପରି ଝିଅଟିଦେହରେ ଝୁଲୁଥାଏ, ତଳେ ବୋଧେ ଆଉକିଛି ଅନ୍ତର୍ବସ୍ତ୍ର ପନ୍ଧିନଥାଏ । କୋଡିଏ ମିନଟ୍ ହେଲା ମା’ ଛୁଆଙ୍କର ଏମିତି ଅଦ୍ଭୁତ ଖେଳକୁ ଲକ୍ଷ୍ୟ କରୁଥିବାରୁ ଝିଅଟି ପ୍ରତି ଦୟା ହେଲା । ତୁରନ୍ତ ମନିପର୍ସରୁ ଦଶଟଙ୍କିଆ ନୋଟ୍ଟିଏ କାଢି ତା ଆଡକୁ ଦେବାପାଇଁ ଗଲାବେଳେ ସେ ମୋ ହାତରୁ ସେହି ନୋଟ୍ଟି ଝାମ୍ପିନେଇ ମା’ ପାଖକୁ ଦୌଡିଲା । ତା ହାତରେ ଦଶଟଙ୍କା ଗେଞ୍ଜି ତା ମୁହଁ ପାଖକୁ ନିଜ ଗାଲ ଦେଖେଇଲା । ମା ତା ଗାଲରେ ଚୁମ୍ମାଟିଏ ଦେବାପରେ ପୁଣିଥରେ ପ୍ଲାଟଫର୍ମରେ ଅନ୍ୟଯାତ୍ରୀଙ୍କ ପାଖରେ ପହଁଚି ଭିକ୍ଷା ମାଗିବାକୁ ଲାଗିଲା ।
ଏ ଦୃଶ୍ୟ ମୋତେ ବହୁତ ଆଶ୍ଚର୍ଯ୍ୟ କରୁଥାଏ । ମୁଁ ଟିକେଟ ଖିଡିକିଆଗରେ ଧାଡିରେ ଛିଡାହୋଇ ଏକ ଲୁହାଜାଲି ଭିତର ଦେଇ ଏ ଦୃଶ୍ୟ ଦେଖୁଥାଏ । ଏଥର ନିଜେ ମା ସେହି ମଝିପାହାଚରୁ ଉଠି ଛିଡାହେଲା । ଟିକେଟ ଖିଡିକିରେ ଧାଡିଦେଇଥିବା ସମସ୍ତଲୋକଙ୍କୁ ପଛରୁ ମାଗିମାଗି ଆଗକୁ ଅସିଲା । ମୁଁ ସେ ମା’କୁ ବି ପାଂଚଟଙ୍କା ଦେଲି ।
କ୍ଷୀର ପିଇପିଇ ଛୁଆଟି ବୋଧେ ତା ବେକରୁ ଓହଳିଥିବା ଶାଢୀଝୁଲାରେ ଛାଇନିଦରେ ଘୁମାଉଥାଏ । ସ୍ତ୍ରୀ ଲୋକଟି ମୋ ଆଗରେ ଥିବା ଭଦ୍ରବ୍ୟକ୍ତିଙ୍କୁ ଦୁଇତିନିଥର ‘ବାବୁ , ବାବୁ’ ବୋଲି ଡାକିଲା । ସେ ବାବୁଜଣକ ଆରପଟକୁ ମୁହଁ ବୁଲେଇ ଅନ୍ୟମନସ୍କ ହେଲା ପରି ତା ଡାକ ଶୁଣୁନଥିଲେ । ମା’ଟି ତୁରନ୍ତ ତା ନଖରେ ଛୁଆଜଙ୍ଘକୁ ଜୋରରେ ଚିମୁଟି ଦେବାରୁ ଛୁଆଟି ଭେଁ ଭେଁ ରଡିକରି କାନ୍ଦିବାକୁ ଲାଗିଲା । ବାବୁଜଣକ ଛୁଆ କାନ୍ଦଶୁଣି ମା’ଆଡକୁ ଫଟ୍କିନି ମୁହଁ ଫେରେଇ ଦୁଇଟଙ୍କିଆ ମୂଦ୍ରାଟିଏ ତା ହାତରେ ଧରେଇ ଦେଲେ । ସେହି ଟିକେଟ ଖିଡିକି ସାମ୍ନାଧାଡିରୁ ମା’ଟିର ଭିକ୍ଷା ଆମଦାନି ଶହେଟଙ୍କା ଉପରେ ହେବ । ଟିକେଟ କିଣିବା ପାଇଁ ମୋ ପାଳି ଆଉ ଦୁଇଜଣକ ପରେ ଆସିବ । ମା’ ଟି ଭିକ ମାଗିମାଗି ପ୍ଲାଟ୍ଫର୍ମ ଭିତରେ ହଜିଗଲା ।
ମୁଁ ଟିକେଟ କିଣିସାରିବା ପରେ ସେହି ମା’ଟିକୁ ମୋ ଆଖି ଖୋଜିଲା । ପ୍ଲାଟଫର୍ମ ସାରା ଦୃଷ୍ଟି ପହଁରେଇ ଦେଖିଲି ଗୋଟିଏ ବରଗଛ ଚଉତରା ଉପରେ ସ୍ତ୍ରୀ ଲୋକଟି ବସିଛି ।ଚାଲଚାଲ ହୋଇ ତା ପାଖକୁ ଯାଇ ଟିକିଏ ଦୂରରେ ଛିଡାହୋଇ ତାକୁ ଲକ୍ଷ୍ୟକଲି । ପ୍ରଥମେ ସବାସାନ ଝିଅଟି ଦୌଡିଦୌଡି ମା’ ପାଖକୁ ଆସି ତା ଛିଣ୍ଡାପୋଷାକ ପକେଟରୁ ଦୁଇଟଙ୍କିଆ ଓ ପାଂଚଟଙ୍କିଆ ଆଞ୍ଜୁଳାଏ ମା’ ସାମ୍ନାରେ ଢାଳିଦେଇ ସେହି ଚବୁତରା ଉପରେ ବସିଲା । ମା’ଟି ଟଙ୍କିକିଆ, ଦୁଇଟଙ୍କିଆ ଓ ପାଂଚଟଙ୍କିଆ ଅଲଗାଅଲଗା ଗଦାକରି ଗଣି ନିଜମୁଣିରେ ଗୋଟିଗୋଟି କରି ପୁରେଇଲା ।
ତାପରେ ଜଣ ଜଣ କରି ମା’ ପାଖକୁ ବଡଝିଅ ଓ ପୁଅ ଭିକ୍ଷାବୃତ୍ତି ସାରି ପହଁଚିଲେ । ସମସ୍ତେ ମାଗି ଆଣିଥିବା ପାଇସାକୁ ମା’ ଆଗରେ କୁଢେଇ ଦେଇ କିଛି ପାଉଁରୁଟି ଧରି ପାଣିନଳ ପାଖକୁ ଯାଇ ଜଳଖିଆ କାମ ସାରି ମା’ ପାଖକୁ ଫେରି ସେହି ବରଗଛ ଛାଇ ଚବୁତରାରେ ଲମ୍ବିଗଲେ । ମୁହଁସଂଜ ହେଲାରୁ ଦରବୁଢା ଦାଢିଆ ଅପରିଷ୍କାର ଲୋକଟାଏ ଆସି ସେହି ସ୍ତ୍ରୀଲୋକ ପାଖରେ ଗେଞ୍ଜିହୋଇ ବସିଲା । ହାବଭାବରୁ ଜାଣିଲି ଯେ ସେ ଲୋକଟା ଏହି ମହିଳାର ସ୍ୱାମୀ । ଅଳ୍ପ କିଛି କଥା ହେବାପରେ ପଇସାମୁଣିକୁ ଦାଢିଆ ଦରବୁଢାଟି ଧରି ଯିବାବେଳେ ଗୋଟିଏ ଜରିରେ ସଫଳଗୁଟୁକା ପ୍ୟାକେଟ୍ ଗୁଡିଏ ଏବଂ ପଇସାରଖିବାକୁ ଆଉଗୋଟେ ଖାଲିମୁଣି ତା ସ୍ତ୍ରୀକୁ ଧରେଇ ଦେଇ ଚାଲିଗଲା ।
ଏ ବିଷୟରେ ମୁଁ ଖୋଳତାଡ କରି ଜାଣିବାକୁ ପାଇଲି ଯେ ଏ ସ୍ତ୍ରୀ ଲୋକର ବାପା ଇଆ ସ୍ୱାମୀ ସାଙ୍ଗରେ ବାହାଦେବାକୁ ତାକୁ କଥା ପକ୍କାକରି ସବୁବେଳେ ତାରି ପଇସାରେ ମାଗଣା ମଦପିଏ । ଏମିତି ହିସାବ କରୁକରୁ ତା ବାପା ଉପରେ ଦଶ ବାର ହଜାର ଟଙ୍କା ଉଧାର ହୋଇଗଲା । ଝିଅ ବାହାଘର ଅନ୍ୟ କାହା ସହ କରାଇଲେ ବାହାଘର ଦିନ ଆସି ବେଦିରୁ ଝିଅକୁ ଉଠେଇନେବାକୁ ଧମକ ଦେଲା । ଶେଷରେ ଏଇ ଘୋଡାମଦୁଆ ମଙ୍ଗୁଆ ସାଙ୍ଗରେ ତାର ବାହାଘର କରିଦେଲେ ।
ସେହିଦିନ ଠାରୁ ସିଏ ଜୀବନକୁ ଜିଇଁ ଜିଇଁ ଚାଲିଛି । ବାହାଘର ପରେ ଚଉଠିଦିନ ମଙ୍ଗୁଆ ଟାଙ୍କେ ଦେଶିମଦ ପିଇ ଆଖି ନାଲିନାଲି କରି ରାତି ବାରଟାରେ ତା ପାଖକୁ ଆସିଲା । କବାଟପାଖରୁ ଖଟଯାଏ ଆସିଲା ବେଳେ ପାଦ ଏପଟସେପଟ ହୋଇ ପଡୁଥାଏ । ସିଏ ଡରିଗଲା । ମଙ୍ଗୁଆ ଖଟପାଖକୁ ଆସି ମୁହଁରେ ଲଗେଇଥିବା ଅଧାଟଣା ଜଳନ୍ତାବିଡିର ନିଆଁମୁଣ୍ଡିକୁ ତା ପାଦଉପରେ ଦାବିଦେଲା । ଚିହିଁକି ଉଠି ମା’ ମା’ ବୋଲି ସିଏ ଚିକôାରକରିବାରୁ ତା ମୁହଁକୁ ମଙ୍ଗୁଆ ଜାବୁଡି ରଖିଲା । ବିଡିଚେଙ୍କରେ ସେହି ଜାଗାରେ ଫୋଟକା ହେବାରୁ ତାକୁ କଷ୍ଟ ହେଉଥାଏ ।
ମଙ୍ଗୁଆ କହିଲା ଆଜି ତ ପାଦରେ ଚେଙ୍କିଛି, କାଲି ଗାଲ, ଜଙ୍ଘ ସବୁଠି ଚେଙ୍କିବି । ଏମିତି ବଡପାଟି କଲେ ଚଳିବ! ଝିଅଜନ୍ମ ପରା କଷ୍ଟ ସହିବାକୁ ହୋଇଛି । ତୁ କ’ଣ ଏକଥା ଜାଣିନୁ! ଏଇ ସାମାନ୍ୟ ବିଡିଚେଙ୍କରେ ଏତେ କ’ଣ ଚିଲ୍ଲଉଛୁ? କାଲି ଚିଲମଚେଙ୍କ କେମିତି ସହିବୁ! ଏମିତି ପାଂଚ ଛଅବର୍ଷରେ ତିନିଟା ପିଲା ଲାଗ୍ଲାଗ୍ ହୋଇଗଲେ । ଦିନେ ବଡଝିଅଠାରୁ ଶୁଣିଲା ଯେ ତା ସ୍ୱାମୀ କିଛି ଧନୀଲୋକଙ୍କ ଘରେ ତାକୁ ବିକିବାକୁ ଯୋଜନା କରୁଛି । ଝିଅର ବୟସ ସେତେବେଳେ ସାତବର୍ଷ । ତା ତଳେ ପୁଅକୁ ପାଂଚବର୍ଷ । ତା ପରେ ସାନଝିଅକୁ ତିନିବର୍ଷ । ସବାସାନ ପୁଅକୁ ନଅମାସେ ହୋଇଥାଏ । ଟାଙ୍କେ ପିଇକି ଆସି କହିଲା ବଡଝିଅକୁ କିଣିବାପାଇଁ ଗୋଟେ ସେଠ କୋଡିଏ ହଜାର ଦେବ ବୋଲି କହୁଛି ।
ସିଏ ତାକୁ ଚାରି ପାଂଚବର୍ଷ ପାଳି ବଡହେଲେ ସୋନାଗାଚ୍ଛିରେ ପଚାଶହଜାର ଟଙ୍କାରେ ବିକିବ । ଆମେ ଏଗୁଡାଙ୍କୁ ପାଳିଲେ ଲାଭ ଅଛି ଯେ ହେଲେ ପାଳି ବଡକରିବାକୁ ଏବେ ପଇସା ଦରକାର । କିନ୍ତୁ ସିଏ ଚାହୁଁଛି ବଡଝିଅକୁ ଖସେଇଦେଲେ ଧାରଉଧାର ସବୁସୁଝି ଆଗକୁ କିଛିମାସ ଦେଶିମଦ ଭାଟିର ଚାଖଣାଖର୍ଚ୍ଚ ଆଦି ଆରାମରେ ଚଳିଯାନ୍ତା । ଏସବୁ ଶୁଣି ସିଏ ନିଷ୍ପତ୍ତି ନେଲା ଯେ ତା ଛୁଆ ଏଠି ସୁରକ୍ଷିତ ନୁହଁନ୍ତି । ଦିନେ ରାତିରେ ସ୍ୱାମୀ ଶୋଇଲାପରେ ସମସ୍ତଙ୍କୁ ଧରି ଏଇ ଷ୍ଟେସନ୍କୁ ଚାଲି ଆସିଲା । ଛଅମାସ ତଳେ ଇଏ ଖୋଜିଖୋଜି ଆସି ଏଠି ୟାଙ୍କୁ ପାଇଗଲା । ପ୍ରଥମେ ଭଲରେ ରହିବାକୁ ହଁ ଭରିଲା । ମାସକପରେ ପୁଣି ତାର ସବୁ ପୁରୁଣା ଢଙ୍ଗ ବାହାରକଲା । ଏବେ ସ୍ତ୍ରୀ ଓ ଛୁଆଙ୍କର ଭିକମଗା ପଇସାରେ ଦିନକୁ ଚାରିଶହ ଟଙ୍କାର ବିଦେଶି ମଦ ପିଉଛି । ନିଜେ କିଛି କାମଧନ୍ଦା କରୁନି । ତିନିଟାଯାକ ଛୁଆ ରାତି ଚାରିଟାରୁ ଉଠି ଜରି, ପ୍ଲାଷ୍ଟିକ୍ ଓ କାଚଶିଶି ଗୋଟେଇବାକୁ ବଣବୁଦା ଭିତରକୁ ଯାଇ କବାଡି ପାଖରେ ବିକି ପଇସାନେଇ ଆସିଲା ବେଳକୁ ଦିନ ଏଗାରଟା ।
କେତେ ଅସନା ଗୁହମୂତ ଭିତରେ ଅଳିଆଜରି ଗୋଟେଇବା କ’ଣ ସହଜ କଥା! ତାପରେ ଭିକମାଗିବା ପାଇଁ ଷ୍ଟେସନ୍ରେ ଏପାଖୁ ସେପାଖ, ସେପାଖୁ ଏପାଖ ବହୁତ ଚାଲିବାକୁ ହେଉଛି । ଯେଉଁଦିନ ଭିକ ହେଉନି ମଙ୍ଗୁଆ ଆସି ସମସ୍ତଙ୍କୁ ବିଧାଗୋଇଠା ମାରୁଛି । ତେଣୁ ଯେମିତିହେଲେ ତାକୁ ଚାରିଶହଟଙ୍କା ଦେବାକୁ ହେଉଛି । ଦିନେ ରାତିରେ ମଙ୍ଗୁଆ ତା ସ୍ତ୍ରୀକୁ କହୁଥିଲା ଏ ତିନିଟା ଭିତରୁ କାହାକୁ ଗୋଟେ ବାଡେଇ ଛୋଟା କରିଦେଲେ ହୁଅନ୍ତା । ବାଡି କାନ୍ଧରେ ଦେଇ ମାଗିଲେ ବାବୁମାନେ ଭଲ ପଇସା ଦିଅନ୍ତେ । ନହେଲେ କୋଉ ଗୋଟାଏ ଛୁଆର ହାତ ଗୋଡରୁ ଗୋଟାଏ ହାଣିଦେଲେ ବି ରୋଜଗାର ବେଶୀ ହୁଅନ୍ତା ।
ଏସବୁ ଶୁଣୁଶୁଣୁ ମୁଁ ଜାଣି ପାରୁଥାଏ ପିଲାମାନଙ୍କ ପ୍ରତି ମା’ ଟିର ବାସôଲ୍ୟ ମମତା ତ ଭରପୁର ଅଛି । ହେଲେ ଚପଲ ଓ ବାଡିରେ ସମସ୍ତଙ୍କୁ ପିଟୁଛି କାହିଁକି? ମୁଁ ସେକଥା ପଚାରିବାରୁ ସନ୍ତର୍ପଣର ସହ ସେ ମୋତେ କହିଲା ଆଖିରୁ ଲୁହ ଝରେଇ ଭିକ ମାଗିଲେ ଭଲଭିକ ମିଳୁଛି । ବାବୁମାନେ ଦୟାପାଇ ଛୁଆଙ୍କୁ ବେଶିଭିକ ଦେଉଛନ୍ତି । ସେଥିପାଇଁ ସେମାନେ ମୋ ପାଖକୁ ମାଡ ଖାଇବାକୁ ଆପେଆପେ ଆସି ଛିଡା ହୋଇଯାନ୍ତି । ମୋ ମାଡରେ ଯେତେବେଳେ ତାଙ୍କୁ ବହୁତ କଷ୍ଟହୋଇ ଆଖିରୁ ଲୁହବାହାରେ ସେମାନେ ସେହି ଲୁହ ବୋହୁଥିବା ଅବସ୍ଥାରେ ଦୌଡିଦୌଡି ଯାତ୍ରୀମାନଙ୍କୁ ମାଗିଲେ, ସେତେବେଳେ ସମସ୍ତଙ୍କ ଠାରୁ ଭିକ ଭଲମିଳେ ।
ସେମାନଙ୍କୁ ମାରିଲା ବେଳେ ତାଙ୍କଠାରୁ ମୋତେ ବେଶି କଷ୍ଟ ହୁଏ , ହେଲେ କ’ଣ କରିବି! ଅନ୍ନକଷ୍ଟିଆ ଛୁଆମାନଙ୍କ ଆଖିରୁ ଲୁହ ବାହାରକରିବା କ’ଣ ସାମାନ୍ୟ କଥା! ଆଜି ଦିନରେ ଏମିତି ଅଗଣିତ ଛୁଆ ପ୍ରତ୍ୟେକ ସହରରେ ପାହାନ୍ତିଆରୁ ଅଳିଆଗଦାରୁ ଶିଶି ଜରି ଗୋଟେଇବାକୁ ବୁଳୁଛନ୍ତି । ନିଜର ଜନ୍ମକଲା ପିତାମାତା ମାନେ ତାଙ୍କୁ ଏପରି କାମରେ ଲଗାଇବା ସହ ନିଶାସେବନ କରିବାକୁ ମଧ୍ୟ ଦେଉଛନ୍ତି । ଲକ୍ଷଲକ୍ଷ ଶିଶୁ ଭୀକ୍ଷାବୃତ୍ତି ଆଦରିବାକୁ ଅଭିଭାବକମାନେ ବାଧ୍ୟ କରୁଛନ୍ତି । ଭାରତର ପ୍ରତ୍ୟେକ ଜିଲ୍ଲାସ୍ତରିୟ ରେଳସ୍ଥାନକରେ ଏପରି ଶିଶୁମାନଙ୍କ ସଂଖ୍ୟା ଦିନୁଦିନ ବଢିବାରେ ଲାଗିଛି ।
ସମ୍ବିଧାନର ଧାରା ୧୫(୩) ଅନୁସାରେ ଶିଶୁ ଓ ମହିଳାମାନଙ୍କପାଇଁ ଉପଯୁକ୍ତ ଧ୍ୟାନ ଦିଆଯିବା କଥା ଲେଖାଅଛି । ଧାରା ୨୪ରେ ୧୪ବର୍ଷରୁ କମ୍ ଶିଶୁମାନଙ୍କୁ କଳକାରଖାନାରେ କିମ୍ବା କୌଣସି ବିପଦସଂକୁଳ ଜାଗାରେ ନିଯୁକ୍ତିଦେବା ଅନୁଚିତ୍ ବୋଲି ଉଲ୍ଲେଖ ଅଛି । ୩୯(ଙ) ଅନୁଯାଇ ଶିଶୁମାନଙ୍କୁ ଅର୍ଥ ଉପାର୍ଜନ ସଂସ୍ଥାର କର୍ମକ୍ଷେତ୍ରରେ ବାରଣକରିବାକୁ ରାଜ୍ୟମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଧାରା ୪୫ ହିସାବରେ ପ୍ରତ୍ୟେକ ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଆଦି ଅନେକ ପ୍ରକାରର ନିୟମ କାନୂନ ଆମଦେଶରେ ରହିଛି । ଏଗୁଡା ସବୁ ପୋଥିବାଇଗଣ, ଦେଖା ସୁନ୍ଦର ବଉଳାଗାଈ । ବାଡି ବଇଗଣ ଗଛସବୁ ବାଂଝ, ଫୁଲ ଧରିବା ନାଁ ନାହିଁ । ଫଳ କଥା କିଏ ପଚାରେ!
ସମ୍ବିଧାନରେ ଲେଖା ଏସବୁ ନିୟମଗୁଡିକ ଭିତରୁ କୌଣସି ଗୋଟିଏ ଏପର୍ଯ୍ୟନ୍ତ କଡାକଡି ଭାବରେ ଲାଗୁହେବାର ଉଦାହରଣ ଦେଖିବାକୁ ମିଳିନାହିଁ । ଏହାର ଫଳ ସ୍ୱରୁପ ଦେଶର ଶିଶୁମାନଙ୍କ ଭିତରୁ ପ୍ରାୟ ୫% ଶିଶୁ କର୍ମଜୀବୀ ହୋଇ ପ୍ରକୃତ ଶୈଶବ ଓ ଶିକ୍ଷାରୁ ଆଜି ବଂଚିତ । ଭାରତରେ ଏବେ ଏପରି ଶିଶୁମାନଙ୍କ ସଂଖ୍ୟା ପାଂଚରୁ ଛଅକୋଟି ହେବ । ଏଥିପାଇଁ କ’ଣ କେବଳ ସରକାରର ସେ ବୁଢା ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀମୁଣ୍ଡରେ ଅଠାବୋଳି ଆମେ ସବୁ ଘରେ ବସିଗଲେ ଚଳିବ! ଆମ ସମାଜର କ’ଣ ସାମାଜିକ ଦାୟିତ୍ୱ ବୋଲି କିଛି ନାହିଁ? ଜଣଙ୍କ ଆଖି ଆଗରେ ଛୋଟ ପିଲାଟିଏ ଯେତେବେଳେ ଟେବୁଲ୍ପୋଛି ଅଇଁଠାଥାଳି ଉଠାଉଛି, ଗୋଟିଏ ସୁନାଗରିକ ହିସାବରେ ଆମର କ’ଣ ସେଠି କିଛି କର୍ତ୍ତବ୍ୟ ନାହିଁ! ପୁରାବିଶ୍ୱରେ ଆମଦେଶର ଶୈଶବାବସ୍ଥା ଅତି ଦୟନୀୟ ଏବଂ ଏଥିପ୍ରତି ପ୍ରତ୍ୟେକ ନାଗରିକ ଏବଂ ସରକାର ଉଚିତ୍ ଧ୍ୟାନଦେବା ଅନିବାର୍ଯ୍ୟ ।