Odisha news

ଗୋଟିଏ ରାତିରେ ତିନୋଟି ସ୍ଥାନରୁ ଚୋରି : ଚୋରକୁ ଧରି ପୋଲିସ୍ ଜିମା ଦେଲେ ଜନସାଧାରଣ

0

ଗୋପ,୧୭/୮: ଗୋପ ଥାନା ଅଞ୍ଚଳରେ ଗୋଟିଏ ରାତିରେ ୩ରୁ ଅଧିକ ସ୍ଥାନରେ ଚୋରି ହୋଇଥିବାବେଳେ ଜନସାଧାରଣ ଧରି ନିଧୁମ ଛେଚିବା ସହ ପୋଲିସ୍ ଜିମା ଦେଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତକାଲି ବିଳମ୍ଭିତ ରାତିରେ ଗୋପ ଥାନା ଅଧିନ ଗଡ଼ରୂପାସ ଗ୍ରାମର ମାଧବାନନ୍ଦ ପାତ୍ରଙ୍କ ଘରୁ ଦୁଇଟି ବାଇକ୍, ଟିଭି, ହାତ ଘଣ୍ଟା, ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଥିଲା । ଏନେଇ ମାଧବାନନ୍ଦ ଲିଖିତ ଭାବେ ଗୋପ ଥାନାରେ ଅଭିଯୋଗ କରିଥିଲେ । ଏଥି ସହ ନିଜ ବନ୍ଧୁବାନ୍ଧବ ସଂପର୍କୀୟଙ୍କ ଜରିଆରେ ସନ୍ଧାନ ନେଇଥିଲେ । ଗଡ଼ସିଠା ଗ୍ରାମର ଦୁଇ ଜଣ ବ୍ୟକ୍ତି ଚୋରି ଗାଡ଼ିରେ ବସି ଯାଉଥିôବା ଦେଖି ମାଧବାନନ୍ଦଙ୍କ ସଂପର୍କୀୟ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଗାଡ଼ିକୁ ଫୋପାଡ଼ି ଦୁଇଜଣ ଅଭିଯୁକ୍ତ ଦୌଡ଼ିଥିଲେ ।

ପରେ ସ୍ଥାନୀୟ ଜନସାଧାରଣ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନିଧୁମ ଛେଚିବା ସହ ପୋଲିସ୍ ଜିମା ଦେଇଥିଲେ । ଏ ନେଇ ଚୋର ଜଣଙ୍କୁ ପୋଲିସ୍ ପଚରା ଉଚରା କରିଥିବାବେଳେ ପ୍ରାଥମିକ ଭାବେ ଏକାଧିକ ବ୍ୟକ୍ତି ଚୋରିରେ ସଂପୃକ୍ତ ଥିବା ନେଇ ଜାଣିବାକୁ ପାଇଛି । ସେହିପରି ଗୋପ ଥାନା ବେଗୁନିଆ ଛକ ସନ୍ତୋଷ କୁମାର ପୃଷ୍ଟିଙ୍କ ଚାହା ଦୋକାନ କବାଟ ଭାଙ୍ଗି କେହି ଦୁର୍ବୁତ ୩ ହଜାର ୨ ଶହ ଟଙ୍କା, ସିଗାରେଟ୍, ବିସ୍କୁଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ଅନୁରୂପ ଭାବେ କୁନ୍ଦୁରା ଛକରୁ ଏକ ଦୋକାନରୁ ଚୋରି ହୋଇଥିବା ମଧ୍ୟ ଗୋପ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଚୋରିରେ ପୋଲିସ୍ ଗିରଫ କରିଥିବା ଚୋରର ସଂପୃକ୍ତି ଥିବା ନେଇ ଆଶଙ୍କା କରାଯାଇଛି । ପଚରା ଉଚରା ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି ।

Leave A Reply