ବାଲେଶ୍ୱର : ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ଦିଗିରହଣିଆ ଠାରେ ଥିବା ଏକ ଔଷଧ ଦୋକାନର ମାଲିକ ଦାଦାବଟି ନଦେବାରୁ ତାଙ୍କ ପୁତ୍ର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଦିଗିରହଣିଆ ଅଞ୍ଚଳରେ ଥିବା ଅନ୍ଧାରୀମଙ୍ଗଳା ମେଡ଼ିକାଲ ଷ୍ଟୋରରେ ପ୍ରଣତ କୁମାର ପଣ୍ଡା ଓ ତାଙ୍କର ପୁତ୍ର ପି୍ରୟଙ୍କ ପଣ୍ଡା ବସିଥିବା ବେଳେ ସେହି ଅଞ୍ଚଳର ରିଙ୍କୁ ପଣ୍ଡା ଓରଫ ଅକ୍ଷାଂଶୁ ପଣ୍ଡା ସେଠାରେ ପହଞ୍ଚô ଦାଦାବଟି ମାଗିଥିଲେ ।
ମାତ୍ର ପ୍ରଣତ ଦାଦାବଟି ନଦେବାରୁ ଅକ୍ଷାଂଶୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରଣତଙ୍କ ପୁତ୍ର ପି୍ରୟଙ୍କ ପ୍ରତିବାଦ କରିଥିଲେ । ଏହାପରେ ଅକ୍ଷାଂଶୁ ପାଖରେ ଲୁଚାଇ ରଖିଥିବା ଏକ ତେଲେଙ୍ଗା କଟୁରୀରେ ପ୍ରିୟଙ୍କର ମୁଣ୍ଡରେ ଚୋଟମାରି ନାଗୁଲୁ ନାମକ ଅନ୍ୟଜଣେ ଲୋକର ମଟର ସାଇକେଲରେ ବସି ସେଠାରୁ ଖସିପଳାଇଥିଲେ । ପ୍ରଣତ ନିଜ ପୁତ୍ର ପି୍ରୟଙ୍କକୁ ରକ୍ତାକ୍ତ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ଭର୍ତ୍ତି କରିବା ସହ ଏବାବଦରେ ବାଲେଶ୍ୱର ଟାଉନଥାନାରେ ଏକ ଏତାଲା ଦେଇଥିବା ଖବର ମିଳିଛି ।
