Odisha news

ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ : ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

0

ଛତ୍ରପୁର,୨୩/୮: ସର୍ବହରାର ସାଥୀ ଗରିବ, ଖଟିଖିଆ, ମେହନତି ମଣିଷଙ୍କ ପାଇଁ ସଦାସର୍ବଦା ସାଲିସ ବିହୀନ ସଂଗ୍ରାମ କରି ଆସୁଥିବା ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏନ୍‌.ଇରେଶୁ ଆଚାରୀ(୮୬)ଙ୍କ ପରଲୋକ ଘଟିଛି । ରବିବାର ଅପରାହ୍ନ ୨.୧୦ଟାରେ ଚିକଲଖଣ୍ଡି ଗ୍ରାମ ସ୍ଥିତ ନିଜ ବାସବଭବନ ଠାରେ କମ୍ୟୁନିଷ୍ଟ ନେତା ମୃତ୍ୟୁବରଣ କରିଥିଲେ । ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ । । ପ୍ରତିଟି ମୂହୁର୍ତ୍ତରେ ଏଭଳି ଲୋକଙ୍କ ସୁଖଦୁଃଖରେ ଛିଡା ହେଉଥିବା ତଥା ସମାଜର ନିଃସ୍ୱାର୍ଥପର ସେବାକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରୁଥିବା ଏଭଳି ନିଷ୍ଠାପର ବର୍ଷିଆନ୍ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ମହଲ ଠାରୁ ଆରମ୍ଭ କରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଜି ତାଙ୍କରି ବାସଭବନ ଠାରେ ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଓ ଅଶୋକ କୁମାର ଚୌଧୂରୀ, ସିପିଆଇର ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ସିପିଆଇର ଛତ୍ରପୁର ଜୋନ୍ ସଂପାଦକ ଏସ୍‌.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନ୍ ସଂପାଦକ ସିଏଚ୍‌.ଜନାର୍ଦ୍ଧନ ରେଡ୍ଡୀ, ଆଇନଜୀବୀ ଡି.ଆଦିନାରାୟଣ ରେଡ୍ଡୀ ଓ ଆଦିତ୍ୟ ମିଶ୍ର, ଚିକଲଖଣ୍ଡି ସରପଞ୍ଚ ଡି.ଲକ୍ଷ୍ମୀ ରେଡ୍ଡୀ,ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ଓ ବି.ସିମାଦ୍ରୀ, ବିଜେଡି ନେତା ଏସ୍‌.କାନ୍ତେୟା ରେଡ୍ଡୀ, ସିପିଆଇ ନେତା ଗୁରୁଦେବ ବେହେର, ସୁଦାମ ନାହାକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଏବଂ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଆଚାରୀଙ୍କ ମୃତ ଶରୀରରେ କମ୍ୟୁନିଷ୍ଟ ପାର୍ଟିର ଦଳୀୟ ପତାକା ପକାଇ ସମ୍ମାନ ସହ ତାଙ୍କରି ଆତ୍ମାର ସଦ୍‌ଗତି ନିମନ୍ତେ ଦଳ ତରଫରୁ ଲାଲ୍ ସାଲାମ୍ ଓ ଅମର ରହେ ସ୍ଲୋଗାନ୍ ଦିଆଯାଇ ଚିକଲଖଣ୍ଡି ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ସ୍ୱର୍ଗତ ଆଚାରୀ ୧୯୯୨ ମସିହା ଠାରୁ ୧୯୯୫ ମସିହା ପର‌୍ୟ୍ୟନ୍ତ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଦାୟିତ୍ୱକୁ ନିଷ୍ଠା ସହ ତୁଲାଇ ଜନସାଧାରଣଙ୍କ ସେବା କରିଥିଲେ ।

ସେହିପରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ , ସିପିଆଇ ପାର୍ଟିର ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ ୱାର୍କରସ୍ ୟୁନିୟନର ସଭାପତି ତଥା ରାଜ୍ୟସ୍ତରୀୟ ସିପିଆଇ ନେତା ପ୍ରଶାନ୍ତ କୁମାର ପାଟ୍ଟଯୋଷୀ , ସିପିଆଇ ପାର୍ଟିର ଛତ୍ରପୁର ବିଧାୟକ ପ୍ରାର୍ଥୀ ତଥା ଯୁବ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ, ଛାତ୍ର ସଂଘର ଜିଲ୍ଲାସଭାପତି କାମଦେବ ନାହାକ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଯୁବ ଆଇନଜିବୀ ସନ୍ତୋଷ କୁମାର ସାହୁ ଙ୍କ ସମେତ ବହୁ ବିଭିନ୍ନ ଦଳରନେତା ଓ କର୍ମୀ ମାନେ ସ୍ୱର୍ଗତ ଆଚାରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କରି ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply