ସାଲେପୁର : ଆଜି ଅପରାହ୍ଣରେ ବଜ୍ରପାତ ଘଟି ଏକାଧିକ ଲୋକଙ୍କର ବିଦୁ୍ୟତ୍ ସଂରଜାମ ନଷ୍ଟ ହେବା ସହ ଜନୈକ ବ୍ୟକ୍ତିଙ୍କ ଏକ ଗାଈ ମରିଯାଇଥିବାବେଳେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଅପରାହ୍ଣ ପ୍ରାୟ ୫.୩୦ମି. ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାରୁ ଉତ୍ତରବଟେଶ୍ୱର ଗ୍ରାମର ଜଗବନ୍ଧୁ ବେହେରାଙ୍କର ଏକ ଗାଈ ବାହାରେ ଥିବା ଏକ ଅସ୍ଥାୟୀ ଗୁହାଳରେ ବନ୍ଧା ହୋଇଥିବାବେଳେ ବଜ୍ରପାତ ହେବାରୁ ଗୁହାଳର ପାଲ ଜଳିଯିବା ସହ ଗାଈଟି ମୃତୁଣବରଣ କରିଥିବା ଜଣାଯାଇଛି ।
ସେହିପରି ଜଗବନ୍ଧୁ ବେହେରା ଘଡ଼ଘଡ଼ି ଶବ୍ଦରେ କିଛି ସମୟ ପାଇଁ ଆବାକ୍ ହୋଇଯିବା ସହ ପ୍ରାୟ ୧୫ମିନିଟ୍ ପର୍ଯ୍ୟନ୍ତ ତାଙ୍କ କାନକୁ କିଛି ଶୁଭିନଥିଲା । ସେହିପରି ପାଖରେ ଥିବା ଏକ ନଳକୂପର ପିଣ୍ଡିଟି ଫାଟି ଛତରଛାଳ ହୋଇଯାଇଥିବାବେଳେ ବହୁ ଗଛ ନଷ୍ଟ ହୋଇଯାଇଥିôବା ଦେଖିବାକୁ ମିଳିଛି । ଏଥିରେ ଜଗବନ୍ଧୁ ଆହତ ହୋଇଥିବା ଜଣାଯାଇଛି ।
ସଂପୃକ୍ତ ପଶୁପାଳକଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ବାଲିସାହି ସରପଞ୍ଚ ସରସ୍ୱତୀ ବେହେରା ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ସାଲେପୁର ହାଟ ନିକଟରେ ଥିବା ପ୍ରମୋଦ କିଶୋର ଷଡ଼ଙ୍ଗୀଙ୍କ ଘର ନିକଟରେ ବଜ୍ରପାତ ଘଟିବାରୁ ଘରର ୫ଟି ଫ୍ୟାନ୍ ସମେତ ବହୁ ବିଦୁ୍ୟତ୍ ସଂରଜାମ ପୋଡ଼ି ନଷ୍ଟ ହୋଇଯାଇଛି । ସେହିପରି ନଈଗୁଆଁ ଗ୍ରାମର ଉଦ୍ଧବ ଚରଣ ରାଉତ ଓ ମାଛୁଆତି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ନିକଟରେ ବଜ୍ରପାତ ହେବାରୁ ଉଭୟଙ୍କ ଘରର ସମସ୍ତ ବିଦୁ୍ୟତ୍ ସଂରଜାମ ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ଘରେ ଥିବା ଲୋକମାନେ ଅଳ୍ପରେ ବର୍ତ୍ତି ଯାଇଥିବା ଜଣାଯାଇଛି । ସେହିପରି ସାଲେପୁର ସହର ସମେତ ଗ୍ରାମାଞ୍ଚଳରେ ଏହି ବଜ୍ରପାତର ପ୍ରଭାବ ଦେଖିବାକୁ ମିଳିଛି