ସାଲେପୁର ୨୮ ।୮- ମହାନଦୀ, ଚିତ୍ରୋତ୍ପଳା ଓ ବିରୂପା ନଦୀରେ ବନ୍ୟାଜଳ ଆସିବା ପରେ ନଦୀକୂଳବର୍ତ୍ତୀ ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକମାନେ ଭୟଭୀତ ହୋଇପଡିଛନ୍ତି ।
ପ୍ରକାଶ ଯେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମହାନଦୀରେ ବନ୍ୟାଜଳ ଆସିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ବିରୂପା ନଦୀରେ ବନ୍ୟାଜଳ ଆସି ନଦୀ ପଠାରେ ପାଣି ପଶି ବନ୍ଧ କଡ଼କୁ ପାଣି ଛୁଇଁବାରୁ ଚିତ୍ରୋତ୍ପଳା ଓ ମହାନଦୀ କୂଳରେ ଥିବା ହରିଚନ୍ଦନପୁର, ଜଳହରି, କାଠାହାର, ତେନ୍ତୋଳ, ପାଟପୁର, ବଟେଶ୍ୱର ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡିଥିବାବେଳେ ବିରୂପା ନଦୀ କୂଳବର୍ତ୍ତୀ ଗ୍ରାମ ଇଚ୍ଛାପୁର, ଗଣିପୁର, ପ୍ରଧାନପଡ଼ା, ରାମେଶ୍ୱର, କୁକୁଡ଼ାଙ୍ଗ, ଗରଗରା, ଭୀମରାଜପୁର ଆଦି ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଅପର ପକ୍ଷରେ ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ସାଲେପୁର ତହସିଲଦାରଙ୍କ ପକ୍ଷରୁ ଗୋଖାଦ୍ୟ ଓ ଶୁଖିଲା ଖାଦ୍ୟ, ବୋଟ୍ ଆଦି ମହଜୁଦ କରି ରଖାଯାଇଥିବାବେଳେ ସାଲେପୁରର ମହାନଦୀ, ଚିତ୍ରୋତ୍ପଳା ଓ ବିରୂପା ନଦୀର ଦୁର୍ବଳ ବନ୍ଧ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବାଲିବସ୍ତା ମହଜୁଦ ରଖିବାକୁ ଜଳସେଚନ ବିଭାଗକୁ ପରାମର୍ଶ ଦିଆଯାଇଥିବା ତହସିଲଦାର ଦିବ୍ୟଜ୍ୟୋତି ଦେଓ ପ୍ରକାଶ କରିବା ସହ ଏହାନେଇ ପ୍ରଶାସନ ସଂପୂର୍ଣ୍ଣ ସଜାଗ ଥିବା ସେ ପ୍ରକାଶ କରିଛନ୍ତି ।