କେନ୍ଦ୍ରାପଡା-୧୦/୦୭ କେନ୍ଦ୍ରାପଡା ସହରରେ ଥିବା କେତେକ ନର୍ସିଂହୋମ, ଅଲଟ୍ରାସାଉଣ୍ଡ ଏବଂ କ୍ଲିନିକ୍ରେ କରୋନା କଟକଣାକୁ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହାର ପ୍ରତିବାଦରେ ଘରୋଇ ନର୍ସିଂହୋମ ର ମାଲିକ ମାନେ ଗତକାଲି ସେମାନଙ୍କ ପ୍ରତିଷ୍ଠାନକୁ ବନ୍ଦ ରଖିବା ସହ ଶୁକ୍ରବାର ଉପ ଜିଲ୍ଲାପାଳ ଜେୟାତି ଶଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।
ଆଲୋଚନା ସମୟରେ ଉପ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସଂପୃକ୍ତ ମାଲିକ ମାନଙ୍କୁ ତାଗିଦା କରିବା ସହ ପୂର୍ବରୁ ସେମାନଙ୍କୁ କୋଭିଡ-୧୯ସୁରକ୍ଷା ସମ୍ବନ୍ଧୀୟ କଟକଣାକୁ ପାଳନ କରିବା ପାଇଁ ସୂଚନା ଦିଆ ଯାଇଥିଲେ ମଧ୍ୟ ଏହାକୁ ପାଳନ ନକରିବା ବିଷୟରେ ଚେତାଇ ଦେଇଥିଲେ । ସଂକ୍ରମଣ ପ୍ରତିଷୈଧକ କଟକଣାକୁ କଡାକଡି ପାଳନ ନକଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । କେତେକ ଘରୋଇ ନର୍ସିଂହୋମରେ ଡାକ୍ତର ନଥିଲେ ମଧ୍ୟ ଅର୍ଥ ଲୋଭରେ ରୋଗୀ ମାନଙ୍କୁ ଅଟକାଇ ହଇରାଣ ହରକତ କରୁଥିବା ଓ ଚିକିସôା ବିଳମ୍ବ ହେତୁ ନବଜାତକ ମୃତୁ୍ୟ ସହ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହେଉଥିବା ଆଲୋଚନା ହୋଇଥିଲା । ରୋଗୀ ମାନଙ୍କ ଜୀବନ ସହ ଅର୍ଥ ଲୋଭରେ ଖେଳ କରୁଥିବା ନର୍ସିଂହୋମ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ସତର୍କ କରାଇଥିଲେ ।