ସାଲେପୁର, ୧୭ ।୮- ଆଜି ମଧ୍ୟାହ୍ଣରେ ସାଲେପୁର-କେନ୍ଦ୍ରାପଡ଼ା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ସମୟରେ କଟକ-କେନ୍ଦ୍ରାପଡ଼ା ରାସ୍ତାର କୁଳିଆ ପୋଲ ନିକଟରେ ସାଲେପୁରରୁ ଏକ ୟୁନିକର୍ନ ଗାଡ଼ିରେ ନିଜ ଗ୍ରାମ ବାହାବଳପୁରକୁ ଫେରୁଥିବାବେଳେ କୁଳିଆ ପୋଲ ନିକଟରେ ବରାଦୋ ଗ୍ରାମର ବିନୟ କୁମାର ରାଉତ(୫୮) ନିଜ ସାଇକେଲ୍ରେ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତଗତିରେ ଯାଉଥିବା ଏହି ୟୁନିକର୍ନ ମୋଟର ସାଇକେଲ୍ ନଂ-ଓଡି.୦୫ଏ.ଏସ୍.୦୯୧୬ଟି ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବିନୟଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବାବେଳେ ବାହାବଳପୁର ଗ୍ରାମର ମୋଟର ସାଇକେଲ୍ ଚାଳକ ଏସ୍.କେ. ରହିମ୍(୨୩)ଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବାବେଳେ ତାଙ୍କ ଗାଡ଼ି ପଛରେ ବସିଥିବା ବାହାବଳପୁର ଗ୍ରାମର ଅକ୍ତର ରଜତ୍ ଖାଁ(୨୨) ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲା ।
ସାଲେପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚô ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ୨ଜଣଙ୍କୁ ସେଠାରେ ମୃତ ଘୋଷଣା କରିଥିବାବେଳେ ଗୁରୁତର ଆହତ ହୋଇଥିବା ଅକ୍ତର ରଜତ୍ ଖାଁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାଯାଇଛି । ଅପର ପକ୍ଷରେ ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ୍କୁ ପୁଲିସ ଜବତ କରିବା ସହ ସାଲେପୁର ଥାନାରେ କେଶ୍ ନଂ୨୭୧/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି ।