Odisha news

ଓଡ଼ିଶାରେ ଅଙ୍ଗଦାନ ଆନେ୍ଦାଳନ

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର(ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ) : ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କ ଠାରେ ରୋପଣ କରାଯାଏ । ଗୋଟିଏ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ ହୋଇପାରନ୍ତି । ଆମ ଦେଶରେ ଯକୃତ, ବୃକକ୍, ହୃଦୟ ଓ ଅଗ୍ନ୍ୟାଶୟ ପ୍ରତିରୋପଣ କରିବାର ସୁବିଧା ରହିଛି । ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍, ଫୁସ୍ଫୁସ୍, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଚକ୍ଷୁ ଆଦି ମଧ୍ୟ ଦାନ କରାଯାଏ । ଅଙ୍ଗଦାନ ଦୁଇ ପ୍ରକାର – ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ । ଅଙ୍ଗଦାନ ଅଧୀନରେ ବୃକକ୍, ଯକୃତ, ହୃଦୟ, ଅନ୍ତ୍ରନଳୀ, ଅଗ୍ନ୍ୟାଶୟ ଓ ଫୁସ୍ଫୁସ୍ ଆଦି ଦାନ କରାଯାଏ । ଟିସୁ ଦାନରେ ରହିଛି ଚକ୍ଷୁ, ଅସ୍ଥିମଜ୍ଜା ଏବଂ ତ୍ୱଚା । ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତୁ୍ୟ ପରେ ଦାନ କରାଯାଏ । କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ । ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ଯକୃତ ଓ ବୃକକ୍ । ଅଙ୍ଗଦାନ ପାଇଁ ଇଛୁକ ବ୍ୟକ୍ତିର ବୟସ ୧୮ବର୍ଷରୁ କମ୍ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା-ବାପାଙ୍କ ଅନୁମତି ନେବା ଜରୁରୀ । ଅର୍ଗାନ୍ ଡୋନେସନ୍ ଆକ୍ଟ ୧୯୯୪ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ । ଚିକିତ୍ସକମାନେ ଏସବୁ ଅଙ୍ଗକୁ ଶୀଘ୍ର ଏପରି ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରିଦିଅନ୍ତି ଯାହାଙ୍କୁ ଏହାର ଆବଶ୍ୟକତା ଥାଏ । ଡାକ୍ତରଖାନା ପାଖରେ ଅର୍ଗାନ୍ ଡୋନେସନ୍ର ଏକ ୱେଟିଙ୍ଗ ଲିଷ୍ଟ ଥାଏ ।

ଅଙ୍ଗ ପ୍ରତ୍ୟାରୋପଣ ପାଇଁ ବ୍ଲଡ଼ ଗ୍ରୁପ୍ ମେଳକ ଓ ଅନ୍ୟ କେତେକ ଟେଷ୍ଟ କରାଯାଏ । ଯକୃତ କଢ଼ାଯିବାର ୬ଘଣ୍ଟା ମଧ୍ୟରେ ପ୍ରତ୍ୟାରୋପିତ ହେବା ଆବଶ୍ୟକ । ବୃକକ୍ ୧୨ ଘଣ୍ଟା ମଧ୍ୟରେ ଓ ଆଖି ୩ ଦିନ ମଧ୍ୟରେ ଲଗାଇ ଦିଆଯିବା ଆବଶ୍ୟକ । ଦାତାଙ୍କ ଶରୀରରୁ କଢ଼ାଯାଇଥିବା ଅଙ୍ଗ ଯେତେ ଶୀଘ୍ର ପ୍ରତ୍ୟାରୋପଣ କରାଯାଏ ତାର କାମ କରିବା କ୍ଷମତା ଓ ସମ୍ଭାବନା ସେତେ ଅଧିକ ହୋଇଥାଏ । ଆମ ଦେଶରେ “ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍ ହୁ୍ୟମାନ ଅର୍ଗାନ୍ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ହୁଏ । କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ । ଯେଉଁ ବ୍ୟକ୍ତିଠାରେ ପ୍ରତ୍ୟାରୋପଣ ହେବ କେବଳ ତାର ପରିବାର, ପରିଜନ ଓ ନିକଟତମ ସମ୍ପର୍କୀୟମାନେ ହିଁ ଅଙ୍ଗଦାନ କରିପାରିବେ । ଏହାର ସମ୍ପୂର୍ଣ୍ଣ ଯାଞ୍ଚ ହୁଏ । ଏମାନଙ୍କ ମଧ୍ୟରେ ମାତା-ପିତା, ପତି-ପତ୍ନୀ, ସନ୍ତାନ-ସନ୍ତିତ, ଭାଇ-ଭଉଣୀ ଆଦି ସାମିଲ । ଏମାନଙ୍କୁ ପ୍ରଲୋଭନ ଦେଇ ପ୍ରତ୍ୟାରୋପଣ ପାଇଁ ଅଙ୍ଗଦାନ କରାଇବା ମଧ୍ୟ ବେଆଇନ ।

ଓଡ଼ିଶାରେ ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ଅନେକ ଗୁରୁତର ଓ ମୁର୍ମୂଷୁ ରୋଗୀ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି । ଅନେକ କ୍ଷେତ୍ରରେ ସେମାନଙ୍କର ପରିବାର ବର୍ଗ ଅଙ୍ଗଦାନ ପାଇଁ ଇଛୁକ ଥିଲେ ମଧ୍ୟ ଜଟିଳ ଆଇନଗତ ବ୍ୟବସ୍ଥା ଯୋଗୁଁ ଅଙ୍ଗଦାନ କରିପାରନ୍ତି ନାହିଁ । ଓଡ଼ିଶାରେ ନିକଟ ଅତୀତରେ କାଡ଼ାଭରିକ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଯୋଜନା ମଧ୍ୟ ସଫଳ ଭାବରେ କାର୍ଯ୍ୟକାରୀ ହୋଇସାଇଛି । ଭାରତର ଅନ୍ୟ ପ୍ରଦେଶ ଯଥା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତାମିଲନାଡୁ, କେରଳ, ତେଲେଙ୍ଗାନା, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସୁବିଧା ଓ ସଫଳତାର ସହିତ କାଡ଼ାଭରିକ ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟ ଚାଲୁଛି ।

ଅତ୍ୟନ୍ତ ଜଟିଳ ଓ ମୁର୍ମୂଷୁରେ ଥିବା ରୋଗୀମାନେ ଆଇସିୟୁ ରହଣି ସମୟରେ ବ୍ରେନ୍ ଡେଡ୍ ହୋଇଗଲେ ପରିବାର ଲୋକଙ୍କ ଅନୁମତି ନିଆଯାଇ ରୋଗୀଟିର ଲିଭର, କିଡ଼ନୀ, ଲଙ୍ଗସ୍, କର୍ଣ୍ଣିଆ ଓ ପାନକ୍ରିଆଜ ପ୍ରଭୃତି ସଂଗ୍ରହ କରାଯାଇ ଅନ୍ୟଜଣଙ୍କ ଠାରେ ପ୍ରତିରୋପଣ କରାଯାଏ । ସ୍ୱାସ୍ଥ୍ୟ ବିଭାଗର ଯୋଜନା ଓ ବ୍ୟବସ୍ଥା ଅନୁଯାୟୀ ପାଞ୍ଚଟି ଉନ୍ନତମାନର ଆଇସିୟୁ ବେଡ଼୍ ଥିବା ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲ ଗୁଡ଼ିକୁ ହାର୍ଭେଷ୍ଟିଂ ସେଣ୍ଟର ଭାବେ ଘୋଷଣା କରାଯିବ । କେବଳ ସେତିକିନୁହେଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଏହାର ନୋଡାଲ କେନ୍ଦ୍ର ଗଠନ ହୋଇଛି ।

ଏହି କେନ୍ଦ୍ରରେ ବେନ୍ ଡେଡ୍ ହୋଇଥିବା ରୋଗୀମାନଙ୍କ ଠାରୁ ଅଙ୍ଗ ସଂଗ୍ରହ କରାଯାଇ ଅନ୍ୟ ରୋଗୀ ମାନଙ୍କ ଠାରେ ପ୍ରତିରୋପଣ ନିମିତ୍ତ ସିଦ୍ଧାନ୍ତ ନିଆଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ଅଙ୍ଗଦାନ କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ଭିତରେ ସଚେତନତାର ବାର୍ତ୍ତା ଦେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏ ନେଇ ଗଣମାଧ୍ୟମରେ ସୂଚନା ତଥ୍ୟ ଦେବା ସହ ଇଲେକ୍ଟ୍ରୋନ୍ସିକ ମିଡ଼ିଆରେ ସରକାରୀ ବ୍ୟବସ୍ଥିତ ସଚେତନଧର୍ମୀ, ଆଲୋଚନା ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ଓଡ଼ିଶାରେ ଅଙ୍ଗଦାନ ଆନେ୍ଦାଳନକୁ ସକ୍ରିୟ କରିବା ସହ ସମସ୍ତଙ୍କ ପାଖରେ ଏହି ସେବାମୂଳକ ସମ୍ପନ୍ନ ବାର୍ତ୍ତା ପହଞ୍ଚାଇବା ପାଇଁ ଓଡ଼ିଶାରେ ଅନେକ ବେସରକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ନିୟମିତ ସମୟରେ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି । କେବଳ ସେତିକିନୁହେଁ ଭାରତର ପ୍ରଧାନମନ୍ତ୍ରୀ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ “ମନ୍ କୀ ବାତ୍’ରେ ମଧ୍ୟ ଅଙ୍ଗଦାନ ଆନେ୍ଦାଳନ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ ।

Leave A Reply