ଭଦ୍ରକ :ନକଲି ଜର୍ଦ୍ଦାର କାରବାର ଓ କାରଖାନା ବନ୍ଦ ହେଉନି ଭଦ୍ରକରେ । ନକଲି ଜର୍ଦ୍ଦାର ହବ୍ କୁହାଯାଉଥିବା ପୁରୁଣାବଜାର ଥାନା ଇଲାକାରେ ପୋଲିସ ନିୟମିତଭାବେ ଚଢାଉ କରିବା ପରେ ନକଲି ଜର୍ଦ୍ଦା ମାଫିଆମାନେ ସେମାନଙ୍କ ନକଲି କାରଖାନାକୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତରିତ କରିଛନ୍ତି ।
ନିକଟକରେ ଜିଲ୍ଲାର ବନ୍ତ ଥାନା ଇଲାକାରେ ଚାଲିଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ ହୋଇଥିଲା । ଆଉ ଗତକାଲି ରାତିରେ ସୂଚନା ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏହି ଥାନା ଅନ୍ତର୍ଗତ ଅନ୍ନପାଳ ଗଜେନ୍ଦ୍ରପୁର ନିକଟକରେ ନକଲି ଜର୍ଦ୍ଦା ବୋଝେଇ ଏକ ମାରୁତି ସୁଇଫଫକାର(ଓଡି୨୨ଏମ-୯୭୩୧)କୁ ଜବତ କରିଛି ।
ପୋଲିସକୁ ଦେଖି କାର୍ ଡ୍ରାଇଭର ଓ ସହଯୋଗୀ ଫେରାର୍ ହୋଇଥିବା ପୋଲିସ ସୂଚନାରୁ ଜଣାଯାଇଛି । ପୋଲିସ ଉକ୍ତ କାର୍ ଓ ଏଥିରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ୬ବସ୍ତା ବିଭିନ୍ନ କମ୍ପାନୀର ନକଲି ଜର୍ଦ୍ଦାକୁ ଜବତ କରିଛି ଓ ତଦନ୍ତ ବଳବତ୍ତର ରଖିଛି । ତେବେ ଏହି ଥାନା ଅଧିନସ୍ଥ ବିଷ୍ଣୁପୁରବିନ୍ଧା ଅଞ୍ଚଳରେ ଏକ ନିଚ୍ଛାଟିଆ ଘରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବାର ଅଭିଯୋଗ ହୋଇଛି । ଏହି ନକଲି କାରଖାନାର ମାଲିକ ଦିଲ୍ଲୀରେ ରହୁଥିବା ବେଳେ ଜଣେ ଦଲାଲ୍ ଏହି ନକଲି ଜର୍ଦ୍ଦା କାରବାରର ପ୍ରସାର କରୁଥିବା ଅଭିଯୋଗ ହୋଇଛି ।