ଡକ୍ଟର ଲକ୍ଷ୍ମଣ ସାହୁ : ଯେଉଁ ଜାତିର ମାତୃଭାଷା ଯେତେ ସମୃଦ୍ଧ ସେହି ଜାତି ସେତେ ପ୍ରସିଦ୍ଧ । ସେତେବେଳେ ସଂପୂର୍ଣ୍ଣ ଅପରିଚିତ , ଅଜ୍ଞ , ଦୁର୍ବୋଧ୍ୟ ଏକ ଅନାକାଂକ୍ଷିତ ସଂସ୍କୃତି ପ୍ରତି ବୀତସ୍ପୃହା ଇଂରେଜମାନେ ଥିଲେ ଏକଥା କୁହାଯାଇପାରେ । ଇଂରେଜମାନେ ଓଡ଼ିଆମାନଙ୍କ ପ୍ରତି ଅନୁକୂଳ ମତପୋଷଣ କରୁନଥିଲେ ତାକୁ ଅସ୍ୱୀକାର କରିହେବ ନାହିଁ । ଏପରିକି ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ସ୍କୁଲଗୁଡ଼ିକରେ ଓଡ଼ିଆ ଭାଷାରେ ଶିକ୍ଷା ମାଧ୍ୟମରେ ଦିଆହେବକି ବଙ୍ଗଳା ଭାଷାରେ ଦିଆଯିବ ଏକ ବିବାଦୀୟ ପ୍ରଶ୍ନ ଝୁଲିପଡ଼ିଥିବା ବେଳେ ୧୮୬୯ ମସିହାରେ ବଙ୍ଗଳାର ତତ୍କାଳୀନ ଛୋଟଲାଟ୍ ସାର୍ ଆସ୍ଲେ ନିରପେକ୍ଷତାର ସହିତ ଓଡ଼ିଆ ଭାଷା ସପକ୍ଷରେ ରାୟ ଦେବାପରେ ବିବାଦର ଅନ୍ତ ଘଟିଥିଲା । ନୋହିଲେ ଓଡ଼ିଆ ଭାଷାର ଭାଗ୍ୟ କେଉଁ ଅପନ୍ତରା ସ୍ଥାନରେ ପହଞ୍ଚିଥାନ୍ତା କହିହୁଏନା ।
ଏବେ ଏହା ଶାସ୍ତ୍ରୀୟ ମାନ୍ୟତା ପାଇବା ସତ୍ତ୍ଵେ ବି ଆଧୁନିକ ଶିକ୍ଷା ନାମରେ ଅନେକ ନିଜ ଭାଷାକୁ ପରିତ୍ୟାଗ କରି ଇଂରାଜୀ ଭାଷା ଆଡ଼କୁ ମୁହାଁଇ ଥିବା ବେଳେ ସ୍ୱତଃ ଓଡ଼ିଆ ଭାଷା ସାହିତ୍ୟର ଚିହ୍ନରା ଇଂରେଜ ଗବେଷକ ଡକ୍ଟର ଜନ୍ ଭିକ୍ଟର ବୋଲ୍ଟନ ସ୍ମରଣକୁ ଆସନ୍ତି । କେବଳ ବୋଲ୍ଟନ ନୁହଁନ୍ତି , ଜନ ବୀମସ୍ ମଧ୍ୟ ସ୍ମରଣୀୟ । ବୀମସ୍ ଜଣେ ଇଂରେଜ ପ୍ରସାଶକ ଥାଇ ମଧ୍ୟ ଓଡିଆ ଭାଷାକୁ ବଙ୍ଗୀୟମାନଙ୍କ ଚକ୍ରାନ୍ତରୁ ରକ୍ଷା କରିବା ନିମନ୍ତେ ଫକୀରମୋହନଙ୍କ ନେତୃତ୍ୱରେ ସଫଳ ହୋଇଥିଲେ । ସେଭଳି ବୀମସ୍ ଙ୍କ ପରବର୍ତ୍ତୀ ପ୍ରାୟତଃ ଶହେ ବର୍ଷ ପରେ ଡକ୍ଟର ଜନ୍ ଭିକ୍ଟର ବୋଲ୍ଟନ ବିଲାତରେ ରହି ଓଡ଼ିଆ ଭାଷା ଶିଖି ବ୍ୟାସକବି ଫକୀରମୋହନଙ୍କ ଉପରେ ଗବେଷଣା କରି ଲଣ୍ତନ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି ଉପାଧି ଲାଭ କରିଥିଲେ ।
ଇଂଲଣ୍ତର ଉଲ୍ ଷ୍ଟ୍ରଣ୍ତନ , ଷ୍ଟାନଫୋର୍ଡ଼ ଶାୟାରରେ ବୋଲ୍ଟନ ଗୋଟିଏ ଶ୍ରମିକ ପରିବାରରେ ୧୯୩୪ ମସିହାରେ ଭୂମିଷ୍ଠ ହୋଇଥିଲେ । ଶିକ୍ଷା ସମାପ୍ତି ପରେ ବ୍ରିଟିଶ ସେନାବାହିନୀରେ ଯୋଗଦେଇ ମଧ୍ୟ ଭାରତୀୟ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ରଖି ଗବେଷଣା ବ୍ରତୀ ହୋଇଥିଲେ । ଫକିରମୋହନଙ୍କ ଗଳ୍ପ , ଉପନ୍ୟାସ ତଥା ଆତ୍ମଜୀବନୀ ପଢି ବିମୁଗ୍ଧ ହୋଇ ତାଙ୍କ ସମ୍ବନ୍ଧରେ ଅଧିକ ଜ୍ଞାନାର୍ଜନ ପାଇଁ ଲଣ୍ତନ ବିଶ୍ୱବିଦ୍ୟାଳୟରେ ଗବେଷଣା ଜାରି ରଖିଲେ । ସେ ସୈନ୍ୟ ବିଭାଗରୁ ବାହାରି ଆସି ଲଣ୍ତନ ବିଶ୍ୱବିଦ୍ୟାଳୟର ‘ ପ୍ରାଚ୍ୟ ଓ ଆଫ୍ରିକା ବିଷୟକ ଶିକ୍ଷାନୁଷ୍ଠାନ ‘ ବଙ୍ଗଳା ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପକ ରୂପେ ଯୋଗଦାନ କରିଥିଲେ ।
ଲୋକରତ୍ନ ପ୍ରଫେସର କୁଞ୍ଜବିହାରୀ ଦାଶଙ୍କ ସହ ତାଙ୍କର ଥିଲା ଅଗାଢ ସଂପର୍କ ଥିଲା । ଲଣ୍ଡନରେ ଥିବା ବିଜୟ ପ୍ରସାଦ ମହାପାତ୍ରଙ୍କ ଠାରୁ ବୋଲ୍ଟନ ଓଡ଼ିଆ ଭାଷା ଶିକ୍ଷା ଲାଭ କରି ଓଡ଼ିଆ ଭାଷାରେ ସୁନ୍ଦର ଭାବରେ କଥୋପକଥନ ହେଉଥିବା ଯେ କୈାଣସି ଓଡ଼ିଆ ବ୍ୟକ୍ତି ଆଚମ୍ବିତ ହୋଇ ପଡ଼ୁଥିଲେ । ବୋଲ୍ଟନଙ୍କ ସାଧୁତା, ସଚ୍ଚୋଟତା , ଉଦାରତା , ଅନାବିଳ ଓ ଆନ୍ତରିକ ଅଭିବ୍ୟକ୍ତି ଉପରେ ଡକ୍ଟର କୁଞ୍ଜବିହାରୀ ଦାଶ ଉଲ୍ଲେଖ କରି କହିଛନ୍ତି – ବର୍ଷା ସମୟରେ ଗୋଟିଏ ଛତା ତଳେ ଲଣ୍ଡନ ଫୁଥ୍ ପାଥରେ ଗୋପିବାବୁ , ମଝିରେ ସେ ଓ ଅନ୍ୟ କଡରେ ବୋଲ୍ଟନ ଯାଉ ଯାଉ ହାତରେ ଧରିଥିବା ଛତା ସେ ଗୋପିବାବୁଙ୍କ ଆଡ଼କୁ ଅଣେଇ ଦେଇ ନିଜେ ଭିଜନ୍ତି ଓ କୁହନ୍ତି ତାଙ୍କ ଦେଶର ବର୍ଷା ତାଙ୍କୁ ବାଧିବ ନାହିଁ । ଏକଦା ଡକ୍ଟର କୁଞ୍ଜବିହାରୀ ଦାଶ ଇଂରେଜମାନଙ୍କ ସାଧୁତା ପ୍ରଶଂସା କରିବା ଦେଖି ସେ ହସିଦେଇ କହିଲେ – ତାଙ୍କ ଜାତିର ମର୍ମ ହେଲା ଟାକ୍ସିବାଲା ଅପରିଚିତ ବିଦେଶୀଙ୍କୁ ଅଧିକ ପଇସା ପାଇବା ଲୋଭରେ ବୁଲେଇ ବୁଲେଇ ନିଏ ।
ନିଜର ଜାତିର ଦୋଷ/ଦୁର୍ବଳତାକୁ ଅକୁଣ୍ଠିତ ହୃଦୟରେ ସ୍ପଷ୍ଟ କରିଦେବାର ଅଦମ୍ୟ ଉତ୍ସୁକତା ଓ ସାହସ । ବୋଲ୍ଟନ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରି ଥିବାରୁ ଶ୍ରମିକମାନଙ୍କ ନିଃସହାୟ ରୂପକୁ ଅଙ୍ଗେ ନିଭାଇଥିବା ମନେହୁଏ । ତେଣୁ ତାଙ୍କ ହୃଦୟରେ ସର୍ବହରା , ଖଟିଖିଆ , ନିଷ୍ପେସିତ ମଣିଷମାନଙ୍କ ପାଇଁ ଦରଦ ଜମାଟ ବାନ୍ଧି ରହିଥିଲା । ଫଳତଃ ବ୍ୟାସକବି ଫକୀରମୋହନଙ୍କ ଗଳ୍ପ, ଉପନ୍ୟାସ ଆଦିରେ ଫୁଟିଉଠୁଥିବା ଚରିତ୍ର ଗୁଡିକୁ ପ୍ରାଣ ଭଲ ପାଉଥିଲେ ।
ବିଶେଷକରି ଫକିରମୋହନଙ୍କ ଉପନ୍ୟାସ ଛମାଣ ଆଠଗୁଣ୍ଠର ଚରିତ୍ର ମଧ୍ୟରେ ମଙ୍ଗରାଜ ଓ ଚମ୍ପାର କୈାଶଳପୂର୍ଣ୍ଣ ଚକ୍ରାନ୍ତରେ ନିରୀହା ସାରିଆ ଭଗିଆର ଦୁର୍ଦ୍ଦଶା ତାଙ୍କ ହୃଦୟକୁ ମନ୍ଥି ପକାଇଥିଲା । ଫକିରମୋହନଙ୍କ ଚାରୋଟି କାଳଜୟୀ ଉପନ୍ୟାସ ଓ କୋଡ଼ିଏଟି ଗଳ୍ପର ତତ୍କାଳୀନ ସମାଜର ନିଚ୍ଛକ ଛବି ତାଙ୍କୁ ବେଶ୍ ଆକର୍ଷିତ କରିଥିଲା । ବାସ୍ତବରେ ଫକିରମୋହନଙ୍କ ଉପନ୍ୟାସ ଓଡ଼ିଶାର ଦୁଇ ଶତ ବର୍ଷର ଇତିହାସର କଥା କହେ । ଯେଉଁ କାରଣରୁ ଡକ୍ଟର ବୋଲ୍ଟନ ଅଧିକ ମାତ୍ରାରେ ଫକିରମୋହନଙ୍କ ରାଜତନ୍ତ୍ର ବିରୋଧୀ ମନୋଭାବକୁ ଅଧିକ ପସନ୍ଦ କରିଥିଲେ ।
ତା’ସତ୍ତ୍ଵେ ଫକିରମୋହନଙ୍କ ରଚନା ଗୁଡିକର ଭରପୂର ସାମାଜିକ ଆବେଦନ ଓ ଚରିତ୍ର ଗୁଡିକ ତାଙ୍କର ଅତି ପ୍ରିୟ ଥିଲା । ବୋଲ୍ଟନ ଥିଲେ ସାଦାସିଧା ମଣିଷ । ସାଧାରଣ ମଣିଷ ସହ ମିଶିବା , ସାଧାରଣ ମଣିଷର ମନକୁ ବୁଝିବା , ମଣିଷ ମନକୁ ପରଖି ଦେଖିବା ତାଙ୍କ ଦରଦ ହୃଦୟର ଶ୍ରଦ୍ଧାଶୀଳ ଅକପଟ ଭାବ । ବିଶେଷ ଭାବରେ ସେ ଫକିରମୋହନଙ୍କ ସମ୍ବନ୍ଧରେ ଅନେକ କଥା ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ନିକଟରେ ବିନାଦିଗ୍ଧାରେ କହିପାରୁ ଥିଲେ । ଫକିରମୋହନଙ୍କ ଆତ୍ମ ଚରିତ ଓ ଛମାଣ ଆଠଗୁଣ୍ଠ ଉପନ୍ୟାସ ସଂପର୍କରେ ମତଦେଇ କହିଛନ୍ତି – ଫକିରମୋହନ ସେତେବେଳେ ଉପନ୍ୟାସ କଣ ଜାଣି ନଥିଲେ , କିନ୍ତୁ ସେ ଭଲ ଉପନ୍ୟାସ ଲେଖୁଥିଲେ ।
ଛମାଣ ଆଠଗୁଣ୍ଠ ଉପନ୍ୟାସ ଲେଖା ସରିବା ପରେ ପ୍ରାୟଶ୍ଚିତ ଉପନ୍ୟାସ ଲେଖିବା ବେଳକୁ ସେ ( ଫକିରମୋହନ ) ଯେ ଉପନ୍ୟାସ ବିଷୟରେ ଯଥେଷ୍ଟ ସଚେତନତ ହୋଇପାରିଥିଲେ , କିନ୍ତୁ ସେଥିରେ ସେ ସଫଳ କଳାକାର ହୋଇପାରି ନଥିଲେ । ବାସ୍ତବରେ ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ବୋଲ୍ଟନ ଫକିରମୋହନଙ୍କ ସାହିତ୍ୟର ଅନୁରାଗୀ ହୋଇପାରନ୍ତି ସତ , ଏହାକୁ କେହି ଅସ୍ୱୀକାର କରାଯାଇପାରେନା । ବରଂ ଫକିରମୋହନଙ୍କ ତ୍ରୁଟି ଯେଉଁଠି ସେ ଲକ୍ଷ୍ୟ କରିଛନ୍ତି , ସେଠାରେ ସେ ପ୍ରଶଂସା ବଦଳରେ ନିରପେକ୍ଷ ବିଚାର ଦେଇ ତ୍ରୁଟିକୁ ସୂଚେଇ ଦେବାର ଦାମ୍ଭିକତା ଦେଖାଇଛନ୍ତି । ବାସ୍ତବରେ ସେ ଜଣେ ସଚ୍ଚା ନିର୍ଭୀକ ସମାଲୋଚକର ଧର୍ମ ପାଳନ କରିଛନ୍ତି ।
କୁହାଯାଇପାରେ ଡକ୍ଟର ବୋଲ୍ଟନଙ୍କ ଦେହ ଇଂରେଜ ସାହେବ ହୋଇଥାଇପାରେ , କିନ୍ତୁ ତାଙ୍କର ମନ ଓ ପ୍ରାଣ ଥିଲା ଖାଣ୍ଟି ଓଡ଼ିଆ । ବିଶ୍ୱ ଦରବାରରେ ଓଡ଼ିଆ ସାହିତ୍ୟକୁ ପରିଚିତ କରାଇବା ନିମନ୍ତେ ସେ ଥିଲେ ଦୃଢ ପ୍ରତିଜ୍ଞ । କହିବା ବାହୁଲ୍ୟ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ଅବିସ୍ମରଣୀୟ ଅବାଦାନ ଓ ପ୍ରଚେଷ୍ଟା ତଥା ବୋଲ୍ଟନଙ୍କ ଭଳି ଜଣେ ବିଦେଶୀ ଅଧ୍ୟାପକ ଫକିରମୋହନଙ୍କ ଉପରେ ଗବେଷଣା କରି ଉପାଧି ଲାଭ କରିବା କମ ଗୈାରବର କଥା ନୁହେଁ । ସେ କେବଳ ଫକିରମୋହନଙ୍କୁ ନୁହେଁ, ବରଂ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱରେ ପରିଚିତ କରାଇ ଦେଲେ । ବାଲେଶ୍ଵର ଫକିରମୋହନ ସାହିତ୍ୟ ପରିଷଦ ପକ୍ଷରୁ ୧୯୭୫ ମସିହା ଜାନୁଆରୀ ୧୪ ମକର ସଂକ୍ରାନ୍ତି ଦିନ କଥା ସମ୍ରାଟ ଫକିରମୋହନଙ୍କ ପୁଣ୍ୟ ଜୟନ୍ତୀକୁ ଉପସ୍ଥିତ ରହି ଦୀକ୍ଷାନ୍ତ ଭାଷଣ ଶୁଦ୍ଧ ଓଡ଼ିଆ ଭାଷାରେ ଫକିରମୋହନଙ୍କ ଉପରେ ଦେଇଥିଲେ , ଯାହା ସମସ୍ତ ଶ୍ରୋତା ଓ ମଞ୍ଚାସିନ ଅତିଥିମାନଙ୍କୁ ଚକିତ କରିଥିଲା ।
ଓଡ଼ିଶାର ଓଡ଼ିଆ ଭାଷା ପ୍ରେମୀ ଓ ଗବେଷକମାନେ ଯେଉଁ ତଥ୍ୟ ଉପରେ କେବେ ଆଲୋଚନା କରିବାର ଦେଖାଯାଇନଥିଲା । ଡକ୍ଟର ବୋଲ୍ଟନ ଫକିରମୋହନଙ୍କ ଆତ୍ମ ଚରିତରୁ ଉଦ୍ଧାର କରି ଠାକୁ ‘ମା କୁଚିଲା ଦେଈଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରି କହିଥିଲେ , ତାଙ୍କରି ଯତ୍ନ ଓ ପ୍ରଚେଷ୍ଟା ଫଳରେ ଫକିରମୋହନ ବଞ୍ଚି ରହି ମହାନ୍ ସ୍ରଷ୍ଟାରେ ପରିଣତ ହୋଇପାରିଥିଲେ । ଜଣେ ବିଦେଶୀ ପ୍ରାଧ୍ୟାପକ ଡକ୍ଟର ଜନ୍ ଭିକ୍ଟର୍ ବୋଲ୍ଟନଙ୍କୁ ବାଲେଶ୍ଵର ପୈାର ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୧୯୭୫ ଫେବୃଆରୀ ୧୯ରେ ଓଡ଼ିଶାର ବିଶିଷ୍ଟ ବୟୋବୃଦ୍ଧ ସାହିତ୍ୟିକମାନଙ୍କ ସହିତ ସ୍ୱତନ୍ତ୍ର ଭାବରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଃ ଜନ୍ ଭିକ୍ଟର ବୋଲ୍ଟନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିବାବେଳେ ଓଡ଼ିଶାର ସର୍ବପୁରାତନ ସାହିତ୍ୟାନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ , କଟକ ପକ୍ଷରୁ ଆମନ୍ତ୍ରିତ ହୋଇ ସେ ଶ୍ରୀରାମଚନ୍ଦ୍ର ଭବନରେ ଜନ୍ ବୀମସ୍ ଙ୍କ ପ୍ରତିକୃତି ଉନ୍ମୋଚିତ କରିବା କମ୍ ଗୈାରବ ନୁହେଁ ।
ବାସ୍ତବରେ ଜନ୍ ଭିକ୍ଟର ବୋଲ୍ଟନ ଜଣେ ବହୁ ଭାଷାବିଦ୍ ଓ ପ୍ରବୀଣ ବ୍ୟକ୍ତତ୍ୱର ଅଧିକାରୀ ଥିଲେ । ସେ ଫରାସୀ , ଆରବିକ୍ , ଜର୍ମାନ୍ ଲାଟିନ୍ , ବଙ୍ଗଳା , ସଂସ୍କୃତ , ଓଡ଼ିଆ ପ୍ରଭୃତି ଭାଷାରେ ଅଗାଧ ଜ୍ଞାନର ଅଧିକାରୀ ଥିଲେ । ଓଡ଼ିଆ ଭାଷା ପ୍ରତି ଅନୁରାଗ ଥିବାରୁ ବିଦେଶରେ ରହି ମଧ୍ୟ ବ୍ୟାସକବି ଫକିରମୋହନଙ୍କ ଉପରେ ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତ କରିବା ସହ ଆଦିକବି ସାରଳା ଦାସ , ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ , ପଣ୍ଡିତ ନୀଳକଣ୍ଠ ଦାସ , ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରଭୃତିଙ୍କ ଉପରେ ବିଦଗ୍ଧ ଆଲୋଚନା କରି ନଥାନ୍ତେ , ହୁଏତ ଏଯାବତ ଓଡ଼ିଆ ଭାଷା ବିଶ୍ୱସ୍ତରୀୟ ମାନ୍ୟତା ପାଇବା କଷ୍ଟକର ହୋଇପଡିଥାନ୍ତା । ସେଭଳି ତାଙ୍କର ଉଦାର ହୃଦୟକୁ ଚିହ୍ନି ହୁଏ ତାଙ୍କର ସ୍ପଷ୍ଟବାଦୀ କଥନ ଶୈଳୀକୁ ଲକ୍ଷ୍ୟ କଲେ । ଲଣ୍ଡନରେ ଥିବା ସମୟରେ ଡକ୍ଟର କୁଞ୍ଜବିହାରୀ ଦାଶ ବୋଲ୍ଟନଙ୍କ ସହ ଟ୍ୱ।ଅର ଅଫ୍ ଲଣ୍ତନ ଦେଖି ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ସେ ସ୍ପଷ୍ଟ ମନାକରି କହିଥିଲେ – ‘ ରାଜ ମକୁଟ ହୀରା ଦେଖିଯିବାକୁ ଇଚ୍ଛା ନାହିଁ । କାରଣ ସେଠାରେ ଦେଶର ରାଜାମାନଙ୍କର ଅତ୍ୟଧିକ ଅତ୍ୟାଚାର ମନେ ପଡିବ । ଅଷ୍ଟମ ହେନେରୀଙ୍କ ଅମାନୁଷିକ କାର୍ଯ୍ୟକଳାପ । ଅଷ୍ଟମ ହେନେରୀ ୟୁଟୋପିଆର ଲେଖକ ସାର୍ ଟମାସ୍ ମୁରଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କରିଥିଲେ । ନିଜ ଦେଶର ଅତ୍ୟାଚାର ସଂପର୍କରେ ଇତିହାସ ନୀରବ ତାଙ୍କ ମନରେ ଅହେତୁକ କ୍ଷୋଭ ସୃଷ୍ଟି କରିଥିଲା । ଜ୍ଞାନ ଗାରିମାର ପୂଜା ନଥାଇ କେବଳ ଧନର ଅର୍ଚ୍ଚନା ଚାଲିଥିବା ଦେଖି ସେ ବ୍ୟଥିତ ହୋଇଛନ୍ତି । ବ୍ରିଟିଶ ଗୋଟିଏ ଅସଲରେ ବଣିକ ଜାତି ବୋଲି ସ୍ୱୀକାର କରିଛନ୍ତି ।
ନିକଟରେ ଅଗଷ୍ଟ ୨୭ରିଖରେ ତାଙ୍କର ଜନ୍ମ ଜୟନ୍ତୀ ପଡ଼ୁଥିବାରୁ ଆଲୋଚ୍ୟ ନିବନ୍ଧ ପ୍ରସ୍ତୁତି କରିବାର ଆଗ୍ରହକୁ ଦମନ କରିପାରି ନାହିଁ । ବିଗତ କିଛି ଦିନ ତଳେ ଜଣେ ଅଣ ଓଡିଆ ବିଦେଶୀ ହୋଇ ମଧ୍ୟ ଓଡିଆ ଭାଷା ସାହିତ୍ୟରେ ନୀତି ଦୀର୍ଘ ଗବେଷଣା କରି ଓଡ଼ିଆ ଭାଷାକୁ ବିଶ୍ୱମୁଖୀ କରାଇଥିବା ଡକ୍ଟର ଜନ୍ ଭିକ୍ଟର ବୋଲ୍ଟନ ଉପରେ ପଢିବାର ସୁଯୋଗ ପାଇଥିଲି ଓ ତାଙ୍କ ସମ୍ମାନାର୍ଥେ ଦୁଇ ଧାଡି ଲେଖିବାର ସ୍ପୃହା ଜନ୍ମିଥିଲା । ବାସ୍ତବରେ ଡକ୍ଟର ଜନ୍ ଭିକ୍ଟର ବୋଲ୍ଟନ ଓଡ଼ିଆମାନଙ୍କ ଚିରନମସ୍ୟ କେବଳ ନୁହଁନ୍ତି ଓଡ଼ିଆ ଭାଷା ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ଆଦର୍ଶ । ଓଡ଼ିଶାରେ ଜନ୍ମ ହୋଇ ନିଜ ମାତୃଭାଷାକୁ ଯେଉଁମାନେ ଅନାଦର କରୁଛନ୍ତି ସେମାନଙ୍କ ପାଇଁ ସେ ହେଉଛନ୍ତି ଏକ ଆଲୋକବର୍ତ୍ତିକା । ପ୍ରତ୍ୟେକ ଭାଷା ପ୍ରତି ଆଗ୍ରହ ବଢୁ , କିନ୍ତୁ ନିଜ ଭାଷା ପ୍ରତି ବିତୃଷ୍ଣା ନଆସୁ । ପ୍ରଥମେ ନିଜ ଭାଷା ନେଇ ବଞ୍ଚ , ନିଜ ଭାଷା ନେଇ ନିଜର ପରିଚୟ ପ୍ରସ୍ତୁତ କର । ମା ‘ , ମାଟି , ମାତୃଭାଷା ସମସ୍ତଙ୍କ କାମନା ହେଉ ….!!!