କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୬୦ରୁ ଉଦ୍ଧ୍ୱର୍ ଜବକାର୍ଡଧାରୀମାନେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ପ୍ରକଳ୍ପରେ କାମକରି ସେମାନଙ୍କ ମଜୁରୀ ନପାଇବା ସମ୍ପର୍କରେ ସୋମବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ରୁ ପ୍ରକାଶ ଯେ , ଶ୍ୟାମସୁନ୍ଦରପୁର ପଂଚାୟତର ଜବକାର୍ଡଧାରୀମାନେ କରୋନା ଜନିତ ଲକଡାଉନ ସମୟରେ କେନ୍ଦ୍ରାପଡା କେନାଲ ବନ୍ଧ ଠାରୁ ନିକଟସ୍ଥ ମଶାଣୀ ପର୍ଯ୍ୟନ୍ତ ରାସ୍ତା କାମ ଦୀର୍ଘ ୩୨ଦିନ ଧରି କରିଥିଲେ । ସେତେବେଳେ କରୋନା ମହାମାରୀର ଆଳ ଦେଖାଯାଇ ସେହି ଜବକାର୍ଡଧାରୀଙ୍କ ଜବକାର୍ଡରେ ସେମାନଙ୍କ ହାଜିରା ପକାନଯାଇ ଅନ୍ୟ ଏକ ଖାତାରେ ସେମାନଙ୍କ ହାଜିରା ନିଆଯାଇଥିଲା । କିନ୍ତୁ ହାଜିରା ଅନୁଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ନଆସିବା ଓ କମ୍ ପରିମାଣର ଅର୍ଥ ଆସିବାରୁ ସେମାନେ ଏସମ୍ପର୍କରେ ସଂପୃକ୍ତ ପଂଚାୟତର ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ ।
ପରନ୍ତୁ ସେହି ପ୍ରକଳ୍ପରେ କାର୍ଯ୍ୟ କରିନଥିବା କେତେକ ଜବକାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଆସିବାରୁ ସେମାନେ ସନେ୍ଦହ କରି ପୁନର୍ବାର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେବି ସେମାନଙ୍କୁ ସରପଂଚ ଓ ନିର୍ବାହୀ ଅଧିକାରୀ ଉପେକ୍ଷା କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜବକାର୍ଡଧାରୀଙ୍କ ପକ୍ଷରୁ ନବିନ କୁମାର ମଳିକ, ରାମଚନ୍ଦ୍ର ଚୁଳି, ରାଜେନ୍ଦ୍ର ମଳିକ, ଅନିତା ମଳିକ, ପଦ୍ମଲାଭ ମଳିକ, କାର୍ତିକ ମଳିକ, ଅଜି ମଳିକ, ବ ସିଦ୍ଧାର୍ଥ ମଳିକ, ଅକ୍ଷୟ କୁମାର ମଳିକ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ।