Odisha news

ଲଘୁଚାପ ବର୍ଷାରେ ଧାମନଗର ଏନ୍ଏସି ଉବୁଟୁବୁ : ଘରେ ପଶିଲା ପାଣି, ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ

0

ଧାମନଗର : ଲଘୁଚାପ ପ୍ରଭାବରେ ଶୁକ୍ରବାର ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷାହେବାରୁ ଧାମନଗର ଏନ୍ଏସି ଅଞ୍ଚଳ ପାଣିରେ ଉବୁଟୁବୁ ହୋଇଥିବାବେଳେ ଶହ ଶହ ଲୋକଙ୍କ ଘରେ ପାଣି ପଶିଯାଇଥିଲା । ହଜାର ହଜାର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଥିବାବେଳେ ବ୍ୟାପକ ଧାନଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଧାମନଗର ଅଞ୍ଚଳରେ ଗତ ଶୁକ୍ରବାର ଦିନସାରା ବର୍ଷା ଲାଗିରହିଥିବାବେଳେ ରାତିସାରା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା ।

ଫଳରେ ଜଳ ନିସ୍କାସନର ସୁବିଧା ନଥିବାରୁ ଧାମନଗର ଏନ୍ଏସି ଅଞ୍ଚଳର ବଡ଼ବଜାର, ସାନବଜାର, ମେଡ଼ିକାଲ ବଜାର, ହବିବିନଗର, ବଣିଆସାହି, ଆଦି ଅଞ୍ଚଳର ବହୁ ଘରେ ପାଣି ପଶିଥିବାବେଳେ ବହୁ ଲୋକ ପ୍ରାୟ ଗୋଟିଏଦିନ ଧରି ପାଣିଘେରରେ ଥିଲେ । ଧାମନଗର- ଭଦ୍ରକ ମୁଖ୍ୟରାସ୍ତା, ବ୍ଲକରୋଡ଼, ଫଳପୁର- ଧାମନଗର ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇଥିବାବେଳେ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଯାତୀୟତ ବ୍ୟାହତ ହୋଇଥିଲା । ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହୋଇଥିବାବେଳେ ବିଲରେ ଏପର୍ଯ୍ୟନ୍ତ ୪/୫ପୁଟ ବର୍ଷାଜଳ ଜମିରହି ବ୍ୟାପକ ଧାନଫସଲ ନଷ୍ଟହେବାର ସମ୍ଭାବନା ରହିଛି ।

ଧାମନଗର ଏନ୍ଏସି କାର୍ଯ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପାଣି ପଶିଥିବାବେଳେ ବିପିସିଏଲ୍ ପେଟ୍ରୋଲ ଟାଙ୍କି ସମେତ ବହୁ ବ୍ୟବସାୟୀଙ୍କ ଦୋକାନ ଘରେ ପାଣି ପଶିଥିଲା । ଲୋକେ ବେଆଇନ୍ଭାବେ ସରକାରୀ ଜମିରେ ଏପରିକି ପାଣିନାଳ ଓ ଜଳନିସ୍କାସନ ହେଉଥିବା ଜମିରେ ଘରକରି ଅବରୋଧ କରିଥିବା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି । ‘ଯ’ ନଦୀ ସଂସ୍କାର ଠିକ୍ ଭାବେ ହୋଇନଥିବାରୁ, କଣ୍ଟିନାଳ ଓ ନୂଆପଡ଼ା ନାଳର ଉଦ୍ବୃତ୍ତ ପାଣି ନିସ୍କାସନର ସୁବିଧା ନଥିବାରୁ ଜଳଅବରୋଧ ହେତୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି । ଧାମନଗର ଏନ୍ଏସି ତରଫରୁ ମାଷ୍ଟର ପ୍ଲାନ ତିଆରି କରାଯାଇ ଡ଼୍ରେନେଜ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଲୋକେ ସାମାନ୍ୟ ବର୍ଷାରେ ଜଳବନ୍ଦୀରେ ରହିବେବୋଲି ବୁଦ୍ଧିଜୀବୀମାନେ ସତର୍କ କରାଇଛନ୍ତି ।

Leave A Reply