ଲାଞ୍ଚ ନେଇ ୨୯ଦିନ ଜେଲ ରେ ଥିବା ସିଡିପିଓଙ୍କୁ ସୁରକ୍ଷା ଯୋଗାଉଛି କିଏ ? ନିଲମ୍ବନ ହେଲେନି, ଦାୟିତ୍ୱ ହସ୍ତାନ୍ତର ପାଇଁ ବିଳମ୍ବରେ ନିର୍ଦ୍ଦେଶ
ଭଦ୍ରକ:ରାଜ୍ୟ ସରକାର ସ୍ୱଚ୍ଛଶାସନ ପାଇଁ ମୋ ସରକାର ପ୍ରଚଳନ କରିଛନ୍ତି । ତେବେ ୩ହଜାର ଟଙ୍କା ଲାଞ୍ଚ ନେଇ ଦୀର୍ଘ ୨୯ଦିନ କାଳ ଜେଲରେ ଥିବା ଜଣେ ସିଡିପିଓ କିନ୍ତୁ ଆଜିସୁଦ୍ଧା ନିଲମ୍ବନ ନହେବା ଘଟଣା ସରକାରଙ୍କ ସ୍ୱଚ୍ଛତା ପ୍ରତି ସ୍ୱତଃ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସବୁଠାରୁ ବିଚିତ୍ର କଥା ହେଲା, ଜେଲ୍ଯିବା ପରଠାରୁ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ବି ଦିଆଯାଇନାହିଁ କି ସେ ଦାୟିତ୍ୱ ହସ୍ତାନ୍ତର ପାଇଁ ବହୁ ବିଳମ୍ବରେ ଚିଠି କରାଯାଇଛି ।
ପ୍ରକାଶ ଯୋଗ୍ୟ ଯେ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାସ ଗତ ଗତ ମାସ ୧୭ତାରିଖ ରେ ନିଜ ଅଫିସର ଜଣେ ଅସ୍ଥାୟୀ ଡ୍ରାଇଭର ରାଜକିଶୋର ନାୟକଙ୍କ ଠାରୁ ବକେୟା ୪ମାସର ଦରମା ୩୯ହଜାର ୬୯୦ଟଙ୍କାର ବିଲ୍ ପାଇଁ ୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ଏହି ଲାଞ୍ଚୁଆ ସିଡିପିଓଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(ନଂ-୨୦/୨୦)ରୁଜୁ ହୋଇ ତାଙ୍କୁ ଗିରଫ୍ କରି ଜେଲକୁ ପଠାଗଲା । ଲାଞ୍ଚ ନେଇ ଗିରଫ୍ ହୋଇ ସିଡିପିଓ ଜାନକୀ ଦାସ ଗତ ୧୭ ତାରିଖରୁ ଜେଲ୍ରେ ଦୀର୍ଘ ୨୯ଦିନ ରହିବା ପରେ ଗତ ୧୪.୮.୨୦ ଜାମୀନରେ ବାହାରିଥିଲେ । ପରେ ଭିଜିଲାନ୍ସ ଏହି ସିଡିପିଓଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଠାବ କରୁଛି । ଏହାର ସମ୍ପୂର୍ଣ୍ଣ ଆଳକନ ବି ସରିନି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା : ଜେଲ୍ରେ ଦୀର୍ଘ ୨୯ଦିନ ରହିଥିବା ଏହି ସିଡିପିଓ ଜଣଙ୍କ ନିଲମ୍ବିତ ନହୋଇ ଗତ ୧୭ତାରିଖରେ ଭଦ୍ରକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେହିଭଳି ଗତ ଜୁଲାଇ ମାସ ୧୭ରୁ ଚଳିତ ମାସ ୨୧ ତାରିଖ ଯାଏଁ ଉକ୍ତ ସିଡିପିଓ ପଦବୀରେ ପ୍ରଶାସନ କାହାରିକୁ ନିଯୁକ୍ତି ନଦେବା, ତାଙ୍କୁ ନିଲମ୍ବନ ହେବା ପୂର୍ବରୁ ଜଏନିଂ କରିବା ଘଟଣା ଦୁର୍ନୀତିଖୋରଙ୍କୁ ପ୍ରଶାସନର ସୁରକ୍ଷା ଦେଉଛି ବୋଲି ଅଭିଯୋଗ ଉଠିଛି । ଆଉ ଗତ ୨୧ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦପ୍ତରର ଚିଠି ସଂଖ୍ୟା-୧୭୭୬ରେ ଜେଲ ଫେରନ୍ତା ସିଡିପିଓ ଜାନକୀ ଦାସଙ୍କୁ ତାଙ୍କ ଦାୟିତ୍ୱ ସୁପରଭାଇଜର ଶାନ୍ତିଲତା ବେହେରାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ଘଟଣା ଦୁର୍ନୀତିଖୋରକୁ କେତେମାତ୍ରାରେ ସୁରକ୍ଷା ଦିଆଯାଉଛି ଏହାକୁ ପ୍ରମାଣିତ କରିଛି ।
ସିଡିପିଓ ଟ୍ରାପ୍ ହୋଇ ଗିରଫ୍ ହେବା ପରେ ବାଲେଶ୍ୱର ଭିଜିଲାନ୍ସ ଏସ୍ପି, ମେମୋ ନଂ-୧୨୮୨, ୧୭.୭୨୦ ତାରିଖରେ ଅର୍ଥାତ ଘଟଣାଦିନ ହିଁ ଭଦ୍ରକ ଜିଲ୍ଳାପାଳଙ୍କୁ ଏବାବଦରେ ସୂଚନା ଦେଲେ । ଜିଲ୍ଲାପାଳ, ଭଦ୍ରକ ଗତ ୨୧ ତାରିଖରେ ପତ୍ରାଙ୍କ ସଂଖ୍ୟା-୧୫୦୦ରେ ଆଡିସନାଲ ସେକ୍ରେଟେରୀ ମହିଳା ଓ ଶିଶୁମଙ୍ଗଳ ବିଭାଗଙ୍କୁ ବାସୁଦେବପୁର ସିଡିପିଓ ଜାନକୀ ଦାସଙ୍କୁ ନିଲମ୍ବନ କରିବାକୁ ସୁପାରିଶ କରିଥିଲେ । ତେବେ ସେ ଦୀର୍ଘ ଦିନ କାଳ ଜେଲ୍ରେ ରହି ବି ନିଲମ୍ବିତ ହେଲେନି । ସରକାର ନିଲମ୍ବିତ କରିନଥିବା ଏହି ସିଡିପିଓଙ୍କ କାର୍ଯ୍ୟାଳୟରେ ବି ପ୍ରଶାସନ ଅନ୍ୟ କାହାକୁ ସେହି ପଦବୀର ଦାୟିତ୍ୱ ନ୍ୟସ୍ତ କଲେନି । ସମୁଦାୟ ଘଟଣାକୁ ତର୍ଜମା କଲେ ଦୁର୍ନୀତିଖୋରଙ୍କୁ କିଏ ଓ କାହିଁକି (?)ସୁରକ୍ଷା ଯୋଗାଉଛି, ଏଦିଗରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଜାଣନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।
