ଭୁବନେଶ୍ୱର,(ନି.ପ୍ର): ୨୦୧୯ ମସିହା ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ସୁନାମି କ୍ଳବ ସଦସ୍ୟ ରିଙ୍କୁ ସ୍ୱାଇଁ ହତ୍ୟାକାଣ୍ଡ ମାମାଲାରେ ଫେରାର ଥିବା ଆଉ ପାଞ୍ଚ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ଏୟାରଗନ୍ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି ।
୨୦୧୯ ମସିହା ମେ’ ମାସ ୨୯ ତାରିଖ ରିଙ୍କୁ ବାଣୀବିହାରର ଏକ ସାଙ୍ଗଙ୍କ ଭୋଜିରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କ ସୁନାମି କ୍ଳବର ଅନ୍ୟ ସଦସ୍ୟମାନେ ମଧ୍ୟ ସେ ଭୋଜିକୁ ଯାଇଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଏପରିକି ମାରପିଟ୍ ହୋଇଥିଲେ । ରିଙ୍କୁ ଭୋଜିରୁ ଫେରିବାବେଳେ ବୋମାମାଡ କରି ତାଙ୍କୁ ହତ୍ୟା ଷଡଯନ୍ତ୍ର କରିଥିଲେ । ସେହି ଘଟଣାରେ ପୂର୍ବରୁ ପୋଲିସ ସନାତନ ରେଡ୍ଡୀ, ବିକ୍ରମ ରେଡ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିଲେ । ନୂଆ ଇନ୍ସପେକ୍ଟର କାମରେ ଯୋଗ ଦେବାପରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇଛନ୍ତି ।
ଗିରଫ ପାଞ୍ଚ ଅଭିଯୁକ୍ତ ହେଲେ ବଳରାମ ବାରିକ୍(୨୪), ସୌମ୍ୟରଞ୍ଜନ୍ ମହାପାତ୍ର(୨୩), ଗଣେଶ ବେହେରା(୨୭), ଶୁଭରାଜ୍ ମହାରଣା(୨୨) ଓ ଅଚ୍ୟୁତାନନ୍ଦ ଦାସ(୨୩) । ସୌମ୍ୟଚ୍ୟୁତ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କ ଘର ଗଞ୍ଜାମ ଜିଲ୍ଲାରେ । ମୃତକ ଓ ସମସ୍ତ ଅଭିଯୁକ୍ତଙ୍କ ଘର ସାଲିଆ ସାହି ବସ୍ତି ବିକାଶ ପରିଷଦରେ । ଏମାନେ ତାଙ୍କ ସାହିର ସୁନାମି କ୍ଳବ ସଦସ୍ୟ । ହତ୍ୟାକାଣ୍ଡ ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଘଟଣାର ୧୫ ମାସ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାସହ ତଦନ୍ତ ଜାରି ରଖିଛି ।