ଜଗତସିଂହପୁର :ବିଭିନ୍ନ ଦାବୀ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଜିଲ୍ଲାପଳଙ୍କ ଗାଡି ଆଗରେ ଶୋଇ ଦୀର୍ଘ ସମୟ କାଳ ତାଙ୍କର ଗାଡିକୁ ଅଟକାଇଥିଲେ ।ଆନେ୍ଦାଳନକାରୀମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଓ ଆନେ୍ଦାଳନକାରୀମାନଙ୍କ ସହିତ ଧ୍ସ୍ତାଧସ୍ତି ହେବା ସହିତ ପୋଲିସ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖେରସ ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦିନ ୧୦.୧୫ ସୁଦ୍ଧା ଅଫିସ ଯିବା ପାଇଁ ଗାଡିରେ ବସି ରାସ୍ତାକୁ ବାହାରି ଆସିବା ପରେ ହଠାତ ନବ ନିର୍ମାଣ କୃଷକ ସଂଗଠନର ନେତା ଓ କିଛି ଚାଷୀ ରାସ୍ତାକୁ ବାହାରି ଆସି ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀଙ୍କର ଚାଷୀମାନେ ଏହି କାଣ୍ଡ କରିବା ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚିଥିଲା ।ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସମେତ ଥାନାର ବହୁ କର୍ମଚାରୀ ଆନେ୍ଦାଳନକାରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ବୁଝି ନଥିଲେ ।ଦିର୍ଘ ସମୟ ଏହି ନାଟକ ଚାଲିବା ପରେ ଖୋଦ ଏସପି ପ୍ରକାଶ ଆର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।ମାତ୍ର ପରିସ୍ଥିତ ଅଣାୟତ ହେବାରୁ ଅଧିକ ଫୋର୍ସ ମଗାଯାଇ ଆନେ୍ଦାଳନକାରୀମାନଙ୍କୁ ଯୋର ଜବରଦସ୍ତ ଗାଡିରେ ପୁରାଇ ଗିରଫ କରିବାକୁ ପୋଲିସ ସକ୍ଷମ ହୋଇଥିଲା ।ଆନେ୍ଦାଳନକାରୀ ଚାଷୀମାନଙ୍କ କହିବା ଅନୁସାରେ ଦୀର୍ଘ ଦିନ ହେବ ଚାଷୀ ସମସ୍ୟା ପ୍ରତି ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସୁଥିଲେ ହେଁ ତାହା କିଛି ଫଳପ୍ରଦ ହେଉନାହିଁ ।
ଦିର୍ଘ ୧୪ ମାସ ବିତିଯାଇଥିଲେ ହେଁ ଚାଷୀମାନଙ୍କୁ ଫନି ପଇସା ନମିଳିବା,ଖରିଫ ଚାଷରେ ଚାଷୀ ଟୁକନ ଦିଆଯାଇଥିଲେ ହେଁ ଧାନ କିଣାରେ ଅନିୟମିତତା ଓ ଧାନ ନକିଣିବା ଆଦି ବିଭିନ୍ନ ପ୍ରସଙ୍ଗରେ ଚାଷିମାନେ ବିଭିନ୍ନ ଫୋରମରେ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଏହି ପ୍ରସଙ୍ଗ ବିଷୟରେ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାକୁ ଯାଇଥିଲେ ହେଁ କୋଭିଡ କଟକଣାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ସେମାନଙ୍କୁ ଯିବାକୁ ବାରଣ କରାଯାଇଥିଲା ।ଏହାକୁ ସଂଗଠନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇ ଉପରୋକ୍ତ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ କୈଫତ ତଲବ ପାଇଁ ଏପରି ରାସ୍ତାରେ ଅଟକାଇକୁ ପଡିଲା ବୋଲି କହିଛନ୍ତି ସଂଗଠନର ବରିଷ୍ଠ ସଦସ୍ୟ ଦେବୀ ପ୍ରସାଦ ମହାରଣା ଓ ରାଜ୍ୟ ସହସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁ ।
ସଂଗଠନ ପକ୍ଷରୁ କୋଭିଡ ସମୟରେ ଏପରି କରିବାରୁ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୧୬ ଜଣ ଚାଷୀ ଓ ଚାଷୀ ନେତାଙ୍କୁ ଗିରଫ କରିଥିଲେ ।ଗିରଫ ଚାଷୀ ମାନେ ହେଲେ ରଣହତାର ଭାସ୍କର ମହାପାତ୍ର,ପିତାମ୍ବରପୁରର ଘନଶ୍ୟାମ ମହାନ୍ତି,କୋଟକଣାର ରଶ୍ମି ରଞ୍ଜନ ସ୍ୱାଇଁ,ପଟଣାର ନିତ୍ୟାନନ୍ଦ ପଣ୍ଡା,କଣିଆର ମିଟୁ ଦାସ,ଅନନ୍ତପୁରର ସନ୍ତୋଷ ପାତ୍ର,କଲିଓଦାର ଅକ୍ଷୟ ସ୍ୱାଇଁ,ଯଶୋବନ୍ତପୁରର ବିଜୟ ପାତ୍ର,ସାନକୋରକୋରାର ବେଣୁଧର ବେହେରା,ଓଷକଣାର ବାଉରୀବନ୍ଧୁ ରାଉତ,ଖାଙ୍କରପୁରର ଅଶୋକ ସ୍ୱାଇଁ,ତିର୍ତ୍ତୋଲ ଅଞ୍ଚଳର ଦେବଦତ୍ତ ସାହୁ,ରାଢଙ୍ଗର ଦେବୀ ପ୍ରସାଦ ମହାରଣା,ପାଣିତିରାର ରଘୁନାଥ ନାୟକ,ଜୋତର ପ୍ରମୋଦ ଦାଶ,ଗରୁଆଳର ସୁରେନ୍ଦ୍ରନାଥ ମହାରଣା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୁଚନା ଦେଇଛନ୍ତି ।