Odisha news

ଯୁଗାନ୍ତକାରୀ ନୂତନ ଶିକ୍ଷାନୀତିର ରୂପରେଖ

0

ନଗେନ୍ଦ୍ର ନାଥ ପଟ୍ଟନାୟକ : ଦେଶରେ  ପ୍ରସ୍ତାବିତ ନୂତନ ଶିକ୍ଷାନୀତିକୁ ନେଇ  ସବୁ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା, ବିଚାରବିମର୍ଷ, ତଥ୍ୟ, ସିଦ୍ଧାନ୍ତ ଓ ତର୍ଳବିତର୍କ  ଏବେଠୁ  ମୁଣ୍ଡଟେକିବାରେ ଲାଗିଲାଣି  ।  ଆମ ଦେଶରେ  ଦୀର୍ଘବର୍ଷ  ପରେ ଏକ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯାଇଛି  । ଏହି ନୂଆ ଶିକ୍ଷାନୀତିକୁ ନେଇ ଦେଶ ତମାମ ଉତ୍ସାହର ଲହରି ଖେଳିଯାଇଛି  । ବାସ୍ତବତା ଦୂଷ୍ଟିରୁ ଦେଖିଲେ ଖୁବ୍ ଲମ୍ବା ସମୟ ଧରି  ଯେଉଁ ଶିକ୍ଷାନୀତି ଆମ ଦେଶରେ ପ୍ରଚଳିତ ହୋଇଆସୁିଲା ସେଥିରେ ସମୟାନୁସାରେ  ଢାଂଚାଗତ  ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରାଯାଉଥିଲା  ।  ସମୟେସମୟେ  ଏଥିରେ ପରିବର୍ତ୍ତନ ଆସିଥିଲା ସତ  ମାତ୍ର  ଆମୂଳଚୂଳ ପରିବର୍ତ୍ତନ  କେବଳ  ନୂତନ ଶିକ୍ଷା ନୀତିରେ ହିଁ ସମ୍ଭବ  ହୋଇଛି  । ଏହାକୁ ନେଇ   ବ୍ୟାପକ  ବିଚାରବିମର୍ଷ  ଓ ଗବେଷଣା କରାଯାଇଥିଲା ଏବଂ ପରେ  କେନ୍ଦ୍ର   ସରକାର   ନବୀନ ଶିକ୍ଷାନୀତିର ରୂପରେଖ ପ୍ରସ୍ତୁତ କରିଛନ୍ତି  ।

ତେବେ  ଏହି ପ୍ରସ୍ତାବିତ ଶିକ୍ଷାନୀତିକୁ କେନ୍ଦ୍ରକରି  ବିଭିନ୍ନ ଶୈକ୍ଷିକ  ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ   ନିଜ-ନିଜର ମତ ଓ ବିଚାର ରଖିଛନ୍ତି  ।  ତେବେ  ଏଇଠି ପ୍ରଶ୍ନ ଉଙ୍କିମାରେ ସତରେ କଣ ଏଇ ନବୀନ   ଶିକ୍ଷାନୀତି ପରିବର୍ତ୍ତିତ ପରିସ୍ଥିତିରେ ଦେଶର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିପାରିବ ? ପୁନଶ୍ଚ  ଏଇ ଶିକ୍ଷାନୀତି କଣ  ଦେଶର ଭବିଷ୍ୟତ ନାଗରୀକ ତଥା ପିଲାମାନଙ୍କୁ ସବୁକିଛି ଦେଇପାରିବ ଯାହାସବୁ ଏମାନେ ଏହି  ଡିଜିଟାଲ ଯୁଗରେ   ଚାହୁଁଛନ୍ତି  ? ଏଇମିତି ପ୍ରଶ୍ନଗୁଡିଏ  ଆମମାନଙ୍କ ସମ୍ମୁଖରେ ଲମ୍ବିଯିବାର ଦେଖିବାକୁ ମିଳିଥାଏ ।  କିନ୍ତୁ ମୂଳ ପ୍ରଶ୍ନ ହେଉଛି ଏଇ ନୂତନ ଶିକ୍ଷାନୀତିକୁ ତୃଣମୂଳ ସ୍ତରରେ କାର୍ଯ୍ୟନ୍ୱୟନ କରିବା କଣ  ଏତେଟା ସହଜ ?  ତେବେ ସେ ଯାହାହେଉ, କେନ୍ଦ୍ର ସରକାର ଦୀର୍ଗ ୩୪ ବର୍ଷ ଉପରାନ୍ତେ  ନୂତନ ଶିକ୍ଷାନୀତି ସାର୍ବଜନୀନ ଭାବେ ଘୋଷଣା କରିଛନ୍ତି  । ଏବଂ ମାନବ ସମ୍ବଳ ମନ୍ତ୍ରାଣାଳୟ ନାମକୁ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରଣାଳୟ ନାମିତ କରାଯିବାକୁ କେନ୍ଦ୍ର ସରକାର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।

ନୂତନ ଶିକ୍ଷାନୀତିରେ  ବ୍ୟାପକ  ପରିବର୍ତ୍ତନର ଯେଉଁ ଘୋଷଣା କରାଯାଇଛି  ତାକୁ ଦେଖିଲେ ଗୋଟିଏ କଥା  ବିଶ୍ୱାସପୂର୍ବକ କୁହାଯାଇପାରିବ ଯେ, ସରକାର ପରିବର୍ତ୍ତନକୁ ନେଇ କୌଣସି ପ୍ରକାର ଦ୍ୱିଧା ପ୍ରକଟ କରିନାହାଁନ୍ତି  । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ପରିସରକୁ ପରିବ୍ୟାପ୍ତ କରାଯାଇ ତହିଁରେ  ତିନିବର୍ଷର ପ୍ରି-ସ୍କୁଲିଂ ( ପ୍ରାକ୍ ଶିକ୍ଷାଦାନ ) ପରିୟଡକୁ ଅନ୍ତର୍ଭୁକ୍ତ କରାଯାଇଛି  । ଆଉ  ଅତି କମ୍ରେ  ପାଂଚ ବର୍ଷ ଯାକେ ଶିକ୍ଷାର ମାଧ୍ୟମ  ମାତୃଭାଷା ଅଥବା  ଆଚଂଳିକ ଭାଷାରେ  କରାଯିବାଭଳି  ବଡ ବଡ ନିଷ୍ପତ୍ତି ଏଥିରେ ସାମିଲ ହୋଇଛି  । ଯାହାକୁ ନେଇ  ସମାଜରେ ବିଭିନ୍ନ ଅନୁଷ୍ଠାନ  ଓ ବୁଦ୍ଧିଜୀବୀ ମହଲରେ ବିତର୍କ ଲାଗିରହିଛି  । ତେବେ ଏଥିରେ ଦ୍ୱିରୁକ୍ତି ନାହିଁ ଯେ ,ଦେଶ ସ୍ୱାଧୀନ ହେବା ପରଠାରୁ  ଶିକ୍ଷାନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି  ।  ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଶିକ୍ଷାନୀତି  ଓ ଶିକ୍ଷା କ୍ଷେତ୍ରରେ  ବ୍ୟାପକ ତଥା ଲଗାତର  ଉନ୍ନତିକୁ  କେହି କେବେ ଅସ୍ୱୀକାର କରିପାରିବେ ନାହିଁ  । ତଥାପି  ଏକଥା କହିବାରେ ଦ୍ୱିଧା ନାହିଁ ଯେ,ଆମ ଦେଶରେ ବିଦ୍ୟାଳୟ  ସ୍ଥିତିରେ ପରିବର୍ତ୍ତନ ଘଟୁଛି  ସିନା କିନ୍ତୁ ଏହା  ସହରାଂଚଳରେ ସୀମିତି ରହିଛି  । ଗ୍ରାମାଂଚଳ,ପଛୁଆ ଆଦିବାସୀ ବହୁଳ ଇଲାକାରେ ବିଦ୍ୟାଳୟ ଚଳାଇବା  ପାଇଁ  ପର୍ଯ୍ୟାପ୍ତ ଗୃହ ତଥା ଆବଶ୍ୟକ ଭିତ୍ତିଭୂମୀ  ନାହିଁ  । ପିଲାମାନେ ଏବେସୁଦ୍ଧା  ଚଟେଇ,ଫଟାଦରି ଓ  ଭୂଇଁରେ ଚକାମାରି  ବସିପଡି  ଶିକ୍ଷା ଲାଭ କରୁଛନ୍ତି  । ସଂପ୍ରତି ଆମ ଦେଶର ସରକାର  ଶିକ୍ଷା  କ୍ଷେତ୍ରରେ  ପାଖାପାଖି  ୪. ୩୪ ପ୍ରତିଶତ  ବ୍ୟୟ  କରୁଛନ୍ତି   । ଏବେ  ଏହାକୁ ଛଅ  ପ୍ରତିଶତ ବୃଦ୍ଧି କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ପ୍ରସ୍ତାବିତ ନବୀନ ଶିକ୍ଷା ନୀତି ଅନୁସାରେ  ଶିକ୍ଷା ବ୍ୟବସ୍ଥାର  ଉଭୟ ଚେହେରା ଓ ଲକ୍ଷଣ ବଦଳିଯିବ ।  ପୂର୍ବରୁ  ପ୍ରୀ-ସ୍କୁଲ ଶିକ୍ଷାଦାନ  ଘରୋଇ  ଓ ଇଂରାଜୀ ମାଧ୍ୟର ଦାମୀ ଅନୁଷ୍ଠାନରେ କରାଯାଉଥିଲା  । ଅପରପଟେ ସରକାରୀ ବିଦ୍ୟାଳୟରେ ସିଧାସଳକ ପ୍ରଥମ  ଶ୍ରେଣୀରୁ ହିଁ  ଶିକ୍ଷାଦାନ ଆରମ୍ଭ ହେଉଥିଲା  । ମାତ୍ର ନୂତନ ଶିକ୍ଷାନୀତି ଅନୁସାରେ   ପ୍ରଥମ ପାଂଚବର୍ଷରେ ତିନିବର୍ଷର ପିଲାଙ୍କୁ  ଖେଳକୁଦ ଓ ସେମାନଙ୍କ କାର୍ଯ୍ୟକଳାପ  ତଥା ଗତିବିଧି  ଜରିଆରେ ଶିକ୍ଷା ପ୍ରଦାନ  କରାଯିବ  । ଏହି ବୟସରେ ପିଲାଙ୍କ ମାନସିକ ବିକାଶ ସାଧାରଣତଃ  କ୍ଷୀପ୍ରତର ହେବା ଲକ୍ଷ କରାଯାଏ  । କାହିଁକିନା  ପିଲାମାନେ ସେମାନଙ୍କ ଚାରିପଡେ ଥିବା ପାର୍ଥିବ ବସ୍ତୁକୁ ଚିହ୍ନିବାକୁ ଶିଖନ୍ତି,ବର୍ଣ୍ଣମାଳାର ଅକ୍ଷର ଚିହ୍ନ ବୋଲିବାକୁ ଶିଖନ୍ତି ଆଉ  ଅନ୍ୟାନ୍ୟ କେତେକ ବିବିଧ ଶିକ୍ଷା ବି ଆହାରଣ କରିଥାନ୍ତି  ।  ତିନିବର୍ଷ ପରେ  ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ  ବିଦ୍ୟାର୍ଥୀଙ୍କୁ  ପାଠ ପଢାଯିବ । ଏହାବାଦ, ପଂଚମ ପର୍ଯ୍ୟନ୍ତ  ପୁଣି ଅଷ୍ଟମ  ଆଉ ଶେଷରେ ନବମ ଓ ଦଶମ ଶ୍ରେଣୀର  ଶିକ୍ଷାଦାନ କରାଯିବ   । ଶିକ୍ଷା ଉଭୟ ବସ୍ତୁନିଷ୍ଠ ଓ ବିଷୟଆଧାରିତ ହେବ  ।

ନୂତନ ଶିକ୍ଷାନୀତିର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି  ପୁସ୍ତକ ଶିକ୍ଷା ସାଙ୍ଗକୁ  ବ୍ୟାବସାୟିକ ଶିକ୍ଷା ,କୌଶଳ ବିକାଶ ନିମିତ୍ତ ତାଲିମ ପ୍ରଦାନ କରାଯିବ ।  ସୁତରାଂ  ଆପଣାର  ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସଙ୍ଗେସଙ୍ଗେ କୋଉ  କାର୍ଯ୍ୟ ସମ୍ପାଦନରେ  ନିଜର  ପଟୁତା ପ୍ରଦର୍ଶନ କରିପାରିବେ ବା ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆଗେଇବେ  ସେନେଇ  କିଶୋରବସ୍ଥା ପ୍ରାପ୍ତ ପର୍ଯ୍ୟନ୍ତ  ପିଲାଙ୍କୁ ଭାବିବାକୁ ପଡିବ ।  ଯଦି ଏହି ପଦ୍ଧତି କଡାକଡି ଭାବେ ଲାଗୁ କରାଯାଏ ତେବେ ପ୍ରତିଭା ବିକାଶ କାର୍ଯ୍ୟକ୍ରମ  ଫାଲତୁ  ତଥା ସାଂକେତିକ ହେବା ପରିବର୍ତ୍ତେ ଗମ୍ଭୀରତା ସହକାରେ  ତଥା  ପେସାଦାର ତରିକାରେ ଚାଲୁ କରାଯାଇପାରିବ  । ପୁସ୍ତକ ଘୋଷାଭିତ୍ତିକ ଯେଉଁ ଶିକ୍ଷା ବ୍ୟବସ୍ଥା  ଭାରତରେ କିରାଣୀ ସୃଷ୍ଟି କରୁଥିଲା ସେଥିରୁ ମୁକ୍ତି ମିଳିପାରିବ ।  କାରଣ  ଦଶମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଆସୁଆସୁ  ପରୀକ୍ଷାଗୁଡିକ ବସ୍ତୁକୈନ୍ଦ୍ରିକ ହୋଇସାରିଥିବ  ଆଉ ପରୀକ୍ଷାର ରୂପରେଖ ବି ବଦଳିଯାଇଥିବ  ।

ବିଦ୍ୟାଳୟରେ ନାମ ଲେଖାଇବାରେ ସବୁଠାରୁ ବଡ ସମସ୍ୟା  ହୋଇଛି କୌଣସି କାରଣବଶତଃ  ପିଲାଟିଏ  ମଝିରେ ପାଠପଢା ଛାଡିଦେବା  ।  ଆମ ଆଖପାଖରେ ଏମିତି ଅନେକ ପିଲା ଦେଖିବାକୁ ମିଳନ୍ତି ଯେଉଁମାନେ  କୌଣସି ନା କୌଣସି କାରଣରୁ ପାଠପଢା ମଝିରେ  ବିଦ୍ୟାଳୟ ଛାଡିଦେଇଥାନ୍ତି  । ନୂତନ ଶିକ୍ଷାନୀତି ପାଇଁ ଏହା ଏକ ବିରାଟ    ଆହ୍ୱାନ  । ଏହି ନୂତନ ଶିକ୍ଷାନୀତି ଅନୁସାରେ  ଦୁଇକୋଟି ପିଲାଙ୍କୁ ପୁଣିଥରେ ମୁଖ୍ୟଧାରାକୁ ଆଣିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି  । ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବାକୁ ସୁନିଶ୍ଚିତ କରାଯିବ  । ଆଉ ୨୦୩୦ସୁଦ୍ଧା ବିଦ୍ୟାଳୟରେ  ଶହେ ପ୍ରତିଶତ ନାମଲେଖା  କରାଯିବ  ।  ଚାକିରୀ ପଛରେ ଗୋଡାଉଥିବା ପିଲାଙ୍କ  ବଦଳରେ ଚାକିରୀ ଦାତାଙ୍କ ସଂଖ୍ୟା ଢେର ବୃଦ୍ଧିପାଉ ବୋଲି ଆମ ଦେଶର ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଦୃଢତାର ସହିତ କହିଛନ୍ତି  । ଅତଏବ ପ୍ରଧାନମନ୍ତ୍ରୀ ପ୍ରାଥମିକତା ପ୍ରଦାନ କରିଛନ୍ତି ସ୍ୱ-ରୋଜଗାର ଉପରେ ।

ଆଉ  ତାହା କେବଳ ସ୍କୁଲଶିକ୍ଷା ମାଧ୍ୟମରେ  ହାସଲ ହୋଇପାରିବ ବୋଲି ସେ ବେଶ୍ ଆଶାବାଦୀ  । ପୁନଶ୍ଚ ନୂତନ ଶିକ୍ଷାନୀତିରେ  ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ଅସ୍ତିତ୍ୱ ଲୋପ କରାଯାଇ  ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି  । ପ୍ରସ୍ତାବିତ ଆୟୋଗ ଅଧୀନରେ ଚାରୋଟି ସଂସ୍ଥା ସେହି କାର୍ଯ୍ୟ ତୁଲାଇବେ, ଯାହା ୟୁଜିସି  ପୂର୍ବରୁ  ସମ୍ପାଦନ କରୁଥିଲା  । ଦେଶର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ୨୦୪୦ ପର୍ଯ୍ୟନ୍ତ ବହୁ ବିଷୟଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି  । ଏହାବ୍ୟତୀତ  ଆଇ.ଆଇ.ଟିରେ  ବିଜ୍ଞାନ ଓ ବୈଷୟିକ ବିଦ୍ୟା ସାଙ୍ଗକୁ କଳା ,ମାନବବାଦ  ଓ ମହାପୁରୁଷଙ୍କ କୃତିତ୍ୱ ସଂକ୍ରାନ୍ତ ବିଷୟ  ପଢାଯିବାର ବ୍ୟବସ୍ଥା ରହିଛି  । ବିଶେଷକରି କଳାର ଛାତ୍ର ବି ଚାହିଁଲେ ବିଜ୍ଞାନ ପଢିପାରିବେ ।

ତେବେ ୨୦୪୦ ପର୍ଯ୍ୟନ୍ତ  ସବୁ ଉଚ୍ଚ ଶିକ୍ଷାନୁଷ୍ଟାନକୁ ବହୁ ବିଷୟଭିତ୍ତିକ କରିବାକୁ ପଡିବ  । ଏଥିସହିତ ଅନଲାଇନ ଡିଜିଟାଲ ଓ ଡିଷ୍ଟାନସ୍ ଲର୍ଣ୍ଣିଂର ବିକଳ୍ପ ମଧ୍ୟ ରଖାଯିବ  ।  ଖାଲି ସେତିକି ନୁହେଁ  ଏଥିରେ  ମହାବିଦ୍ୟାଳୟ  ଓ ବିଶ୍ୱବିଦ୍ୟାଳୟକୁ  ଯଥେଷ୍ଟ ଅଧିକ ସ୍ୱାୟତ୍ତତା ପ୍ରଦାନ କରାଯିବାର ପ୍ରାବଧାନ ରହିଛି  । ଦ୍ୱାଦଶ ଶ୍ରେଣୀ ଉତ୍ତିର୍ଣ୍ଣ ହେବା ପରେ ପରେ ପ୍ରତି ଛାତ୍ରଙ୍କ ପାଖରେ କିଛି ନା କିଛି କାରବାର କରିବାର  ଯୋଗ୍ୟତା ରହିଥିବ  । ବିଏଡ କଲେଜ ବନ୍ଦ କରାଯିବ ଓ ସେଇ ଶିକ୍ଷା ସାଧାରଣ କଲେଜରେ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି  ।  ଚାକିରୀ ଅନ୍ୱେଷଣକାରୀକୁ  ତିନି ବର୍ଷରେ ଆଉ ଗବେଷଣାରେ ଇଛୁକ ଛାତ୍ରକୁ  ଚାରି ବର୍ଷରେ ଡିଗ୍ରୀ ମିଳିବାର ପ୍ରାବଧାନ ନବୀନ ଶିକ୍ଷାନୀତିରେ ଖଂଜାଯାଇଛି  ।

 

Leave A Reply