କାର୍ତ୍ତିିକ ଚନ୍ଦ୍ର ସ୍ୱାଇଁ : ଶହେ ମାନସିକ କରି ଅଞ୍ଚଳର ପୂର୍ବପୁରୁଷ ଯେଉଁ ଗାଁ ସ୍କୁଲ ଗଢିଥିଲେ, ସମସ୍ତଙ୍କ ପାଇଁ ଶିକ୍ଷା ସୁବିଧା ମିଳିବ; ସାର୍ବଜନୀନ ଶିକ୍ଷାର ପ୍ରସାର ହେବ ତା’ର ବେଳ ବୁଡିବା ବେଳରେ ଲୋକେ ଧର୍ମକୁ ଡାକି କାନ୍ଦୁଛନ୍ତି । କହୁଛନ୍ତି, ବଡ ବଡୁଆ ହୋ ଅନ୍ଧାରରେ ଆସି ହାତଧରି ଆଲୁଅର ବାଟ ଦେଖାଅ । ଦେଶୀ ବଞ୍ଚିଲେ ଦେଶ ବଞ୍ଚିବ, ଆତ୍ମିୟତା ଆଉ ନାହିଁ । ଅଞ୍ଚଳର ଶିକ୍ଷା ବିକାଶର ସ୍ୱପ୍ନ ଦେଖି ଯେଉଁ ମଣିଷ ତିଆରି ଅନୁଷ୍ଠାନ ଗଢିଥିଲ, ଅଧା ସପନ ଦେଖାରେ ରାତି ପାହି ଯାଉଛି ।
ଶେଷ ଠିକଣା ମୃତୁ୍ୟର ଦ୍ୱାର ଦେଶରେ ପହଞ୍ଚିଛି । ଅଧା ବାଟରେ ହଜି ଯାଉଛି ଗଣଶିକ୍ଷା ଅନୁଷ୍ଠାନ । ଯେତେ କାନ୍ଦିଲେ ବି ଶୁଣୁଛି କିଏ ? ମାତୃଭାଷା ଓଡିଆ ମାଧ୍ୟମ ସରକାରୀ ବିଦ୍ୟାଳୟକୁ ଛୁଇଁଲେ ପାପ ଭାବନାରେ ଶିକ୍ଷା ହାଟର ଦୋକାନୀଙ୍କଠାରୁ ପାଠ କିଣା ଯାଉଛି । ନିଜ ଭବିଷ୍ୟତ ସ୍ୱର୍ଣ୍ଣମହଲ ତିଆରି କରିବା ପ୍ରେମରେ ନିଜ ଗାଁ ଶିକ୍ଷା ମନ୍ଦିରକୁ ପରକରୀ ଜଗନ୍ନାଥଙ୍କ ଗୀତା ଛୁଇଁଲେ ପାପ ମନେ କରୁଛନ୍ତି, ରାଜନେତା । ଧୃତରାଷ୍ଟ୍ର ଆଖିରେ ଦୁନିଆକୁ ଦେଖୁଛନ୍ତି । ସିନ୍ଦୂର ହାଟରେ ସିନ୍ଦୂର ମିଳୁନଥିବା ନାଟକ ପରି ଗାଁ ବିଦ୍ୟାଳୟରେ ଗାଁ ପିଲା ଆଉ ନାହାନ୍ତି । ଅସତୀ ଘରୋଇ ସ୍କୁଲକୁ ସତୀ ଚଉରା ମନେ କରାଯାଉଛି । ଅର୍ଥାତ ସାବତ ସ୍ୱାମୀରେ ଘର କରିବାକୁ ଶିକ୍ଷା ବ୍ୟବସ୍ଥା ହେଉଛି ।
ରହିଯା, ରହିଯା ରଙ୍ଗବତୀ, ନିଆଁ ଭିତରେ ହାତ ପୁରାନା । ସାବତ ଅର୍ଦ୍ଧାଙ୍ଗିନୀ ହୋଇ ରାଧାଲୋ ଅଧା ବାଟରେ ହଜି ଯିବୁ । ପରଶିକ୍ଷାରେ ପଡନା । ପରପ୍ରେମ ସବାରୀରେ ନାୟିକା ଗୋରୀ ନ ହୋଇ ସୈାଭାଗ୍ୟବତୀ ସୁନାଝିଅ ଶିବାନୀ ହୋଇ କଳିଙ୍ଗର ଅସ୍ମିତାକୁ ଆପଣେଇନେ । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି । ରାଜ୍ୟରେ ଏବଂ ଦେଶରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ରାଜନୈତିକ ଦଳ ସହ ସମ୍ପୃକ୍ତ । ‘ମଳୁ ଖୋଜୁଥିଲା କାକର ପାଣି, ବଇଦ ବୋଇଲା ଦେ ତୋରାଣି ।’ ଏହି ରୀତିରେ ମୂଲ୍ୟବୋଧ ନଥିବା ନେତା, ପ୍ରଶାସକ ଶିକ୍ଷାନୀତି ନାଟକ ପ୍ରସ୍ତୁତ କରନ୍ତି । ଯେଉଁମାନଙ୍କ ପିଲା ଘରୋଇ ସ୍କୁଲରେ ପଢନ୍ତି । ସେମାନେ ଶିକ୍ଷାନୀତି ଅପେରାର ଶ୍ରେଷ୍ଠ ଅଭିନେତା । ତେଣୁ ସରକାରୀ ସ୍କୁଲ ଶିଶୁମାନଙ୍କର ସୁବିଧା ହେବ କିପରି ? ଯେତେ ସଫେଇ ଦେଲେ ବି ତାଙ୍କ ଖଳନାୟକ ମାନସିକତାକୁ ଲୋକେ ବୁଝୁଛନ୍ତି । ଶିକ୍ଷା ବ୍ୟବସାୟୀକରଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସ୍ୱୟଂସମ୍ପୂର୍ଣ୍ଣ ସଫଳତା ହାସଲ କେତେ ଫଳପ୍ରସୂ ହେବ, ସମୟ କହିବ । ଅନ୍ୟ ଦେଶର ଶିକ୍ଷା ବ୍ୟବସ୍ଥାକୁ କପି କରି ବା ଚୋରି କରି ପ୍ରସ୍ତୁତ ଶିକ୍ଷାନୀତି ପ୍ରୟୋଗ କଲେ ଦେଶ ମହାନ ହେବ ନାହିଁ, ଯାହା ସତ୍ୟ ସର୍ବଦା ସତ୍ୟ । ନିୟୁ ଏଡୁକେସନ ପଲିସ ଡ୍ରାମା ନୋ ଏଡୁକେସନ ଫର ପୁଅର ଯାତରାରେ ପରିଣତ ହେବ । ଶେଷରେ ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଦାବିରେ କ୍ରାନ୍ତିକାରୀ ଗଣ ବିପ୍ଳବ ସୃଷ୍ଟି ହେବ ।
ଗାଁ ଗଣବିଦ୍ୟାଳୟ ମୃତୁ୍ୟରେ କୁହ ଗାଁ ଲୋକେ, କାହାର ଦୋଷ ? କାହା ପାଇଁ ସରକାରୀ ସ୍କୁଲ ବଦ୍ନାମ ହେଉଛି । ବେଇମାନ ସ୍ୱାମୀ କିଏ ? ପୂର୍ବ ପୁରୁଷଙ୍କ ଆଖି ଅବୁଝାକୁ ଲୁହ ଅବୁଝା ହେଉଛି, କାହା ପାଇଁ ? ଅତୀତ କାହାଣୀ କାନ୍ଦୁଛି ଆଖି ଲୁଚାଇ । ଗାଁ ବିଦ୍ୟାଳୟ ବିନା ଗାଁ କାହାଣୀ ଅଧା । ତା ନାଁରେ ନିଜ ନାଁକୁ ଯୋଡି ଅତୀତକୁ ସ୍ମରଣ କର । ସେଠାରେ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ଥିଲା । ଘରୋଇ ସ୍କୁଲ ନୁହେଁ ସମସ୍ତଙ୍କର । କେବଳ ଜଣଙ୍କର । ଆଲୋ ମୋର କଣ୍ଢେଇ, କ୍ୟାପିଟାଲ ନୁହେଁ କାହାର । ବୋଉଲେ, ମୁଁ ଭୁବନେଶ୍ୱର ଘରୋଇ ସ୍କୁଲରେ ପଢିବି ନାହିଁ । ସେ ମଣିଷକୁ ଦେଖିଲେ ଡର ମାଡୁଛି । ଗାଁ ସ୍କୁଲ ସହିତ ସାଥୀ ହୋଇ ରହିବି ସାତ ଜନମ ପାଇଁ, ପୂର୍ବ ପୁରୁଷ କହିଛନ୍ତି । ନହେଲେ ନିଜ ଠିକଣା ନିଜକୁ ଅଜଣା ହେବ । ମାୟାବିନୀ ମୈାସୁମୀ ରୂପେ ଘରୋଇ ସ୍କୁଲ ଡନ୍ ସାଜି ଡେଞ୍ଜର ସିଗନାଲ୍ ଦେଉଛି । ସ୍ୱାମୀର ସିନ୍ଦୁର ସତ ଲାଗିବନି । ସୋନାଗାଛି ଝିଅ ସୋନାଲୀ ସହ ଭବିଷ୍ୟତ ଶିକ୍ଷା କାହାଣୀ ଲେଖା ହେବ । ମନ୍ତ୍ରୀ ପୁଅ ରକ୍ଷିତା ପ୍ଲଟ ନଂ-୪ ଝିଅ ଗୈାରୀ ଆଖିରୁ ଆରମ୍ଭ ହୋଇ ଓଠରେ ଶେଷ ହେବ ମନର କଥା । ସୂର୍ଯ୍ୟଙ୍କୁ ଛୁଇଁ ନୂଆ ଶିକ୍ଷାନୀତିରେ ଗାନ୍ଧି, ଗୋପବନ୍ଧୁ ଫେରୁଛନ୍ତି କାହାଣୀକୁ ପ୍ରେମିକା ଚନ୍ଦ୍ରଭାଗାକୁ କହିଲେ ବି ସେ ବିଶ୍ୱାସ କରୁ ନାହିଁ ।
ବାହା ହେଉଛ ନା ବାଡୁଅ ଅଛ ? କାଲି ରାତିରେ କେଉଁଠି ଥିଲ ? ସ୍ତ୍ରୀ ପ୍ରଶ୍ନର ଉତ୍ତର ଦେବାକୁ ସ୍ୱାମୀର ସାହସ ନଥିଲା ପରି ଶିକ୍ଷା ମଙ୍ଗ ଧରିଥିବା ନୀତି ନିର୍ଦ୍ଧାରକ ପ୍ରଶାସକଙ୍କ ପିଲା କେଉଁଠି ପଢୁଛନ୍ତି ? ଲୋକେ ଉତ୍ତର ଚାହୁଁଛନ୍ତି । କେମିତି ରାତିର ସେ କେମିତି ସାଥୀ ଡ୍ରାମା ପରି ସେମାନେ କେଉଁ ଭଳି ମୂଲ୍ୟବୋଧର ପ୍ରଶାସକ ? ସେମାନେ ଗଙ୍ଗାଠାରୁ ପବିତ୍ର ପ୍ରଶାସକ ? ନା ମୁଖା ପିନ୍ଧା ପ୍ରତାରକ । ସରକାରୀ ସ୍କୁଲ ପିଲାଙ୍କୁ ବଡଦାଣ୍ଡର ଭିକାରୀ ସଜାଇବାକୁ ଚାହାନ୍ତି ? ସେମାନେ ବାହୁବଳୀ, କଣ୍ଢେଇ ନାଚ ପରି ଶିକ୍ଷକଙ୍କୁ ନଚାନ୍ତି । ଅଧ ତୋର ଅଧ ମୋର ଦୁର୍ନୀତିରେ ବୁଡି ରହନ୍ତି । ଦେଖିଲେ ଜାଣିବ ଦରଦ କେତେ ? ଏଭଳି ଶିକ୍ଷା ବିଭାଗ ସ୍ୱାମୀମାନେ ମରିଗଲେ ବି କେହି କାନ୍ଦିବେ ନାହିଁ । ସେମାନଙ୍କ ଠିକଣା ସେମାନଙ୍କୁ ଅଜଣା । ସେହି ସ୍ୱାମୀମାନଙ୍କ ସିନ୍ଦୁର କଥା ସତ ଲାଗୁନି । ସାବଧାନ, ସାବଧାନ ! ଶାଗୁଣା ଯାଉଛି ଶ୍ୱଶୁର ଘର ପରି ସେମାନେ ଶିକ୍ଷା ବିଭାଗକୁ ଶ୍ୱଶୁର ଘର ଭାବି ଶୋଷଣ କରନ୍ତି ।
ଲକ୍ଷେ ଶିବ ପୂଜି ପୂର୍ବ ପୁରୁଷ ଗଢିଥିବା ଅଞ୍ଚଳର ସାର୍ବଜନୀନ ବିଦ୍ୟାଳୟ ପର ହେଉଛି । ଭଲ ପାଏ ତୋତେ, ଶହେରୁ ଶହେ କହିବାକୁ କେହି ନାହାନ୍ତି । ବାଟ ଛାଡ, ଦଶହରା ମେଢ ନାଚରେ ବ୍ୟବସାୟୀ ଘରୋଇ ସ୍କୁଲ ଆସୁଛି । ପ୍ରଶାସନ ପୋଛିଦେବ ସରକାରୀ ସ୍କୁଲ ସିନ୍ଦୂର । ମିଶ୍ରଣରେ ସବୁ ଗଣବିଦ୍ୟାଳୟ ମରି ଗଲେ ବି କେହି କାନ୍ଦିବେ ନାହିଁ । ସାର୍ବଜନୀନ ଗାଁ ସ୍କୁଲ ଆଇନାରେ ନିଜକୁ ଦେଖିବା ମନ କହିଲେ ବି ସୁଯୋଗ ମିଳିବ ନାହିଁ । ପାକିସ୍ତାନ ଝିଅ ହୋଇ ଭାରତର ବୋହୂ ହେବ । ନାଲି ସୁଇଟର ନେପାଳି ଝିଅ ଆପଣାର ହେବ, କଳିଯୁଗର କୁନ୍ତି ସାଜିବ । ଦେଶୀ ଝିଅ ଗାଁର ଗୈାରୀ ପରହେବ । ଓଏମ୍ପି ଛକରେ ଥିବା ଦେଶୀ ସ୍କୁଲକୁ ଲୋକେ ଚିହ୍ନିପାରିବେ ନାହିଁ । କେମିତି ସ୍କୁଲ ଚାଲିଛି, କେହି ପଚାରି ବୁଝିବେନି । ପାଞ୍ଚ ପଇସାର ସ୍ୱାମୀକୁ ପଚାରେ କିଏ ?
ଭୁଲ ହୋଇଗଲା ଚାଇନା ମାଲକୁ ଭଲ ପାଇ, ଭାବନା କାହିଁ ? ଶିକ୍ଷା ଘରୋଇ କରଣ ହେବ, କାରଣ ଜନତା ଛତା ଚିହ୍ନରେ ଭୋଟ ଦେଇଛନ୍ତି । ବଡଦାଣ୍ଡର ଭିକାରୀ ହେବାକୁ ପଡିବ । ନୂଆଶିକ୍ଷାନୀତିରେ ବିଦେଶୀ ବିଶ୍ୱବିଦ୍ୟାଳୟ ଦେଶ ଗଠନର ମାର୍ଗ ପ୍ରସ୍ତୁତ କରିବ । ଦେଶରେ ତାର ଶାଖା କୋଚିଙ୍ଗ ସେଣ୍ଟର ଖୋଲି ଟୁ୍ୟସନ କରିବ । ଏଥିରେ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଗୈାଣ ହେବ । ଭାରତୀୟ ସଂସ୍କୃତି ଓ ଐତିହ୍ୟ ଲୋପ ପାଇବ । ଦେଶୀ ସରକାରୀ ସ୍କୁଲଗୁଡିକ ଜାତୀୟତା ସୃଷ୍ଟିର ଅନ୍ତୁଡିଶାଳ, ଦେଖିବାକୁ ଆଉ ମିଳିବ ନାହିଁ । ମାତ୍ର ଏହି ଶିକ୍ଷାନୁଷ୍ଠାନ ଜାତୀୟ ଚେତନା ଓ ଜାତୀୟ ସଂହତିକୁ ସୁଦୃଢ କରେ । ଏହାର ସାମଗ୍ରିକ ଅବଦାନ ବ୍ୟାପକ । ଏହାର ଆଙ୍ଗିକ ଓ ଆତ୍ମିକ ଉନ୍ନତି ପ୍ରତି ଗୁରୁତ୍ୱ ଦିଆଯାଉ । ଏହାର ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦେଲେ ଗଣଶିକ୍ଷା ନାଟକ ନାଁ କରିବ । ସମସ୍ତଙ୍କ ପାଇଁ ସମାନ ଶିକ୍ଷା ଯାତରା ସଫଳ ହେବ ।