ଜଳେଶ୍ୱର : ଜଳେଶ୍ୱର ସଟ୍ଡାଉନ୍ ଘୋଷଣାର ୨ୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପିଡି ନିଲୁ ମହାପାତ୍ର ଆଜି ଜଳେଶ୍ୱରରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ବୁଧବାରଠାରୁ ଜଳେଶ୍ୱରରେ ଥିବା ସମସ୍ତ ବ୍ୟାଙ୍କ ଅଧା କର୍ମଚାରୀରେ କାର୍ଯ୍ୟକରିବ ବୋଲି ସୂଚନା ଦେଇଛନ୍ତି । କଣ୍ଟେନ୍ମେଣ୍ଟ ଜୋନ୍ର ବାସନ୍ତୀପଡିଆଠାରେ ଥିବା ବେରିକେଟ୍ ଆଜି ଭଙ୍ଗା ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ଗତ ସୋମବାର ସକାଳ ୮ଟାରୁ ରାତ୍ରି୧୦ଟା ଯାଏ ପୁଲିସ୍ ଜଗିଥିବା ବେଳେ ରାତ୍ରି ୧୦ରୁ ସକାଳ ୮ଟା ପର୍ଯ୍ୟନ୍ତ ସେଠାରେ ପୁଲିସ୍ ନଥିବା ଅଭିଯୋଗ ହୋଇଛି ।
ଫଳରେ ଆଜି ସକାଳେ କଣ୍ଟେନ୍ମେଣ୍ଟ ଜୋନ୍ର କେତେକ ବ୍ୟକ୍ତି ବାହାରକୁ ଆସିଥିବା ଓ ଅନ୍ୟ କେତେକ ବାହାର ବ୍ୟକ୍ତି ଭିତରକୁ ଯାଇ ବୁଲାବୁଲି କରୁଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ମଙ୍ଗଳବାର ଅପରାହ୍ନରେ ଏପିଡି ଶ୍ରୀ ମହାପାତ୍ର ଜଳେଶ୍ୱରରେ ପହଞ୍ଚିବାପରେ ଏଥିନେଇ କେତେକ ଅଭିଯୋଗ ତାଙ୍କଠାରେ ପହଞ୍ଚିଛି । ଅନ୍ୟପକ୍ଷରେ କଣ୍ଟେନ୍ମେଣ୍ଟ ଜୋନ୍କୁ ବାଦଦେଇ ଅନ୍ୟ ୧୬ଟି ୱାର୍ଡରେ ୧୬ଟି ସର୍ଭେ ଟିମ୍ ଗାଁ କୁ ଗାଁ ଯାଇ ସର୍ଭେକାର୍ଯ୍ୟ ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ସକାଳ ୮ଟାରୁ ୧୧ଟା ଯାଏ ବ୍ୟାଙ୍କ ଗୁଡିକ ଗ୍ରାହକ ସେବା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଶନିବାର, ରବିବାର ପୂର୍ବପରି ସଟ୍ଡାଉନ୍ ନିୟମ ବଳବତ୍ତର ରହିବ
